୨୮ ସପ୍ତାହରେ ହାଇକୋର୍ଟ ଦେଇ ନଥିଲେ, ୩୦ ସପ୍ତାହର ଗର୍ଭାବସ୍ଥା ସମାପ୍ତ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

NEWS7
eci-slammed-on-mallikarjun-kharge-says-he-has-tried-to-obstruct-the-elections

ନୂଆଦିଲ୍ଲୀ ୬।୨: ସୁ୍ପ୍ରିମକୋର୍ଟ ଶୁକ୍ରବାର ଜଣେ ୧୮ ବର୍ଷ ବୟଷ୍କା କିଶୋରୀଙ୍କୁ ୩୦ ସପ୍ତାହର ଗର୍ଭାବସ୍ଥାକୁ ସମାପ୍ତ କରିବା ଲାଗି ଅନୁମତି ଦେଇଛନ୍ତି। କହିଛନ୍ତି କୌଣସି ମହିଳାଙ୍କୁ ତାଙ୍କ ଇଛା ବିରୋଧରେ ଗର୍ଭାବସ୍ଥା ଜାରି ରଖିବାକୁ ବାଧ୍ୟ କରାଯାଇ ପାରିବନି। ତେବେ ଶୀର୍ଷ ନ୍ୟାୟାଳୟ ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ସେହି ରାୟକୁ ବାତିଲ କରିଦେଇଛନ୍ତି ଯେଉଁଥିରେ ‘ଗର୍ଭାବସ୍ଥାର ଅନ୍ତିମ ପର୍ଯ୍ୟାୟରେ ଗର୍ଭପାତକୁ ଭୃଣ ହତ୍ୟା’ କହିଥିଲେ।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବି.ଭି ନାଗରତ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଜଣେ ମହିଳାଙ୍କ ପ୍ରଜନନ ସମ୍ପର୍କିତ ସ୍ୱାୟତ୍ତତା ଜନ୍ମଗ୍ରହଣ କରିନଥିବା ପିଲାର ଅଧିକାର ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଲାଇଭ ଲ ଅନୁସାରେ ସୁପ୍ରିମକୋର୍ଟ ପ୍ରଜନନ ସ୍ୱାୟତ୍ତତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ‘ଯଦି କୌଣସି ମହିଳା ନିଜର ଗର୍ଭାବସ୍ଥାକୁ ସମ୍ପୂର୍ଣ୍ଣ କରିବାକୁ ଚାହୁଁ ନଥାନ୍ତି ତେବେ କୋର୍ଟ ତାଙ୍କୁ ତାହା କରିବାକୁ ବାଧ୍ୟ କରିପାରିବନି’। ତେବେ ବମ୍ବେ ହାଇକୋର୍ଟ ଆଦେଶରେ ଚିକିତ୍ସକୀୟ ଗର୍ଭପାତ (ଏମଟିପି) ନିମନ୍ତେ ଅନୁମତି ଦେବାକୁ ମନା କରିଦେଇଥିଲେ।

ହାଇକୋର୍ଟ କିଶୋରୀଙ୍କୁ ଗର୍ଭାବସ୍ଥା ଜାରି ରଖିବାକୁ ପରାମର୍ଶ ଦେଇଥିଲେ, ଏଥିରେ ଜନ୍ମିତ ଶିଶୁକୁ ପୌଷ୍ୟ ଦେବାର ବିକଳ୍ପ ମଧ୍ୟ ସାମିଲ ଥିଲା। ଗର୍ଭାବସ୍ଥାର ଚିକିତ୍ସକୀୟ ସମାପନ (ଏମଟିପି) ସମ୍ପର୍କିତ ଭାରତୀୟ ଆଇନ ଅନୁସାରେ ଗର୍ଭବତୀ ମହିଳା ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଗର୍ଭପାତ ନିଷ୍ପତ୍ତି ନେଇ ପାରିବେ। ତେବେ ୨୪ ସପ୍ତାହର ହୋଇ ଗଲେ ଏଥି ପାଇଁ ଚିକିତ୍ସା ବୋର୍ଡର ପରାମର୍ଶ ନେବା ଆବଶ୍ୟକ ହୋଇଥାଏ। ୨୪ ସପ୍ତାହ ପରେ କେବଳ ନ୍ୟାୟାଳୟ ହିଁ ଏ ନେଇ ଅନୁମତି ଦେଇ ପାରନ୍ତି।

ତେବେ କିଶୋରୀ ୧୭ ବର୍ଷର ହୋଇଥିବା ବେଳେ ଗର୍ଭଧାରଣ କରିଥିଲେ। ଗର୍ଭାବସ୍ଥା ଏବେ ୩୦ ସପ୍ତାହରେ ପହଞ୍ଚି ସାରିଲାଣି ଓ କିଶୋରୀଙ୍କ ବୟସ ଏବେ ୧୮ ବର୍ଷ ୪ ମାସ। ସୁପ୍ରିମକୋର୍ଟ କହିଛନ୍ତି ଯେ କିଶୋରୀ ଜଣେ ବନ୍ଧୁଙ୍କ ସହିତ ସମ୍ପର୍କରୁ ଗର୍ଭବତୀ ହୋଇଛନ୍ତି ଓ ଗର୍ଭାବସ୍ଥା ଜାରି ରହିବା ଯୋଗୁ କିଶୋରୀଙ୍କୁ ଶାରୀରିକ ଓ ମାନସିକ ଉଭୟ ଆଘାତ ପହଞ୍ଚିବ। ତେବେ ଉଚ୍ଚନ୍ୟାୟାଳୟଙ୍କ ମତ ଥିଲା ସେ ପିଲାକୁ ଜନ୍ମ ଦେଇ ପାରନ୍ତି ଓ ତାକୁ ପୌଷ୍ୟ ବି ଦେଇ ପାରନ୍ତି। ସୁପ୍ରିମକୋର୍ଟ ବେଞ୍ଚ ମେଡିକାଲ ବୋର୍ଡର ରିପୋର୍ଟ ଯାଞ୍ଚ କରିବା ସହିତ ଗର୍ଭପାତ ଅନୁମତି ଦେଲେ କିଶୋରୀଙ୍କୁ ସେପରି ଗୁରୁତର ବିପଦ ନାହିଁ ବୋଲି କହିଛନ୍ତି।

ତେବେ କିଶୋରୀଙ୍କ ଓକିଲ କୋର୍ଟଙ୍କୁ ତର୍କ ଦେଇଥିଲେ ଯେ ଗର୍ଭାବସ୍ଥା ପୂରଣ କରିବାକୁ ବାଧ୍ୟ କଲେ ଯେଉଁ ଅବୈଧ ସନ୍ତାନ ଜନ୍ମ ନେବ ଓ ତତ୍ ସମ୍ପର୍କିତ ସାମାଜିକ କଳଙ୍କ କାରଣରୁ କିଶୋରୀଙ୍କୁ ଗୁରୁତର ମାନସିକ ଆଘାତ ଲାଗିବ। ଏଣୁ କୋର୍ଟ କହିଛନ୍ତି ଯେ ଯଦିଓ ଗର୍ଭପାତ ପାଇଁ ବିଳମ୍ବରେ ନିଷ୍ପତ୍ତି ନିଆଯାଇଛି ତେବେ ଆବେଦନକାରୀଙ୍କ ଅଧିକାର ରକ୍ଷା କରାଯିବା ଦରକାର। ପୀଠ କହିଛନ୍ତି ଯେ ମୁଖ୍ୟ ବିଚାରଣୀୟ ବିନ୍ଦୁ କିଶୋରୀଙ୍କ ସେହି ଗର୍ଭାବସ୍ଥାକୁ ଜାରି ରଖିବାର ଅନିଛା ଯାହା ‘ଅବୈଧ’।

ଅନ୍ତତଃ ମୂଳ କଥା ହେଉଛି ପିଲା ‘ଅବୈଧ’ ଓ ମା ତାକୁ ଜନ୍ମ ଦେବାକୁ ଚାହେଁନା। ମାର ପ୍ରଜନନ ସମ୍ପର୍କିତ ସ୍ୱାୟତ୍ତତାକୁ ଗୁରୁତ୍ୱ ଦିଆଯିବା ଦରକାର। ଯଦି କୌଣସି ମହିଳା ତାଙ୍କ ଇଛା ବିରୋଧରେ ଗର୍ଭଧାରଣ ପୂରା କରିବାକୁ ଚାହାଁନ୍ତି ତେବେ କୋର୍ଟ ତାଙ୍କୁ ତାହା କରିବା ପାଇଁ ବାଧ୍ୟ କରିପାରିବେ ନାହିଁ। ଏଣୁ ସର୍ବୋଚ୍ଚ ନ୍ୟାୟାଳୟ ଗର୍ଭାବସ୍ଥାକୁ ଚିକିତ୍ସକୀୟ ରୂପେ ସମାପ୍ତ କରିବା ପାଇଁ ଅପିଲକୁ ସ୍ୱୀକାର କରିନେଇଛନ୍ତି ଓ ଆବେଦନକାରୀଙ୍କୁ ପ୍ରକ୍ରିୟା ଲାଗି ସହମତି ଦେଇ ଏକ ଲିଖିତ ପ୍ରତିଶ୍ରୁତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।