ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଡ଼ା ତାଗିଦ କରିଛନ୍ତି। ଆୟୋଗ ଖଡଗେଙ୍କ ଦ୍ବାରା ଲେଖାଯାଇଥିବା ଏକ ଚିଠିକୁ ନେଇ ଏହି ତାଗିଦ କରିଛନ୍ତି। ଏହା ସହ ଇସିଆଇ କହିଛନ୍ତି ଖଡଗେଙ୍କ ବୟାନ ନିର୍ବାଚନ ପରିଚାଳନାରେ ବାଧା ସୃଷ୍ଟି କରିପାରେ। ସେ କହିଛନ୍ତି ମତଦାନ ତଥ୍ୟ ଜାରି କରିବା ସମ୍ବନ୍ଧରେ କଂଗ୍ରେସର ଅଭିଯୋଗ, ସଂପୂର୍ଣ୍ଣ ଭାବରେ ଭୁଲ୍।
କ’ଣ କହିଥିଲେ ଖଡଗେ ?
ପ୍ରକୃତରେ ନିକଟରେ ଖଡଗେ ମତଦାନ ତଥ୍ୟ ଜାରି କରିବା ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ସହ କଂଗ୍ରେସ ଅଧ୍ୟକ୍ଷ ମେ ୭ରେ ଇଣ୍ଡି ମେଣ୍ଟ ନେତାଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ମତଦାନ ତଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ଖଡଗେ। ଚିଠିରେ ଖଡଗେ ଅନ୍ତିମ ତଥ୍ୟ ଜାରିରେ ବିଳମ୍ବକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଏଥିରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ। ଏହା ସହ ଖଡଗେ, ଏଭଳି ହେରଫେର ବିରୋଧରେ ସ୍ବର ଉଠାଇବାକୁ ନେତା ବିରୋଧୀ ନେତାଙ୍କୁ ଅପିଲ୍ ମଧ୍ୟ କରିଥିଲେ ।
ଆଉ ଖଡଗେଙ୍କ ଏହି ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ବୟାନ ଦ୍ବାରା ନିର୍ବାଚନରେ ମତଦାତାଙ୍କ ଭାଗୀଦାରୀ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ରାଜ୍ୟରେ ବଡ଼ ନିର୍ବାଚନ ପରିଚାଳନା ପ୍ରଭାବିତ ହୋଇପାରେ।
ଆହୁରି ମଧ୍ୟ ଆୟୋଗ ଖଡଗେଙ୍କ ଦଲିଲକୁ ସ୍ପଷ୍ଟ ଭାବରେ ଖାରଜ କରିଛନ୍ତି। ଆୟୋଗ କହିଛନ୍ତି ମତଦାନ ତଥ୍ୟ ଦେବାରେ କୌଣସି ପ୍ରକାର ବିଳମ୍ବ ହୋଇନାହିଁ। ଆୟୋଗ କହିଛନ୍ତି ସବୁ ତଥ୍ୟକୁ ଧ୍ୟାନରେ ରଖି, କଂଗ୍ରେସ ଅଧ୍ୟକ୍ଷ ଏକ ପକ୍ଷପାତପୂର୍ଣ୍ଣ କାହାଣୀକୁ ଆଗକୁ ବଢ଼ାଇବା ପ୍ରୟାସ କରୁଛନ୍ତି।