ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କୁ ପ୍ରାର୍ଥୀ କଲା ବିଜେପି, ଆତଙ୍କୀ କସାବକୁ ପହଞ୍ଚାଇଥିଲେ ଫାଶୀ ଖୁଣ୍ଟରେ; ପୁନମ ମହାଜନଙ୍କ କଟିଲା ଟିକଟ

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଚର୍ଚ୍ଚିତ ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କୁ ମୁମ୍ୱାଇ ଉତ୍ତର-ମଧ୍ୟରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଲୋକସଭା ନିର୍ବାଚନକୁ ନେଇ ବିଜେପି ଶନିବାର ନିଜ ପ୍ରାର୍ଥୀଙ୍କ ୧୫ତମ ସୂଚୀ ଜାରି କରିଛି । ଏଥିରେ ଆତଙ୍କୀ କସାବକୁ ଫାଶୀ ଖୁଣ୍ଟରେ ପହଞ୍ଚାଇଥିବା ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କୁ ଟିକଟ ଦିଆଯାଇଛି । ଏହାସହ ବିଜେପି ପୁନମ ମହାଜନଙ୍କ ଟିକଟ କାଟିଛି ।

ମୁମ୍ୱାଇ ଉତ୍ତର ମଧ୍ୟ ନିର୍ବାଚନ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ବର୍ଷା ଗାଏକୱାଡଙ୍କ ବିରୋଧରେ ଉଜ୍ଜ୍ୱଳ ନିକମ ନିର୍ବାଚନ ଲଢିବେ । ଉଜ୍ଜ୍ୱଳ ନିକମ ନିଜର ଲମ୍ୱା ଓକିଲାତି କ୍ୟାରିୟରରେ ଅନେକ ଐତିହାସିକ ମାମଲାରେ ଜଡିତ ଥିଲେ । ଏଥିରେ ୧୯୯୩ ବମ୍ୱେ ବୋମା ବିସ୍ଫୋରଣ, ଗୁଲସନ କୁମାର ହତ୍ୟାକାଣ୍ଡ, ପ୍ରମୋଦ ମହାଜନ ହତ୍ୟାକାଣ୍ଡ ଏବଂ ୨୦୦୮ରେ ମୁମ୍ୱାଇ ଆକ୍ରମଣ ସମେତ ଅନେକ ମାମଲାରେ କୋର୍ଟରେ ପକ୍ଷ ରଖିଛନ୍ତି । ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉଜ୍ଜ୍ୱଳ ନିକମ ଜଳଗାଓଁରୁ ଆସୁଥିବାରୁ ଗତ ନିର୍ବାଚନରେ ବିଜେପି ତାଙ୍କୁ ଜଳଗାଓଁରୁ ପ୍ରାର୍ଥୀ କରିବା ଉପରେ ବିଚାର କରୁଥିଲା ।

ବିଜେପିର ବର୍ତ୍ତମାନର ସାଂସଦ ପୁନମ ମହାଜନଙ୍କୁ ଟିକଟ ଦେଇ ନାହିଁ । କୁହାଯାଉଛି ଯେ ତାଙ୍କ ବିରୋଧରେ ବିଜେପିର ଅନେକ ନିର୍ବାଚନୀ ସର୍ଭେରେ ନକାରାତ୍ମକ ରେଟିଂ ମିଳିଥିଲା । ପୁନମ ମହାଜନ ୨୦୧୪ ଏବଂ ୨୦୧୯ରେ କଂଗ୍ରେସର ପ୍ରିୟା ଦତ୍ତଙ୍କୁ ହରାଇ ବିଜୟୀ ହୋଇଥିଲେ । କିଛି ରିପୋର୍ଟ ଦାବି କରାଯାଉଥିଲା ଯେ ବିଜେପି ଏହି ଆସନ ପାଇଁ ବଲିଓଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସହ ଯୋଗାଯୋଗ କରିଥିଲା । ମୁମ୍ୱାଇ ବିଜେପି ମୁଖ୍ୟ ଆଶୀଷ ସେଲାର ନାଁରେ ମଧ୍ୟ ଚର୍ଚ୍ଚା ହୋଇଥିଲା, କିନ୍ତୁ ସେ କଥିତ ରୂପେ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.