ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି। କୋଚିଂ ସେଣ୍ଟରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ଜଣେ ଟ୍ୟୁସନ ସାର୍ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଚକେଇସିଆଣୀ ଅଞ୍ଚଳର ନିରଞ୍ଜନ ମିଶ୍ର। ପୋଲିସ ତାଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି।

କୋଚିଂ ସେଣ୍ଟରରେ ରଚିଥିଲେ ପାପର ସଂସାର

ସୂଚନା ଅନୁଯାୟୀ, ନିରଞ୍ଜନ ମିଶ୍ର ନିଜ କୋଚିଂ ସେଣ୍ଟରକୁ ପାଠ ପଢ଼ିବାକୁ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ବିଶ୍ୱାସର ସହ ପରିବାର ଲୋକେ ଝିଅକୁ ପାଠ ପଢ଼ାଇବା ପାଇଁ ତାଙ୍କ ପାଖକୁ ପଠାଉଥିବା ବେଳେ, ଶିକ୍ଷକ ଜଣକ ଏହାର ସୁଯୋଗ ନେଇ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିଲେ।

Also Read: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ପାପୀ ଟିଉସନ୍ ସାର୍ଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ

ଥାନାରେ ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ

ଏହି ସମ୍ବେଦନଶୀଳ ଘଟଣା ବାବଦରେ ଜାଣିବା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ମହିଳା ଥାନାରେ ଏକ ଲିଖିତ ଏତଲା ଦାୟର କରାଯାଇଥିଲା। ଅଭିଯୋଗକୁ ଗମ୍ଭୀରତାର ସହ ନେଇ ମହିଳା ଥାନା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଅଭିଯୁକ୍ତ ନିରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପବିତ୍ର ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକଙ୍କ ଏଭଳି କାରନାମାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।