ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ତାରକା ହୋଟେଲରେ ଚାଲିଥିବା ରଙ୍ଗୀନ ନାଇଟ୍ ପାର୍ଟି ଶେଷରେ ରକ୍ତରଞ୍ଜିତ ହୋଇଛି। ନିଜକୁ 'ଡିସିପିଙ୍କ ଭଣଜା' ଏବଂ ବଡ଼ବଡ଼ିଆ ପୋଲିସ ବାବୁଙ୍କ ସମ୍ପର୍କୀୟ କହି ହୋଟେଲ ଭିତରେ ଆତଙ୍କ ଖେଳାଇଥିବା ୩ ଜଣ ଉଚ୍ଚଶିକ୍ଷିତ ଯୁବକଙ୍କୁ ଶେଷରେ ବାନ୍ଧିଛି ପୋଲିସ। ଗିରଫ ହୋଇଥିବା ଏହି ୩ ଅଭିଯୁକ୍ତ ହେଉଛନ୍ତି ବିଟେକ୍) ପାସ୍ଆଉଟ୍ ଯୁବକ। ନୟାପଲ୍ଲୀ ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁଣ୍ୟ ପ୍ରସନ୍ନ ମହାନ୍ତି, ଆଶୀର୍ବାଦ ଧୀର ଏବଂ ନିଖିଲ କୁମାର ସାହୁ।

ନାଇଟ୍ ପାର୍ଟି ପାଲଟିଗଲା 'ନାଇଟ୍ ମେୟାର୍'

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ହୋଟେଲରେ ନାଇଟ୍ ପାର୍ଟି ଚାଲିଥିଲା। ଏହି ସମୟରେ କୌଣସି ଏକ ସାମାନ୍ୟ କଥାକୁ ନେଇ ସେଠାରେ ଉପସ୍ଥିତ ଅନ୍ୟ ତିନି ଜଣ ଯୁବକଙ୍କ ସହ ଏମାନଙ୍କର ବଚସା ହୋଇଥିଲା। ଗଣ୍ଡଗୋଳ ଏତେ ବଢ଼ିଯାଇଥିଲା ଯେ ଅଭିଯୁକ୍ତମାନେ ଅତି ନିର୍ମମ ଭାବେ ଅନ୍ୟ ପକ୍ଷର ତିନି ଜଣଙ୍କୁ ଆକ୍ରମଣ କରିଥିଲେ। ମାଡ଼ ମାରି ସେମାନଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ କରିଦେଇଥିଲେ। ହୋଟେଲ ଭିତରେ ରକ୍ତର ରଞ୍ଜିତ ହେବା ସହ ପାର୍ଟିର ମାହୋଲ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା।

Also Read: ନେପାଳ ସୀମାରୁ ହାଇପ୍ରୋଫାଇଲ୍ ଠକ ଗିରଫ, ଲୋକଙ୍କ ଠାରୁ ଠକିଥିଲେ ୫ କୋଟି ଟଙ୍କା !

ପୋଲିସର ସଂପର୍କୀୟ କହି ଖସିବାକୁ କରିଥିଲେ ଚେଷ୍ଟା

ମାରପିଟ୍ କରିବା ପରେ ଘଟଣାସ୍ଥଳରୁ ଖସିଯିବା ପାଇଁ ଅଭିଯୁକ୍ତମାନେ ନିଜକୁ କମିଶନରେଟ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀ (DCP) ଙ୍କ ଭଣଜା ଏବଂ ସମ୍ପର୍କୀୟ ବୋଲି ପରିଚୟ ଦେଇ ଭାଉ ଦେଖାଇଥିଲେ। ହେଲେ ନୟାପଲ୍ଲୀ ଥାନା ପୋଲିସ ତୁରନ୍ତ ଆକ୍ସନ ମୋଡ୍କୁ ଆସି ତିନି ଜଣଙ୍କୁ କାବୁ କରିଥିଲା।

ଗିରଫ ଯୁବକଙ୍କ ମଧ୍ୟରୁ ଜଣେ 'ମୋଷ୍ଟ ୱାଣ୍ଟେଡ୍'

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ଯୁବକମାନେ କୌଣସି ସାଧାରଣ ଅପରାଧୀ ନୁହନ୍ତି, ବରଂ ସେମାନେ ସଫ୍ଟୱେର୍ କମ୍ପାନୀରେ କାମ କରନ୍ତି। ତେବେ ଏହି ପୂରା ଗଣ୍ଡଗୋଳର ମାଷ୍ଟରମାଇଣ୍ଡ ହେଉଛି ପୁଣ୍ୟ ପ୍ରସନ୍ନ ମହାନ୍ତି, ଯିଏ କି ଜଣେ ଇଭେଣ୍ଟ ଅର୍ଗାନାଇଜର ଭାବେ କାମ କରେ। ତା’ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୧୨ରୁ ଅଧିକ ଅପରାଧିକ ମାମଲା ରହିଛି। ବିଶେଷ କରି ଇନଫୋସିଟି ଥାନା ଅଞ୍ଚଳରେ ତା’ର ଏକାଧିକ କାରନାମା ଥିବା ସୂଚନା ମିଳିଛି। ବାକି ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ସଫ୍ଟୱେର୍ କମ୍ପାନୀରେ ଚାକିରି କରୁଛନ୍ତି। ପୋଲିସ ଏବେ ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଛି।

Also Read: କରଞ୍ଜିଆରେ ଡବଲ ମର୍ଡର, ମା-ଝିଅଙ୍କ ବେକ କାଟି ଦେଲା ବାପା