ଭୁବନେଶ୍ୱର: ସୋସିଆଲ ମିଡିଆରୁ ସଂପର୍କ, ତା’ପରେ ପ୍ରେମ ଏବଂ ଶେଷରେ ସର୍ବନାଶ। ଲଭ୍, ସେକ୍ସ ଏବଂ ଧୋକା। ରାଜଧାନୀ ଭୁବନେଶ୍ୱରରେ ପୁଣି ସାମ୍ନାକୁ ଆସିଛି ପ୍ରେମ, ପ୍ରତାରଣା ଓ ବ୍ଲାକମେଲିଂର କଳା କାହାଣୀ। ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଏବଂ ଶେଷରେ ଜୀବନରେ ମାରିଦେବାକୁ ଧମକ। ତେବେ ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ପୋଲିସ ଜାଲରେ ଛନ୍ଦି ହୋଇଛି ପ୍ରତାରକ ପ୍ରେମିକ। ଅଭିଯୁକ୍ତ ଜଣକ ହେଉଛନ୍ତି କନ୍ଧମାଳ ଅଞ୍ଚଳର ଦେବାଶିଷ ପ୍ରଧାନ।

ମିଳିଥିବା ସୂଚନା ମୁତାବକ, ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ମାଧ୍ୟମରେ ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମର ରୂପ ନେଇଥିଲା। ପ୍ରେମ ଏତେ ନିବିଡ଼ ହୋଇଥିଲା ଯେ, ଦେବାଶିଷ ଭୁବନେଶ୍ୱର ଆସି ଯୁବତୀଙ୍କ ସହ ଲିଭ୍-ଇନ୍ରେ ରହିଥିଲେ। ରାଜଧାନୀର ଏକ ଭଡ଼ାଘରେ ସ୍ୱାମୀ-ସ୍ତ୍ରୀ ଭଳି ଦୁହେଁ ରହୁଥିଲେ।

ଆରୋପ ଅନୁଯାୟୀ, ଲିଭ୍-ଇନ୍ରେ ରହିବା ସମୟରେ ଯୁବତୀଙ୍କ ଇଚ୍ଛା ବିରୋଧରେ ଅଭିଯୁକ୍ତ ଦେବାଶିଷ ବାରମ୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଯେତେବେଳେ ବି ବିବାହ ପାଇଁ ଜିଦ୍ କରୁଥିଲେ, ଦେବାଶିଷ କୌଣସି ନା କୌଣସି ବାହାନା କରି କଥାକୁ ଏଡ଼ାଇ ଯାଉଥିଲେ।

ହେଲେ ଏହି ପ୍ରେମ କାହାଣୀରେ ଟ୍ୱିଷ୍ଟ ସେତେବେଳେ ଆସିଲା, ଯେତେବେଳେ ଦେବାଶିଷ ଯୁବତୀଙ୍କୁ ଭୁବନେଶ୍ୱରରେ ଏକା ଛାଡ଼ି ନିଜ ଗାଁ କନ୍ଧମାଳକୁ ପଳାଇଥିଲେ। ଗାଁକୁ ଯିବା ପରେ ଦେବାଶିଷଙ୍କ ରଙ୍ଗ ଢଙ୍ଗ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ଆଉ ରାଜଧାନୀକୁ ଫେରିନଥିଲେ। ଏପରିକି ପୀଡ଼ିତାଙ୍କ ଫୋନ୍ ନମ୍ବରକୁ ମଧ୍ୟ ବ୍ଲକ୍ କରିଦେଇଥିଲେ। ଯୁବତୀ ଜଣକ ଅନ୍ୟ ନମ୍ବରରୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ, ଦେବାଶିଷ ତାଙ୍କୁ ଓଲଟା ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେଇଥିଲେ। ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ପୋଲିସ ଜାଲରେ ଛନ୍ଦି ହୋଇଛି ପ୍ରତାରକ ପ୍ରେମିକ। ଅଭିଯୁକ୍ତ ଜଣକ ହେଉଛନ୍ତି କନ୍ଧମାଳ ଅଞ୍ଚଳର ଦେବାଶିଷ ପ୍ରଧାନ।