ଭୁବନେଶ୍ୱର: ପାର୍ବଣ ଋତୁରେ ରାଜଧାନୀରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିଶନରେଟ୍ ପୋଲିସ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍‌କୁ ଆସିଛି। ଗତକାଲି କୋଲକାତାର ଏକ ପୂଜା ମଣ୍ଡପ ନିକଟରେ ଘଟିଥିବା ଭୟଙ୍କର ଦଳାଚକଟା ଘଟଣାରୁ ଶିକ୍ଷା ନେଇ ଟ୍ୱିନ୍ ସିଟି ପୋଲିସ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି। ବିଶେଷ କରି ପୂଜା ମଣ୍ଡପଗୁଡ଼ିକରେ କିଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ, ସେଥିପାଇଁ ଭିଡ଼ ନିୟନ୍ତ୍ରଣ ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।

ପୂଜା ମଣ୍ଡପଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯେପରି ଅନାବଶ୍ୟକ ଭିଡ଼ ନଜମେ, ସେଥିପ୍ରତି ସତର୍କ ରହିବାକୁ ଭୁବନେଶ୍ୱର ଡିସିପି ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କୁ ଅନୁରୋଧ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟକ୍ଷ ସମୀକ୍ଷା ପାଇଁ ପୋଲିସ କମିଶନର (ସିପି), ଡିସିପି ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ନିଜେ କ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି। ଆସନ୍ତାକାଲି ଠାରୁ ଏହି ତଦାରଖ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯିବ।

Also Read: ପଶ୍ଚିମବଙ୍ଗ ଦୁର୍ଗାପୂଜା ପେଣ୍ଡାଲରେ ଦଳାଚକଟା : ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି, ୩୫ରୁ ଅଧିକ ଆହତ

ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ସମସ୍ତ ପୂଜା କମିଟି ସଦସ୍ୟଙ୍କୁ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ମଣ୍ଡପରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ଅବହେଳା କିମ୍ବା ନିୟମ ଭଙ୍ଗ କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କଡ଼ା ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ଭୟଙ୍କର ଦଳାଚକଟା ହୋଇଛି। ଏଥିରେ ମୃତକଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିବା ବେଳେ ଏବେ ମଧ୍ୟ ଅନେକ ଗୁରୁତର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣାକୁ ନେଇ ଏବେ ଭୁବନେଶ୍ଵର ପୋଲିସ କମିଶନରେଟ୍ ପୋଲିସ ଆଲର୍ଟ ମୋଡକୁ ଆସିଛି। ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି।