ଭୁବନେଶ୍ୱର : କଟକ ବାଲିଯାତ୍ରା ପରେ ଏବେ ଭୁବନେଶ୍ୱର ବାଲିଯାତ୍ରାକୁ ନେଇ ଆରମ୍ଭ ହୋଇଛି ବଡ଼ ପ୍ରସ୍ତୁତି। ରାଜଧାନୀରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରାର ସୁଚାରୁ ପରିଚାଳନା ପାଇଁ ଗଠନ ହେବ ଷ୍ଟିୟରିଂ କମିଟି। ଆୟୋଜନକୁ ଭବ୍ୟ ଓ ସୁସଂଗଠିତ କରିବା ସହ ଲୋକଙ୍କ ସୁବିଧା ଉପରେ ରହିବ ଗୁରୁତ୍ୱ। ବାଲିଯାତ୍ରା ଆୟୋଜନକୁ ନେଇ ବଢ଼ିଛି ଉତ୍ସାହ। ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ପରମ୍ପରା ଓ ଐତିହ୍ୟକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଆୟୋଜନକୁ ଗୁରୁତ୍ୱ ଦିଆଯାଉଛି।

ବାଲିଯାତ୍ରାର ପରିଚାଳନା ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ଆୟୋଜନର ବିଭିନ୍ନ ଦିଗ ଯେପରିକି ଲୋକଙ୍କ ସୁରକ୍ଷା, ଟ୍ରାଫିକ୍ ପରିଚାଳନା , ପରିମଳ ବ୍ୟବସ୍ଥା , ଆଲୋକୀକରଣ, ପାନୀୟ ଜଳ ଓ ଭିଡ଼ ନିୟନ୍ତ୍ରଣ ଭଳି ବ୍ୟବସ୍ଥା ଉପରେ କମିଟି ନଜର ରଖିବ। ବିଶେଷକରି ମେଳାକୁ ଆସୁଥିବା ଲୋକଙ୍କ ଯାତାୟାତ ଓ ସୁରକ୍ଷାକୁ ଦିଆଯିବ ପ୍ରାଥମିକତା। ଆୟୋଜନ ସ୍ଥଳରେ ଭିଡ଼ ପରିଚାଳନା ସହ ପାର୍କିଂ ବ୍ୟବସ୍ଥା ଓ ଜରୁରୀକାଳୀନ ସେବାକୁ ନେଇ ମଧ୍ୟ ଯୋଜନା କରାଯିବ। ଏହାସହ ବାଲିଯାତ୍ରାରେ ଓଡ଼ିଆ ଖାଦ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ, ବ୍ୟବସାୟିକ ଷ୍ଟଲ୍ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନ ଦେବା ନେଇ ଯୋଜନା ରହିପାରେ। ଲୋକଙ୍କ ପାଇଁ ମନୋରଞ୍ଜନ ସହ ଓଡ଼ିଆ ଐତିହ୍ୟ ଓ ପରମ୍ପରାର ପ୍ରଦର୍ଶନ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ହେବ।

ଏହି ପ୍ରସ୍ତୁତିରେ ଷ୍ଟିୟରିଂ କମିଟିର ଭୂମିକା ରହିବ ଗୁରୁତ୍ୱପୂର୍ଣ୍ଣ। କାରଣ ଏକାଧିକ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆୟୋଜନକୁ ସଫଳ କରିବା ଦିଗରେ କମିଟି କାମ କରିବ । ତେବେ ଚୂଡ଼ାନ୍ତ ଯୋଜନା ଓ କାର୍ଯ୍ୟକ୍ରମ ନେଇ ଆଗାମୀ ଦିନରେ ସ୍ପଷ୍ଟ ସୂଚନା ମିଳିପାରେ । ଭୁବନେଶ୍ୱର ବାଲିଯାତ୍ରାକୁ ନେଇ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ, ଷ୍ଟିୟରିଂ କମିଟି ଗଠନ ପରେ ଆୟୋଜନର ରୂପରେଖା ଆହୁରି ସ୍ପଷ୍ଟ ହେବ। ରାଜଧାନୀରେ ବାଲିଯାତ୍ରା କିଭଳି ରୂପ ନେବ, ତା' ଉପରେ ଏବେ ସମସ୍ତଙ୍କ ନଜର।