ଢେଙ୍କାନାଳ ୧୮।୫: ଢେଙ୍କାନାଳ ଭୁବନ ରାଜସ୍ୱ ନିରୀକ୍ଷକଙ୍କୁ ବହିଷ୍କାର ନିର୍ଦ୍ଦେଶ । ଏହାସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ । ଲାଞ୍ଚ ନେବା ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ରାଜସ୍ୱ ନିରୀକ୍ଷକ । ଗଁନ୍ଦିଆ ତହସିଲ ଷଢଙ୍ଗୀରେ ଆରଆଇ ଥିବାବେଳେ ସ୍ବତ୍ତାଧିକାରୀ ପ୍ରମାଣପତ୍ର ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କରିଥିଲା ଭିଜିଲାନ୍ସ ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣେ ରାଜସ୍ୱ ନିରୀକ୍ଷକ ଦୋଷୀ ସବ୍ୟସ୍ତ ହୋଇଛନ୍ତି । ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଲାଞ୍ଚ ମାମଲାର ବିଚାର କରି ସୋମବାର ଏହି ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ଓ ଆର୍ଥିକ ଜରିମାନା ସହିତ ତାଙ୍କୁ ଚାକିରିରୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲାଞ୍ଚ ମାମଲାରେ ଦଣ୍ଡିତ ହୋଇଥିବା ଏହି ଆରଆଇ ଜଣଙ୍କ ଢେଙ୍କାନାଳ ଭୁବନ ତହସିଲ ଅନ୍ତର୍ଗତ ଭୁବନ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ପ୍ରଭାତୀ ସ୍ୱାଇଁ ।

Also Read:- ପେଟପାଟଣା ପାଇଁ ରୁଷିଆ ଯାଇଥିଲେ ଗଞ୍ଜାମ ଯୁବକ, ୟୁକ୍ରେନ୍ ଡ୍ରୋନ୍ ନେଇଗଲା ଜୀବନ

ପ୍ରଭାତୀ ପୂର୍ବରୁ ଗଁନ୍ଦିଆ ତହସିଲ ଅନ୍ତର୍ଗତ ଷଢଙ୍ଗୀ ରାଜସ୍ୱ ସର୍କଲର ଆରଆଇ ଥିବାବେଳେ ୨୦୧୬ ମସିହା ସେପ୍ଟେମ୍ବର ୨୮ ତାରିଖରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସ୍ୱତ୍ତାଧିକାରୀ ପ୍ରମାଣପତ୍ର ପାଇଁ ସେ ଏହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହିତ କାବୁ କରିଥିଲା । ସେତେବେଳେ ସେ ନିଲମ୍ବିତ ହୋଇ ପରେ ଭୁବନ ରାଜସ୍ୱ ନିରୀକ୍ଷକ ଭାବେ ପୁନଃ ଥଇଥାନ ହୋଇଥିଲେ । ତେବେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କର ମାମଲା ଚାଲୁରହିଥିଲା । ସୋମବାର ଢେଙ୍କାନାଳ ଭିଜିଲାନ୍ସ କୋର୍ଟ ଏହି ମାମଲାର ଶୁଣାଣି କରିବା ସହିତ ପ୍ରଭାତୀଙ୍କୁ ଚାକିରିରୁ ବହିଷ୍କାର ପାଇଁ ତାଙ୍କ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।