ଦିଗପହଣ୍ଡି ୧୮।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ୟୁକ୍ରେନ୍‌ର ଡ୍ରୋନ୍ ମାଡ଼ରେ ଟଳିପଡ଼ିଲେ ଓଡ଼ିଆ ଯୁବକ । ମୃତକ ଗଞ୍ଜାମ ଚିକିଟି ବ୍ଲକ୍ ମାଧବନ୍ଧ ଗାଁର ଏ. ରାମେୟା ବୋଲି ଜଣାପଡିଛି । ମାସେ ତଳେ କାମ କରିବାକୁ ରୁଷିଆ ଯାଇଥିଲେ ରାମେୟା । ଏନେଇ ସ୍ପଷ୍ଟ କଲେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ।

ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଥିବା ଜିଲ୍ଲାପାଳ କହିଛନ୍ତି । ଏ. ରାମେୟାଙ୍କ ମୃତଦେହ ଫେରାଇ ଆଣିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି । ତେବେ ଏ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କେବେ ରମେୟାଙ୍କ ମୃତଦେହ ଫେରୁଛି ତା ଉପରେ ରହିଛି ନଜର ।

Also Read:- Gunpoint Loot: ଗାଡ଼ିକୁ ପିଛା କଲେ, ଅଧରାସ୍ତାରେ ଗୁଳି ଫୁଟାଇ ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା

ଉଲ୍ଲେଖଯୋଗ୍ୟ ଯେ, ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍ ରବିବାର ଜୋରଦାର ଡ୍ରୋନ୍ ଆକ୍ରମଣ କରିଥିଲା । ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଅନେକ ଆହତ ହୋଇଥିଲେ । ଆକ୍ରମଣରେ ଜଣେ ଭାରତୀୟ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲା । ଦୂତାବାସ ଅଧିକାରୀ ମାନେ ଆକ୍ରମଣସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲ ଯାଇ ଆହତ ଭାରତୀୟ କର୍ମଚାରୀଙ୍କୁ ଭେଟିଥିଲେ । ଭାରତୀୟ କର୍ମଚାରୀଙ୍କ ମୃତ୍ୟୁରେ ଦୂତାବାସ ପକ୍ଷରୁ ଶୋକବ୍ୟକ୍ତ କରାଯାଇଥିଲା । କର୍ମଚାରୀମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି ଦୂତାବାସ ପକ୍ଷରୁ ଅବଗତ କରାଯାଇଥିଲା ।