ପାଟନା: ସାଂଘାତିକ ଅପରାଧର ମାଷ୍ଟମାଇଣ୍ଡ ୨୦୧୫ରୁ ଫେରାର ହୋଇଯାଇଥିଲା । ଅପହରଣ, ହତ୍ୟା ଷଡ଼ଯନ୍ତ୍ର, ହତ୍ୟା, ବେଆଇନ୍ ଅସ୍ତ୍ର ଚାଲାଣ ଭଳି ଗୁରୁତର ମାମଲାରେ ଦୋଷୀ ସାବ୍ୟସ୍ତ ଏହି ଅପରାଧୀକୁ ପୋଲିସ ୧୧ ବର୍ଷ ଧରି ଖୋଜୁଥିଲା । କିନ୍ତୁ ଏବେ ସିବିଆଇ ହାତରେ ଲାଗିଛି କୁଖ୍ୟାତ ଅପରାଧୀ ଭୋଲା ସିଂହ । ଜଣେ ପୂର୍ବତନ ବିଧାୟକଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା ଭୋଲା । ତାକୁ ସିବିଆଇ ଗିରଫ କରିବା ପରେ ଭୋଲା ଏବେ ଜେଲରେ ରହିବ । ତେବେ ଏହି ଅପରାଧୀ ଭୋଲା ସିଂହ କିଏ, ଆସନ୍ତୁ ଜାଣିବା ।

ଫେରାର ହୋଇଯାଇଥିଲା ଭୋଲା ସିଂହ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୋମବାର ଗୁଜୁରାଟ ସୁରଟରୁ ଭୋଲା ସିଂହ ଓରଫ ଗୌତମ କୁମାର ଓରଫ ଅମିତ ଶର୍ମାଙ୍କୁ ଗିରଫ କରିଛି । ବିହାର ବାସିନ୍ଦା ଭୋଲା ସେଠାରେ ଗତ ୧୧ ବର୍ଷ ଧରି ଲୁଚି ରହିଥିଲା । କୋଲକାତାରୁ ଦୁଇ ବ୍ୟକ୍ତିଙ୍କୁ ଅପହରଣ ମାମଲାରେ ଭୋଲାକୁ ଗିରଫ କରାଯାଇଛି । ଭୋଲା ବିରୋଧରେ ବିହାରର ବିଭିନ୍ନ ଥାନାରେ ୧୧ଟି ଅପରାଧିକ ମାମଲା ରହିଛି । ଏହି ସବୁ ମାମଲାରେ ଓ୍ବାଣ୍ଟେଡ୍ ଥିଲା ଭୋଲା । ଏଥିରେ ଅପହରଣ, ହତ୍ୟା ଉଦ୍ୟମ, ହତ୍ୟା, ଅବୈଧ ଅସ୍ତ୍ରଶସ୍ତ୍ର ବ୍ୟବହାର ଏବଂ ପାଖରେ ବିସ୍ଫୋରକ ରଖିବା ଭଳି ମାମଲା ସାମିଲ ।

ନକଲି ନାଁ, ନକଲି ପରିଚୟପତ୍ର

୨୦୧୫ ମସିହାରେ ତଦନ୍ତ ଆରମ୍ଭ ହେବା ପରଠାରୁ ଭୋଲା ସିଂହ ଫେରାର୍ ଥିଲା ଏବଂ ଅମିତ ଶର୍ମା ନାମରେ ଏକ ନକଲି ପରିଚୟପତ୍ର ବ୍ୟବହାର କରି ସୁରଟରେ ଲୁଚି ରହିଥିଲା । ବହୁ ତନାଘନା ପରେ ସିବିଆଇ ଅଭିଯୁକ୍ତ ଭୋଲା ସିଂହକୁ ଗିରଫ କରିଛି। ଭୋଲା ସିଂହକୁ କୋଲକାତା ଆଣିବା ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ସୁରଟର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି। ପରେ, ତାକୁ ହେପାଜତକୁ ନିଆଯିବ ଏବଂ ପଚରାଉଚରା ପାଇଁ ପୋଲିସ ହେପାଜତକୁ ପଠାଯିବ। ପରବର୍ତ୍ତୀ ସମୟରେ ଭୋଲା ସିଂହକୁ କୋଲକାତା ହାଇକୋର୍ଟରେ ହାଜର କରାଯିବ।

ଭୋଳା ସିଂହ ମୁଣ୍ଡ ଉପରେ ଥିଲା ୩ ଲକ୍ଷ ଟଙ୍କାର ପୁରସ୍କାର

ଭୋଲା ସିଂହ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା। କୋଲକାତାରେ ଦୁଇଜଣଙ୍କୁ ଅପହରଣ କରିବା ମାମଲାରେ ସିବିଆଇ ଦୀର୍ଘ ଦିନ ଧରି ଚଢାଉ କରି ଆସୁଥିଲା। ସେ ସୁରଟରେ ଅମିତ ଶର୍ମା ନାମରେ ରହୁଥିଲା ବୋଲି ସୂଚନା ମିଳିଥିଲା। ସିବିଆଇ ଚଢାଉ କରି ସୁରଟର ଏକ ଘରୁ ତାକୁ ଗିରଫ କରିଛି । ଭୋଲା ସିଂହ ମୋକାମାର ପୂର୍ବତନ ବିଧାୟକ ଅନନ୍ତ ସିଂହଙ୍କ ସହିତ ଏନଟିପିସିର ଠିକା କାମ କରୁଥିଲା । ଏହା ପରେ, ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା ।

ଅନନ୍ତ ସିଂହଙ୍କ ସହ ୨ କୋଟି ଟଙ୍କାକୁ ନେଇ ବିବାଦ ହୋଇଥିଲା

୨୦୧୦ ମସିହାରେ ଅନନ୍ତ ସିଂହ ଏବଂ ଭୋଳା ସିଂହଙ୍କ ମଧ୍ୟରେ ଦୁଇ କୋଟି ଟଙ୍କା ପାଇଁ ବିବାଦ ହୋଇଥିଲା। ଏହା ପରେ, ସେମାନେ ଦୁହିଁଙ୍କ ସଂପର୍କରେ ତିକ୍ତତା ଆସିଥିଲା । ଏହି ସମୟ ମଧ୍ୟରେ ଅନନ୍ତ ସିଂହ ଭୋଳା ସିଂହଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବାର ଏକ ଅଡିଓ ରେକର୍ଡିଂ ଭାଇରାଲ ହୋଇଥିଲା। ଶତ୍ରୁତା ଏତେ ବୃଦ୍ଧି ପାଇଥିଲା ଯେ, ସେମାନେ ପରଷ୍ପର ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଥିଲେ । ସେମାନେ ଅନେକ ଥର ପରଷ୍ପରକୁ ହତ୍ୟା କରିବାକୁ ଚେଷ୍ଟା ମଧ୍ୟ କରିଥିଲେ।