ପଟ୍ଟାମୁଣ୍ଡାଇ ୨।୧: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳ ଓ ନଦୀକୁ ସଂଯୋଗ କରୁଥିବା ଅଞ୍ଚଳରେ ବଉଳା କୁମ୍ଭୀର ମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ । ବଉଳା କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କର, ରାଜନଗର ଡିଏଫ୍ଓ ଭରତଦ୍ୱାଜ ଗାୟକୱାଡଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କାର୍ଯ୍ୟ କରାଯିବ l ମୁଖ୍ୟତଃ ୮, ୯ ଓ ୧୦ ତାରିଖ ବନଖଣ୍ଡ ପକ୍ଷରୁ ୫୧ଟି ଜାଗାରେ କୁମ୍ଭୀର ଗଣନା କରାଯିବ । ଏହି ୩ ଦିନ ଧରି ଦେଶବିଦେଶର ପର୍ଯ୍ୟଟକ ମାନଙ୍କୁ ଭିତରକନିକା ପରିଭ୍ରମଣ ସଂପୂର୍ଣ୍ଣ ନିଷେଧ କରାଯିବ । ତେଣୁ ୮,୯ ଓ ୧୦ ତାରିଖରେ ଭିତରକନିକା ବୁଲିବାକୁ ପ୍ଲାନ୍ କରିଥିଲେ ପ୍ଲାନ୍ ପରିବର୍ତ୍ତନ କରନ୍ତୁ ପର୍ଯ୍ୟଟକ ବୋଲି କୁହାଯାଉଛି l ୭ ତାରିଖରେ ଗଣନା ସଂପର୍କିତ ଶିକ୍ଷା ଦିଆଯିବା ସହ ବିଭିନ୍ନ ବନାଞ୍ଚଳ ରେଞ୍ଜରେ ଟିମ୍ ଗଠନ କରାଯିବ । ୮,୯ ଓ ୧୦ ତାରିଖ କୁମ୍ଭୀର ଗଣନା କରାଯିବା ସହ ୧୧-୧୨ ତାରିଖ ସୁଦ୍ଧା ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନଗର ଡିଏଫ୍ଓ ଭରତଦ୍ୱାଜ ଗାୟକୱାଡ l