ନୂଆଦିଲ୍ଲୀ: ଭାରତରେ ସଡ଼କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏଣିକି କେବଳ ଗାଡ଼ିର କ୍ରାସ୍ ଟେଷ୍ଟ କରି ଏହାର ସୁରକ୍ଷା ରେଟିଂ ଦିଆଯିବ ନାହିଁ, ବରଂ ଗାଡ଼ି, ଡ୍ରାଇଭର ଏବଂ ଦୁର୍ଘଟଣା ସମୟର ସୁରକ୍ଷାକୁ ନେଇ ଏକ ବ୍ୟାପକ ସେଫ୍ଟି ସିଷ୍ଟମ୍‌ ଆଣିବାକୁ ପ୍ରସ୍ତୁତି ଚଳାଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ୨୦୨୭ରୁ Bharat NCAP 2 ଆରମ୍ଭ କରିବା ଦିଗରେ ସରକାର ଆଗକୁ ବଢ଼ୁଛନ୍ତି। ନୂଆ ବ୍ୟବସ୍ଥାରେ ଗାଡ଼ିର ସୁରକ୍ଷାକୁ ପୂର୍ବାପେକ୍ଷା ଅଧିକ ବ୍ୟାପକ ଭାବେ ମୂଲ୍ୟାୟନ କରାଯିବ।

କେବଳ କ୍ରାସ୍ ଟେଷ୍ଟ ନୁହେଁ, ପୂରା ସେଫ୍ଟି ଚେନ୍‌ର ହେବ ମୂଲ୍ୟାୟନ

ବର୍ତ୍ତମାନ ଭାରତରେ ଚାଲୁଥିବା Bharat NCAP ବ୍ୟବସ୍ଥାରେ ମୁଖ୍ୟତଃ କାର୍‌ର କ୍ରାସ୍ ଟେଷ୍ଟ କରାଯାଇ ଏହାର ସୁରକ୍ଷା ମାନ ନିର୍ଦ୍ଧାରଣ କରାଯଉଛି। ଏଥିରେ ବୟସ୍କ ଯାତ୍ରୀ ଏବଂ ଶିଶୁଙ୍କ ସୁରକ୍ଷା ସମେତ ବିଭିନ୍ନ ମାନଦଣ୍ଡକୁ ଦେଖାଯାଏ। ଏହା ଆଧାରରେ ଗାଡ଼ିକୁ ୧ରୁ ୫ ଷ୍ଟାର୍ ପର୍ଯ୍ୟନ୍ତ ସୁରକ୍ଷା ରେଟିଂ ଦିଆଯାଏ।

କିନ୍ତୁ Bharat NCAP 2ରେ ଏହି ପରୀକ୍ଷଣକୁ ଆହୁରି ବ୍ୟାପକ କରିବାକୁ ଯୋଜନା କରାଯାଉଛି। ଦୁର୍ଘଟଣା ଘଟିବା ପୂର୍ବରୁ, ଦୁର୍ଘଟଣା ସମୟରେ ଏବଂ ଦୁର୍ଘଟଣା ପରେ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ଦିଗକୁ ନଜରରେ ରଖାଯିବ। ଗଡ଼କରୀଙ୍କ କହିବା ଅନୁସାରେ, ସରକାର ଦୁର୍ଘଟଣା ସହ ଜଡ଼ିତ ସମ୍ପୂର୍ଣ୍ଣ ଭ୍ୟାଲୁ ଚେନ୍‌ର ମୂଲ୍ୟାୟନ କରିବାକୁ ଚାହୁଁଛନ୍ତି। ଏଥିରେ ନୂଆ ଟେକ୍ନୋଲୋଜି ସହ ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକ ବିକଶିତ କରୁଥିବା ସୁରକ୍ଷା ଟେକ୍ନୋଲୋଜୀକୁ ମଧ୍ୟ ସାମିଲ କରାଯାଇପାରେ।

Also Read- ଓଡିଶାରେ ପରୀକ୍ଷା ହେଲା ଦ୍ରୁତ ଇଣ୍ଟରସେପ୍ଟର ଡ୍ରୋନ୍ ‘ଆହୁତି Mk-II’: ଆକାଶରେ ଧ୍ୱଂଶ କରିବ ଶତ୍ରୁ ଡ୍ରୋନ୍, ତିନ୍ତାରେ ଚୀନ ଓ ଆମେରିକା

ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା

ଭାରତରେ ସଡ଼କ ସୁରକ୍ଷାର ସ୍ଥିତି କେତେ ଗମ୍ଭୀର, ତାହା ଦୁର୍ଘଟଣାର ପରିସଂଖ୍ୟାନରୁ ଅନୁମାନ କରାଯାଇପାରେ। ଦେଶରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ପ୍ରାୟ ୧.୮୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି।

ଗଡ଼କରୀ କହିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ ଜୀବନ ହରାଉଥିବା ଲୋକଙ୍କ ମଧ୍ୟରେ ୧୮ରୁ ୩୬ ବର୍ଷ ବୟସର ଲୋକଙ୍କ ସଂଖ୍ୟା ବହୁତ ଅଧିକ। ଏହା ଦେଶ ପାଇଁ ଏକ ଗମ୍ଭୀର ସ୍ଥିତି ଏବଂ ଯେକୌଣସି ମୂଲ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା କମାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

ଭାରତରେ ଗାଡ଼ି ଟେଷ୍ଟିଂ ଖର୍ଚ୍ଚ ତୁଳନାତ୍ମକ ଭାବେ କମ୍

ଭାରତ ବିଶ୍ୱର ତୃତୀୟ ବୃହତ୍ ପ୍ୟାସେଞ୍ଜର୍ ଭେହିକଲ୍ ବଜାର ବୋଲି ମଧ୍ୟ ଗଡ଼କରୀ କହିଛନ୍ତି। ତାଙ୍କ ଅନୁସାରେ, ଅନ୍ତର୍ଜାତୀୟ ସ୍ତରରେ ଗାଡ଼ି ପରୀକ୍ଷଣ ପାଇଁ ଯେତିକି ସମୟ ଓ ଖର୍ଚ୍ଚ ହୁଏ, ଭାରତରେ ତାହା ତୁଳନାରେ କମ୍ ସମୟ ଓ ଖର୍ଚ୍ଚରେ ଟେଷ୍ଟିଂ କରାଯାଇପାରୁଛି।

ଗ୍ଲୋବାଲ୍ NCAP ସ୍ତରରେ ଗୋଟିଏ ଗାଡ଼ିର ଟେଷ୍ଟିଂ ଖର୍ଚ୍ଚ ପ୍ରାୟ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହା ତୁଳନାରେ ଭାରତରେ ଗାଡ଼ି ପରୀକ୍ଷଣ ପାଇଁ ଆବଶ୍ୟକ ସମୟ ଓ ଖର୍ଚ୍ଚ ଅପେକ୍ଷାକୃତ କମ୍ ବୋଲି ସେ ଉଲ୍ଲେଖ କରିଛନ୍ତି।

Also Read-  ଚେନ୍ନାଇର ଭାଗ୍ୟ ବଦଳାଇବେ 'ଥାଲାପତି' ବିଜୟ: ୧୨୦୦ କୋଟିର ସଚିବାଳୟ, ଓଲିମ୍ପିକ୍ ସିଟି ସହ ଗଡ଼ିବ F1 ରେସିଂ କାର୍

ଏଣିକି ଡ୍ରାଇଭରଙ୍କ ଆଚରଣ ଉପରେ ମଧ୍ୟ ନଜର

ସଡ଼କ ସୁରକ୍ଷା କେବଳ ଗାଡ଼ିର ଟେକ୍ନିକାଲ୍ ସେଫ୍ଟି ଉପରେ ନିର୍ଭର କରେ ନାହିଁ। ଡ୍ରାଇଭରଙ୍କ ଆଚରଣ ଏବଂ ଟ୍ରାଫିକ୍ ନିୟମ ପାଳନ ମଧ୍ୟ ଏହାର ଏକ ବଡ଼ ଅଂଶ। ଏହାକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ ପାଇଁ ଏକ ଗ୍ରେଡେଡ୍ ପଏଣ୍ଟ ସିଷ୍ଟମ୍ ଆଣିବା ନେଇ ସରକାର କାମ କରୁଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ।

ଏହି ବ୍ୟବସ୍ଥାରେ କୌଣସି ଡ୍ରାଇଭର ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ତାଙ୍କ ଲାଇସେନ୍ସରୁ ପଏଣ୍ଟ କଟାଯାଇପାରେ। ଜଣେ ଡ୍ରାଇଭର ବାରମ୍ବାର ନିୟମ ଭାଙ୍ଗିଲେ ଏବଂ ତାଙ୍କ ପଏଣ୍ଟ ଏକ ନିର୍ଦ୍ଧାରିତ ସୀମାରୁ ତଳକୁ ଖସିଲେ, ତେବେ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ସସ୍‌ପେଣ୍ଡ କିମ୍ବା ବାତିଲ୍ ମଧ୍ୟ କରାଯାଇପାରେ।

ଅର୍ଥାତ୍, ଆଗାମୀ ଦିନରେ ଭାରତର ସଡ଼କ ସୁରକ୍ଷା ବ୍ୟବସ୍ଥାରେ କେବଳ ଗାଡ଼ି କେତେ ସୁରକ୍ଷିତ ତାହା ନୁହେଁ, ଗାଡ଼ି କିପରି ଚଳାଯାଉଛି ଏବଂ ଦୁର୍ଘଟଣା ହେଲେ ଜୀବନ କିପରି ବଞ୍ଚାଯାଇପାରିବ ସେସବୁ ଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯିବ।