ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇକୁ ଏକ ବିଶ୍ୱସ୍ତରୀୟ ମେଗା ସିଟିରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଏକ ବଡ଼ ଧରଣର ଯୋଜନା ଘୋଷଣା କରିଛନ୍ତି। ବିଧାନସଭାରେ ନିୟମ ୧୧୦ ଅଧୀନରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଶାସନିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ନୂଆ ରୂପ ଦେବା ପାଇଁ ତିନୋଟି ବଡ଼ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି। ଏଥିରେ ୧,୨୦୦ କୋଟି ଟଙ୍କାର ଏକ ବିଶାଳ ସଚିବାଳୟ, 'ଓଲିମ୍ପିକ୍ ସିଟି' ଏବଂ ଫର୍ମୁଲା-୧ (F1) ରେସିଂ ପାଇଁ ଏକ ସ୍ୱତନ୍ତ୍ର 'ମୋଟର ସ୍ପୋର୍ଟସ ସିଟି' ସାମିଲ ରହିଛି।

ଆଗାମୀ ୧୦୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚେନ୍ନାଇରେ ୨୦ ଲକ୍ଷ ବର୍ଗଫୁଟ୍ ପରିମିତ ଏକ ନୂଆ ସମନ୍ୱିତ ସଚିବାଳୟ ଏବଂ ବିଧାନସଭା କୋଠା ନିର୍ମାଣ କରାଯିବ। ଗତ ୪୦୦ ବର୍ଷ ଧରି ପ୍ରଶାସନିକ କେନ୍ଦ୍ର ରହିଥିବା ଫୋର୍ଟ ସେଣ୍ଟ ଜର୍ଜ କ୍ୟାମ୍ପସରେ ସ୍ଥାନର ଅଭାବ ରହିଥିବାରୁ ଏହି ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି। ୧୦୭ ଏକରର ଏହି ପୁରୁଣା କ୍ୟାମ୍ପସରୁ ମାତ୍ର ୪ ଏକର ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବେଳେ ବାକି ଅଞ୍ଚଳ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ASI ନିୟନ୍ତ୍ରଣରେ ରହିଛି। ନୂଆ କୋଠାରେ ସବୁ ବିଭାଗ ଗୋଟିଏ ଛାତ ତଳେ କାର୍ଯ୍ୟ କରିବା ସହ ଏହାକୁ ଗ୍ରୀନ୍ ବିଲ୍ଡିଂ ଟେକ୍ନୋଲୋଜି ଓ ଆଧୁନିକ ସୁବିଧାସୁଯୋଗ ଦ୍ୱାରା ନିର୍ମାଣ କରାଯିବ।

Also Read: ସେପ୍ଟେମ୍ବରରେ ବଢ଼ିପାରେ ସିମେଣ୍ଟ ମୂଲ୍ୟ ! ମହଙ୍ଗା ହେବ ଘର ତିଆରି

ଏହା ସହିତ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରର ସୁବିଧା ଯୋଗାଇବା ପାଇଁ ତାମିଲନାଡୁ ସ୍ପୋର୍ଟସ ଡେଭେଲୋପମେଣ୍ଟ ଅଥୋରିଟି ପକ୍ଷରୁ 'ତାମିଲନାଡୁ ଓଲିମ୍ପିକ୍ ସିଟି' ନିର୍ମାଣ କରାଯିବ। ଅଲିମ୍ପିକ୍ସ ଓ ବଡ଼ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଜ୍ୟର ଆଥଲେଟମାନେ ଯେପରି ଅଧିକରୁ ଅଧିକ ପଦକ ଜିତିପାରିବେ, ସେଥିପାଇଁ ଏଠାରେ ବିଶ୍ୱସ୍ତରୀୟ ଇନଡୋର ଓ ଆଉଟଡୋର ଷ୍ଟାଡିୟମ, ହାଇ-ପରଫର୍ମାନ୍ସ ଟ୍ରେନିଂ ସେଣ୍ଟର, ସ୍ପୋର୍ଟସ ସାଇନ୍ସ ଓ ସ୍ପୋର୍ଟସ ମେଡିସିନ ସେଣ୍ଟର ସ୍ଥାପନ କରାଯିବ।

ଅପରପକ୍ଷରେ, ରାଜ୍ୟକୁ ବିଶ୍ୱସ୍ତରୀୟ କ୍ରୀଡ଼ା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଚେନ୍ନାଇରେ ଏକ 'ମୋଟର ସ୍ପୋର୍ଟସ ସିଟି' ଗଢ଼ିବାର ମେଗା ପ୍ଲାନ୍ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବିଶାଳ ରେସିଂ ଟ୍ରାକରେ ଫର୍ମୁଲା-୧ ସମେତ F2, F3 ଏବଂ F4 ଭଳି ଅନ୍ତର୍ଜାତୀୟ କାର୍ ରେସିଂ ଆୟୋଜନ କରାଯିବ, ଯାହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଓ ଆଞ୍ଚଳିକ ଅର୍ଥନୀତିକୁ ବଡ଼ ଧରଣର ବୁଷ୍ଟ ମିଳିବ।୨୦୨୮ ସୁଦ୍ଧା ଦେଶକୁ ଫର୍ମୁଲା-୧ ରେସିଂ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ବେଳେ ତାମିଲନାଡୁ ସରକାରଙ୍କ ଏହି ଘୋଷଣା ଚେନ୍ନାଇକୁ ଗ୍ଲୋବାଲ ସ୍ପୋର୍ଟସ ହବରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।