ନୂଆଦିଲ୍ଲୀ: ଏଥର ଆଉ ଚୀନ କି ତୁର୍କୀ ଶକ୍ତିଶାଳୀ ଡ୍ରୋନ ଦେଖାଇ ଡରାଇପାରିବେନି। କାରଣ ଡ୍ରୋନ ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତ ହାସଲ କରିଛି ଅମୋଘ ଅସ୍ତ୍ର। ଯାହାର ଗତି ଓ ଆକ୍ରମଣ କ୍ଷମତାରେ କାବା ହୋଇଯିବେ ଚୀନ ଓ ତୁର୍କିୀ। ହାଇଦ୍ରାବାଦର ଷ୍ଟାର୍ଟଅପ୍ ଆପୋଲିଅନ୍ ଡାଇନାମିକ୍ସ ଭାରତର ସବୁଠାରୁ ଦ୍ରୁତ ଇଣ୍ଟରସେପ୍ଟର ଡ୍ରୋନ୍ ‘ଆହୁତି Mk-II’ ବିକଶିତ କରିଛି। ଏହି ଡ୍ରୋନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୯୮ କିଲୋମିଟର ରହିବ ବୋଲି ଦାବି କରାଯାଇଛି। ଯାହା ଏକ ରେକର୍ଡ। ଏହା ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ମଧ୍ୟ ସ୍ଥାନ ପାଇଛି।

ଆପୋଲିଅନ୍ ଡାଇନାମିକ୍ସର ପ୍ରତିଷ୍ଠାତା ଜୟନ୍ତ ଖତ୍ରୀ ଏକ୍ସରେ ଏକ ପୋଷ୍ଟ କରି ଏହି ସଫଳତା ବିଷଯରେ ସୂଚନା ଦେଇଛନ୍ତି। ନୂଆ ଡ୍ରୋନ୍ ନିଜ କମ୍ପାନୀର ପୂର୍ବ ପ୍ରୋଟୋଟାଇପର ୩୨୫ କିମି ପ୍ରତି ଘଣ୍ଟା ବେଗର ରେକର୍ଡକୁ ଭାଙ୍ଗିଛି। ଏହି ଡ୍ରୋନଟିକୁ ୮ ମାସର ପରିଶ୍ରମ କରି ତିଆରି କରାଯାଇଥିଲା।

ଶତ୍ରୁ ଡ୍ରୋନ୍କୁ ଆକାଶରେ ହିଁ ରୋକିବ

ରିପୋର୍ଟ ଅନୁସାରେ, ଆହୁତି Mk-II କୌଣସି ସାଧାରଣ ନିରୀକ୍ଷଣ କିମ୍ବା କ୍ୟାମେରା ଡ୍ରୋନ୍ ନୁହେଁ। ଏହାକୁ ବିଶେଷ ଭାବେ ଶତ୍ରୁ ଡ୍ରୋନ୍ କିମ୍ବା ଆକାଶପଥରେ ଆସୁଥିବା ବିପଦକୁ ଇଣ୍ଟରସେପ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି। ଦ୍ରୁତ ଗତିରେ ଶତ୍ରୁ ଡ୍ରୋନ୍ର ନିକଟକୁ ପହଞ୍ଚି ତାହାକୁ ଆକାଶରେ ହିଁ ନଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଏହି ପ୍ରକାରର ଡ୍ରୋନ୍ ପାଇଁ ସ୍ପିଡ୍, କ୍ୱିକ୍ ରେସପନ୍ସ ଓ ଉଡ଼ିବା କ୍ଷମତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଶାହେଦ୍-୧୩୬ ଭଳି ଡ୍ରୋନ୍କୁ ଟକ୍କର ଦେବା ଲକ୍ଷ୍ୟ

ସାମ୍ପ୍ରତିକ ଯୁଦ୍ଧଗୁଡ଼ିକରେ କମ୍ ମୂଲ୍ୟର ଡ୍ରୋନ୍କୁ ବଡ଼ ପରିମାଣରେ ବ୍ୟବହାର କରାଯାଉଛି। ଇରାନର ଶାହେଦ୍-୧୩୬ ଭଳି ଡ୍ରୋନ୍ ଏହାର ଏକ ଉଦାହରଣ। ଉପଲବ୍ଧ ତଥ୍ୟ ଅନୁସାରେ, ଏଭଳି ଡ୍ରୋନର ମୂଲ୍ୟ ତୁଳନାମୂଳକ ଭାବେ କମ୍ ଥିବାରୁ ସେଗୁଡ଼ିକୁ ବହୁ ସଂଖ୍ୟାରେ ବ୍ୟବହାର କରିବା ସମ୍ଭବ। ଅନ୍ୟପଟେ ସେଗୁଡ଼ିକୁ ରୋକିବା ପାଇଁ ଦାମୀ ଇଣ୍ଟରସେପ୍ଟର ମିସାଇଲ୍ ବ୍ୟବହାର କଲେ ପ୍ରତିରକ୍ଷା ଖର୍ଚ୍ଚ ବହୁତ ବଢ଼ିଯାଏ। ଏହି କାରଣରୁ କମ୍ ଖର୍ଚ୍ଚରେ ଦ୍ରୁତ ଇଣ୍ଟରସେପ୍ଟର ଡ୍ରୋନ୍ ବିକଶିତ କରିବାକୁ ଅନେକ ଦେଶ ଗୁରୁତ୍ୱ ଦେଉଛନ୍ତି।

ଡ୍ରୋନର ଡିଜାଇନ୍‌ରେ ୧୦ ଥର ପରିବର୍ତ୍ତନ

୪୯୮ କିମି ପ୍ରତି ଘଣ୍ଟା ବେଗ ହାସଲ କରିବା ପାଇଁ ଆହୁତି Mk-IIର ଇଞ୍ଜିନ୍, ମୋଟର ଓ ବଡି ଡିଜାଇନ୍ରେ ବଡ଼ ପରିବର୍ତ୍ତନ କରାଯାଇଛି। କମ୍ପାନୀ ପକ୍ଷରୁ ଏହି ଡିଜାଇନ୍କୁ ଉନ୍ନତ କରିବା ପାଇଁ ୧୦ଟି ଭିନ୍ନ ମଡେଲ୍ ତିଆରି କରାଯାଇଥିବା ଜଣାପଡ଼ିଛି। ବାରମ୍ବାର ପରୀକ୍ଷା ଓ ପରିବର୍ତ୍ତନ ପରେ ଡ୍ରୋନ୍ର ବେଗକୁ ଘଣ୍ଟା ପ୍ରତି ୪୯୮ କିମି ପର୍ଯ୍ୟନ୍ତ ବଢ଼ାଯାଇପାରିଛି। ଡ୍ରୋନ୍ଟି ଗୋଟିଏ ସମୟରେ ପ୍ରାୟ ୪୦୦ ଆମ୍ପିୟର କରେଣ୍ଟ ବ୍ୟବହାର କରୁଥିବା କମ୍ପାନୀ ଦାବି କରୁଥିବା ବେଳେ ଏହା ଡ୍ରୋନର ହାଇ-ସ୍ପିଡ୍ ପରଫର୍ମାନ୍ସରେ ସହାୟକ ହେବ ବୋଲି କମ୍ପାନୀ କହିଛି।

ଭାରତୀୟ ସେନା ସହଯୋଗରେ ପରୀକ୍ଷଣ

ଆହୁତି Mk-IIର ପରୀକ୍ଷଣ ଭାରତୀୟ ସେନାର ସହଯୋଗରେ ବବିନା ଓ ଓଡ଼ିଶାର ଗୋପାଳପୁର ଫାୟାରିଂ ରେଞ୍ଜ୍ରେ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଆପୋଲିଅନ୍ ଡାଇନାମିକ୍ସର ଲକ୍ଷ୍ୟ ହେଉଛି କମ୍ ଖର୍ଚ୍ଚରେ ଅଧିକ କ୍ଷମତାସମ୍ପନ୍ନ ପ୍ରତିରକ୍ଷା ଟେକ୍ନୋଲୋଜି ବିକଶିତ କରିବା। ଏହା ଦ୍ୱାରା ସେନାର ପ୍ରତିରକ୍ଷା ବଜେଟ୍ ଉପରେ ଅତିରିକ୍ତ ଚାପ ନ ପକାଇ ଆଧୁନିକ ଟେକ୍ନୋଲୋଜି ଯୋଗାଇବା ହେବ। ତେବେ ଏହି ଡ୍ରୋନର ଦାମ କେତେ ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

୨୦୩୨ ସୁଦ୍ଧା ବଡ଼ ମିସାଇଲ୍ ପ୍ଲାଟଫର୍ମ ଲକ୍ଷ୍ୟ

ଆପୋଲିଅନ୍ ଡାଇନାମିକ୍ସ କେବଳ ଡ୍ରୋନ୍ ଟେକ୍ନୋଲୋଜିରେ ସୀମିତ ରହିବାକୁ ଚାହୁଁନାହିଁ। କମ୍ପାନୀର ଦୀର୍ଘମିଆଦୀ ଲକ୍ଷ୍ୟ ହେଉଛି ୨୦୩୨ ସୁଦ୍ଧା ଏକ ବଡ଼ କ୍ରୁଜ ମିସାଇଲ୍ ପ୍ଲାଟଫର୍ମ ବିକଶିତ କରିବା। କମ୍ପାନୀର ଏହି ଯୋଜନାରେ ଅଗ୍ନି ମିସାଇଲ୍ ପ୍ରୋଗ୍ରାମର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏମ୍. ରାମା ମନୋହର ବାବୁ ମାର୍ଗଦର୍ଶନ ଦେଉଥିବା ଜଣାପଡ଼ିଛି।

ସାଧାରଣ ଡ୍ରୋନ୍ ଓ ଇଣ୍ଟରସେପ୍ଟର ଡ୍ରୋନ୍ ମଧ୍ୟରେ ଫରକ କ'ଣ?

ସାଧାରଣ ଡ୍ରୋନ୍: ଏହି ଡ୍ରୋନ୍ ସାଧାରଣତଃ ଫଟୋ-ଭିଡିଓ ଉତ୍ତୋଳନ, ନିରୀକ୍ଷଣ, ସର୍ଭେ କିମ୍ବା ସାମଗ୍ରୀ ପରିବହନ ଭଳି କାମ ପାଇଁ ବ୍ୟବହୃତ ହୁଏ। ଦୀର୍ଘ ସମୟ ଧରି ଆକାଶରେ ସ୍ଥିର ରହିବା ଓ ନିୟନ୍ତ୍ରିତ ଭାବେ ଉଡ଼ିବା ଏହାର ପ୍ରମୁଖ ବୈଶିଷ୍ଟ୍ୟ।

ଇଣ୍ଟରସେପ୍ଟର ଡ୍ରୋନ୍: ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆକାଶରେ ଥିବା ଶତ୍ରୁ ଡ୍ରୋନ୍କୁ ଦ୍ରୁତ ଗତିରେ ଧରିବା ଏବଂ ତାହାକୁ ନିଷ୍କ୍ରିୟ କରିବା। ତେଣୁ ଏଥିରେ ଅଧିକ ବେଗ, ଦ୍ରୁତ ଚଳନ ଓ ତୁରନ୍ତ ପ୍ରତିକ୍ରିୟା କ୍ଷମତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ଏହି ଦୃଷ୍ଟିରୁ ୪୯୮ କିମି ପ୍ରତି ଘଣ୍ଟା ବେଗର ଆହୁତି Mk-II ଭାରତର ଦ୍ରୁତ ଇଣ୍ଟରସେପ୍ଟର ଡ୍ରୋନ୍ ଟେକ୍ନୋଲୋଜୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଧରାଯାଉଛି।