ଚାନ୍ଦବାଲି : ଗଛରୁ ଡାଳ ଭାଙ୍ଗିଲେ ୨୧ ଦିନ ଜ୍ୱର... ଫଳ ଜବରଦସ୍ତି ତୋଳିଲେ ବିପଦ! ଏମିତି ବିଶ୍ୱାସ ଯେଉଁ ଗଛକୁ ନେଇ, ତାହା ଛିଡ଼ା ହୋଇଛି ଗାଁ ମଝିରେ ଏହା କୌଣସି ସାଧାରଣ ଗଛ ନୁହେଁ। ଗାଁ ଲୋକଙ୍କ ଆସ୍ଥା, ବିଶ୍ୱାସ ଆଉ ପରିଚୟ। ଗଛଟି କେତେ ବର୍ଷ ପୁରୁଣା, ତାହାର ହିସାବ ନାହିଁ କାହା ପାଖରେ । ହେଲେ ପିଢ଼ି ପରେ ପିଢ଼ି ଏହି ଗଛକୁ ଦେଖି ଆସୁଛନ୍ତି ଗାଁ ଲୋକ। ଏହାର ମୂଳରେ ପୂଜା ପାଉଛନ୍ତି ପ୍ରଭୁ ତ୍ରିନାଥ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡଗରଡି ପଞ୍ଚାୟତରେ ତେନ୍ତୁଳିଦା ଗାଁରେ ରହିଛି ଏହି ତେନ୍ତୁଳି ଗଛ। ଗଛର ମଝି ଅଂଶ ୧୭ ଫୁଟ ଓ ମୂଳ ଅଂଶ ପାଖାପାଖି ୨୫ଫୁଟ୍ ଓସାରିଆ। ବାତ୍ୟା ଆସିଛି, ଝଡ଼ ଆସିଛି, ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି... ହେଲେ ଏହି ବିଶାଳ ତେନ୍ତୁଳି ଗଛ ସେମିତି ମୁଣ୍ଡ ଟେକି ଛିଡ଼ା ହୋଇଛି। ଗ୍ରାମବାସୀଙ୍କ ଆସ୍ଥା-ଏହି ଗଛ ତାଙ୍କୁ ବିପଦରୁ ରକ୍ଷା କରେ। ଗ୍ରାମବାସୀଙ୍କ ପାଇଁ ଏହି ବୃକ୍ଷ ହିଁ ସେମାନଙ୍କର ଆରାଧ୍ୟ ଦେବତା ଏବଂ ଗାଁର ମୁଖ୍ୟ ପରିଚୟ। ସେଥିପାଇଁ ବୃକ୍ଷର ନାଁରୁ ହିଁ ରହିଛି ଗାଁର ନାଁ। 

​​​​​​​

ଏହି ଗଛକୁ ନେଇ ରହିଛି ଅନେକ କିମ୍ବଦନ୍ତୀ । କୁହାଯାଏ, ଏହି ଗଛର ଡାଳ କିମ୍ବା ପତ୍ର ଖଣ୍ଡେ କାଟିବା ଅସମ୍ଭବ। ଯିଏ ବି ଏହି ଦୁଃସାହସ କରିଛି କିମ୍ବା ଜବରଦସ୍ତି ଫଳ ତୋଳିଛି, ସେ ଅସୁସ୍ଥ ହୋଇପଡ଼ିଛି। ଏମିତି ଏକ ଘଟଣା ଘଟିଥିଲା, ଯେତେବେଳେ ଗାଁର ଜଣେ ବ୍ୟକ୍ତି ଗଛର ଡାଳ ଭାଙ୍ଗିବାରୁ ତାଙ୍କୁ ୨୧ ଦିନ ପର୍ଯ୍ୟନ୍ତ ଜ୍ୱର ହୋଇଥିଲା। ପରେ ସେ ଏହି ବୃକ୍ଷ ମୂଳେ ଅଧିଆ ପଡ଼ିବା ପରେ ହିଁ ତାଙ୍କର ଜ୍ୱର ଭଲ ହୋଇଥିଲା। ସେବେଠାରୁ ଲୋକଙ୍କ ମନରେ ଏହି ବୃକ୍ଷ ପ୍ରତି ଅଗାଢ଼ ବିଶ୍ୱାସ ଓ ଭୟ ରହିଛି।  ତେଣୁ ଗଛରୁ ଆପେ ଆପେ ଝଡ଼ୁଥିବା ଡାଳ ବା ଫଳକୁ ହିଁ ଲୋକମାନେ କରନ୍ତି ବ୍ୟବହାର।

ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବିଶାଳ ବୃକ୍ଷର ଚେର ଗାଁର ବିଲ ପର୍ଯ୍ୟନ୍ତ ଲମ୍ବିଛି। ୧୯୭୧ ମସିହାର ଭୟଙ୍କର ବାତ୍ୟା ସମୟରେ, ଯେତେବେଳେ ବଡ଼ ବଡ଼ ଗଛ ମାଟିରେ ମିଶି ଯାଇଥିଲା, ସେତେବେଳେ ଏହି ଗଛଟି ଗାଁକୁ ସୁରକ୍ଷା ଦେଇଥିଲା। ଲୋକେ କୁହନ୍ତି, କୌଣସି ଏକ ଅଦୃଶ୍ୟ ଶକ୍ତି ଗଛ ମୂଳେ ଠିଆ ହୋଇ ଗାଁକୁ ବଞ୍ଚାଇଥିଲା। ପ୍ରାୟ ୧୪୦ ପରିବାର ଓ ୮୦୦ରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁର ନାଁ ଆଜି ଏହି ଗଛ ପାଇଁ ସାରା ଅଞ୍ଚଳରେ ପରିଚିତ। ପିଢ଼ି ପରେ ପିଢ଼ି ଗଲେଣି। କିନ୍ତୁ ସେହି ଗଛ ଆଜି ପର୍ଯ୍ୟନ୍ତ ବି ଦଣ୍ଡାୟମାନ ହୋଇ ଗାଁ ମଝିରେ ଜଗି ବସିଛି। ବାସ୍ତବରେ, ଏହି ତେନ୍ତୁଳି ବୃକ୍ଷ ହିଁ ତେନ୍ତୁଳିଦା ଗାଁର ଆତ୍ମା।

Alaso Read- ବାଇକକୁ ପଛରୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ

କୁହନ୍ତି ବିଶ୍ୱାସେ ମିଳଇ ହରି। ସେମିତି ଏଠି ଗ୍ରାମବାସୀଙ୍କ ନଜରରେ ଏହି ଗଛ ସେମାନଙ୍କ ପାଇଁ ଦେବତା ସଦୃଶ।  ଗ୍ରାମବାସୀଙ୍କ ବିଶ୍ୱାସ ସେହି ଗଛ ଥିଲେ ସେମାନେ ସୁରକ୍ଷିତ।