ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଓ ଡ୍ୟାନ୍ସର ନୋରା ଫତେହିଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଏକ ଚାର୍ଟର୍ଡ ପ୍ଲେନକୁ ନେଇ ଦେଇଥିବା ଏକ ମନ୍ତବ୍ୟ ଏବେ ତାଙ୍କ ପାଇଁ ବିବାଦର କାରଣ ପାଲଟିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ହେଉଛି ଜୋରଦାର ଚର୍ଚ୍ଚା । ନୋରା ବିମାନଟିକୁ ନେଇ ଅଜବ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିବା ବେଳେ, ସମ୍ପୃକ୍ତ କମ୍ପାନୀ ଏହାକୁ ନେଇ ତାଙ୍କଠାରୁ ପ୍ରାୟ ୩ କୋଟି ଟଙ୍କାର ଜରିମାନା ଦାବି କରିଛି। ନୋରା ଫତେହି ନିଜର ଗ୍ଲାମରସ୍ ଲୁକ୍, ଡ୍ୟାନ୍ସ ଓ ଅଭିନୟ ପାଇଁ ବେଶ୍ ଲୋକପ୍ରିୟ । କିନ୍ତୁ ଏବେ ତାଙ୍କର ଏକ ମନ୍ତବ୍ୟ ତାଙ୍କୁ ଆଇନଗତ ବିବାଦ ମଧ୍ୟକୁ ଟାଣି ଆଣିଛି ।

ରିପୋର୍ଟ ଅନୁସାରେ, ଏକ ଚାର୍ଟର୍ଡ ବିମାନ ସମ୍ପର୍କରେ ନୋରା ଫତେହି ‘ଟୟ ପ୍ଲେନ୍’ ବୋଲି ମନ୍ତବ୍ୟ କରିଥିଲେ। ଏହି ମନ୍ତବ୍ୟକୁ ନେଇ ସମ୍ପୃକ୍ତ ଚାର୍ଟର୍ଡ ପ୍ଲେନ୍ କମ୍ପାନୀ ଆପତ୍ତି ଉଠାଇଛି। କମ୍ପାନୀର ଅଭିଯୋଗ ହେଉଛି, ନୋରାଙ୍କ ଏଭଳି ମନ୍ତବ୍ୟ ତାଙ୍କ ବ୍ୟବସାୟ ଓ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇପାରେ। ଏହି କାରଣରୁ କମ୍ପାନୀ ପକ୍ଷରୁ ନୋରାଙ୍କ ବିରୋଧରେ ପ୍ରାୟ ୩ କୋଟି ଟଙ୍କାର ଜରିମାନା ଦାବି କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ନୋରା ।

ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ମାମଲାରେ ନୋରା ଫତେହିଙ୍କ ପକ୍ଷରୁ କ’ଣ ପ୍ରତିକ୍ରିୟା ଆସୁଛି ଏବଂ ଆଗକୁ ନୋରାଙ୍କ ଜୀବନରେ ଏହି ବିବାଦ କେଉଁ ମୋଡ଼ ନେଉଛି। ତେବେ କେବଳ ଗୋଟିଏ ମନ୍ତବ୍ୟ ପାଇଁ ୩ କୋଟି ଟଙ୍କାର ଜରିମାନା ଦାବି ଏହା ନିଶ୍ଚିତ ଭାବେ ନୋରାଙ୍କ ପାଇଁ ଏକ ବଡ଼ ଆଇନଗତ ଚ୍ୟାଲେଞ୍ଜ ହୋଇପାରେ ବୋଲି ଅନେକ ଏନେଇ ଚର୍ଚ୍ଚା କରୁଛନ୍ତି ।