ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ ପୁଣି ବଢ଼ିଛି ଆଇନଗତ ଅସୁବିଧା। ସାକ୍ଷୀଙ୍କୁ ଧମକଚମକ ଦେବା ଅଭିଯୋଗରେ ସେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ଏହି ଘଟଣାରେ ଗୋଷାଣୀନୂଆଗାଁ ଥାନାରେ ବିକ୍ରମ ପଣ୍ଡାଙ୍କ ସମେତ ବିଜେଡି ନେତା ମଦନ ଦଳେଇ ଏବଂ ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।

ଜେଲ୍ ଡାକ୍ତରଙ୍କ ମୋବାଇଲରୁ ଆସିଥିଲା ଧମକ

ଗୋଷାଣୀନୂଆଗାଁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ସମୟରେ ବିକ୍ରମ ପଣ୍ଡା ସାକ୍ଷୀଙ୍କୁ ଧମକ ଦେଇଥିଲେ। ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୋର୍ଟରେ ବିଚାରଣା ସମୟରେ ସାକ୍ଷୀ ନ ଦେବା ପାଇଁ ସେ ଚାପ ପକାଇଥିଲେ।

Also Read: ଆସୁଛି ବଡ଼ ବର୍ଷା ; ୨୨ରୁ ବଦଳିବ ପାଗ, ୨୩ ଅପରାହ୍ନରୁ ଭିଜିବ ଓଡ଼ିଶା

ପୋଲିସ ହାତରେ ସିସିଟିଭି ଫୁଟେଜ୍

ଧମକର ଶିକାର ହୋଇଥିବା ସାକ୍ଷୀ ଏ ନେଇ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଧମକ ଦିଆଯାଉଥିବାର ଗୁରୁତ୍ୱପୂର୍ଣ୍ଣ ସିସିଟିଭି ଫୁଟେଜ୍କୁ ପୋଲିସ ଜବତ କରିସାରିଛି। ଗତ ଅଗଷ୍ଟ ୨୮ ତାରିଖରେ ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା। ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ।

ଜାମିନ ପରେ ପୁଣି ବଢ଼ିଲା ଅଡୁଆ

ଉଲ୍ଲେଖଯୋଗ୍ୟ ଯେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବିକ୍ରମ ପଣ୍ଡା ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିଲେ। ଗତ ସେପ୍ଟେମ୍ବର ୧ ତାରିଖରେ ସେ ଜେଲରୁ ସର୍ତ୍ତମୂଳକ ଜାମିନରେ ବାହାରିଥିଲେ। ମାତ୍ର ଜାମିନ ମିଳିବାର କିଛି ଦିନ ମଧ୍ୟରେ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ ଆସିବା ପରେ ପୂର୍ବତନ ବିଧାୟକଙ୍କ ଅଡୁଆ ଅଧିକ ଜଟିଳ ହୋଇଛି।