ବେଙ୍ଗାଲୁରୁ: ସତ ହେଉଛି ବୈଜ୍ଞାନିକଙ୍କ ଭବିଷ୍ୟବାଣୀ। ଚାକିରି ଖାଇଦେବ ଏଆଇ। ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (Al) ) ବା କୃତ୍ରିମ ବୁଦ୍ଧିମତା ଆଜିର ଯୁଗରେ ମଣିଷ ପାଇଁ ଆଶୀର୍ବାଦ ସାଜିଛି ସତ। କିନ୍ତୁ ଅନେକ କ୍ଷେତ୍ରରେ ଏହା ଅଭିଶାପ ମଧ୍ଯ ପାଲଟୁଛି। ଏହାର ଭୟଙ୍କର ପରିଣାମ ଦେଖିବାକୁ ମିଳିଛି ଆଇଟି ସିଟି ବେଙ୍ଗାଲୁରୁରେ। AI ଯୋଗୁଁ ଚାକିରି ହରାଇବା ପରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ବେଳେ ସ୍ଵାମୀଙ୍କ ମୃତ୍ୟୁ ଶୋକ ସହି ନପାରି ୧୭ମହଲାରୁ ଡେଇଁ ପତ୍ନୀ ମଧ୍ୟ ଜୀବନ ହାରିଛନ୍ତି।

ମୃତକ ଦମ୍ପତି ହେଲେ ତେଲେଙ୍ଗାନା ନିବାସୀ ଭାନୁ ଚନ୍ଦ୍ର ରେଡ୍ଡୀ (୩୨) ଏବଂ ତାଙ୍କ ପତ୍ନୀ ସାଜିୟା ସିରାଜ (୩୧) । ଭାନୁ ଚନ୍ଦ୍ର ଏକ ପ୍ରତିଷ୍ଠିତ ଆମେରିକୀୟ କମ୍ପାନୀରେ ବାର୍ଷିକ ୮୦ ଲକ୍ଷ ଟଙ୍କାର ମୋଟା ଅଙ୍କର ଦରମାରେ କାର୍ଯ୍ୟ କରୁଥିଲେ। ମାତ୍ର ବର୍ଷକ ତଳେ AI ବ୍ୟବହାର ଯୋଗୁଁ କମ୍ପାନୀ ତାଙ୍କୁ ଚାକିରିରୁ ଛଟେଇ କରିଦେଇଥିଲା।ଏହାପରେ ସେ ଅନେକ ସ୍ଥାନରେ ଚାକିରି ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ବାର୍ଷିକ ୮୦ ଲକ୍ଷର ପ୍ୟାକେଜ୍ରୁ ଶୂନ୍ୟକୁ ଖସି ଆସିବା ପରେ ସେ ପ୍ରବଳ ମାନସିକ ଚାପରେ ରହୁଥିଲେ ।

also read- କେତେ ବିପଦଜନକ ନୂଆ ଭାଇରସ, ଅନ୍ୟ ରାଜ୍ୟକୁ ବ୍ୟାପିଲାଣି

ସୋମବାର ସନ୍ଧ୍ୟାରେ ସାଜିୟା ଅଫିସରୁ ଫେରିବା ପରେ ଘରର ମୁଖ୍ୟ କବାଟ ଭିତରୁ ବନ୍ଦ ଥିବା ଦେଖୁବାକୁ ପାଇଥିଲେ । ବାରମ୍ବାର କଲିଂ ବେଲ୍ ମାରିବା ସତ୍ତ୍ବେ ଭିତରୁ କୌଣସି ଶବ୍ଦ ନଆସିବାରୁ ସେ ସନ୍ଦେହ କରି ସିକ୍ୟୁରିଟି ଗାର୍ଡ ଓ ପଡୋଶୀଙ୍କୁ ଡାକିଥିଲେ । କବାଟ ଭାଙ୍ଗି ଭିତରକୁ ଯିବା ପରେ ଭାନୁଙ୍କ ଝୁଲନ୍ତା ମୃତଦେହ ଦେଖୁ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ସ୍ୱାମୀଙ୍କୁ ଏଭଳି ଅବସ୍ଥାରେ ଦେଖୁ ସାଜିୟା ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ । କିଛି ବୁଝିବା ପୂର୍ବରୁ ସେ ଦୌଡ଼ି ଯାଇ ନିଜ ଆପାର୍ଟମେଣ୍ଟର ୧୭ମହଲା ବାଲକୋନିରୁ ତଳକୁ ଡେଇଁ ପଡିଥିଲେ । ଘଟଣାସୁଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଯାକ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଚାକିରି ହରାଇବା ପରେ ଆର୍ଥିକ ଅନିଶ୍ଚିତତା ଓ ମାନସିକ ଅବସାଦ ହିଁ ଏହି ଚରମ ନିଷ୍ପତି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି ।