ବେଙ୍ଗାଲୁରୁ:ସୋସିଆଲ ମିଡିଆରେ ଏବେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହା ଅନେକ ଲୋକଙ୍କ ଆଖିରେ ଲୁହ ଭରିଦେଇଛି। ବେଙ୍ଗାଲୁରୁର ଜଣେ ବୃଦ୍ଧ ଅଟୋ ଡ୍ରାଇଭର ନିଜର ସ୍ୱର୍ଗୀୟା ପତ୍ନୀଙ୍କ ପ୍ରତି ଥିବା ଅଫୁରନ୍ତ ପ୍ରେମକୁ ବ୍ୟକ୍ତ କରିବା ପାଇଁ ଅଟୋକୁ ତାଙ୍କ ଫଟୋରେ ସଜାଇଛନ୍ତି।

ଭିଡ଼ିଓରେ ରହିଛିମର୍ମସ୍ପର୍ଶୀ କାହାଣୀ

ଇନଷ୍ଟାଗ୍ରାମ ୟୁଜର୍ @asishmathew.ex ଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଅଟୋ ଡ୍ରାଇଭର ଜଣକ ନିଜ ଅଟୋର ଚାରିପଟେ ପତ୍ନୀଙ୍କ ବହୁତଗୁଡ଼ିଏ ଫଟୋ ଲଗାଇଛନ୍ତି। ସେ କହିଛନ୍ତି ତାଙ୍କ ପତ୍ନୀଙ୍କୁ ଦେହାନ୍ତ ହେବାର ୮ ବର୍ଷ ବିତିଯାଇଥିଲେ ମଧ୍ୟ ସେ ତାଙ୍କୁ ଭୁଲି ପାରିନାହାନ୍ତି। ଡ୍ରାଇଭରଙ୍କର ପୁଅ, ବୋହୂ ଓ ୬ ଜଣ ନାତି-ନାତୁଣୀ ଅଛନ୍ତି, ତଥାପି ସେ ପତ୍ନୀଙ୍କୁ ବହୁତ ମନେ ପକାନ୍ତି। ତାଙ୍କ ପୁଅ ତାଙ୍କୁ ଘରେ ରହିବାକୁ କହିଲେ ମଧ୍ୟ, ସେ କୁହନ୍ତି ଯେ ଘରେ ରହିଲେ ସେ ପତ୍ନୀଙ୍କ କଥା ଅଧିକ ଚିନ୍ତା କରବେ ସେଥିପାଇଁ ସେ ବାହାରେ ଅଟୋ ଚଲାନ୍ତି ନିଜକୁ ବ୍ୟସ୍ତ ରଖନ୍ତି । ନିଜ ମନକୁ କଥାରେ ବ୍ୟସ୍ତ ରଖିବା ପାଇଁ ସେ ପ୍ରତିଦିନ ଅଟୋ ଚଳାନ୍ତି, ନୂଆ ଲୋକଙ୍କୁ ଭେଟନ୍ତି, ଯାହାଦ୍ୱାରା ତାଙ୍କ ମନ ଟିକିଏ ହାଲୁକା ରହେ।

ସୋସିଆଲ ମିଡିଆରେ ପ୍ରତିକ୍ରିୟା

ଏହି ଭିଡ଼ିଓଟି ଦେଖିବା ମାତ୍ରେ ଇଣ୍ଟରନେଟ୍ ୟୁଜର୍ମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଏହି ଭିଡ଼ିଓଟିକୁ ୨ ନିୟୁତରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ୧ ଲକ୍ଷରୁ ଅଧିକ ଲାଇକ୍ ମିଳିଛି। ଅନେକ ଲୋକ ଏହାକୁ "ପ୍ରେମର ସବୁଠାରୁ ଶୁଦ୍ଧ ଭାଷା" ବୋଲି ଅଭିହିତ କରିଛନ୍ତି।

କହିବାକୁ ଗଲେ, ସୁଖ-ଦୁଃଖର ସଂସାରରେ ଏହି ବୟସ୍କ ଅଟୋ ଡ୍ରାଇଭରଙ୍କ ଏହି ନିସ୍ୱାର୍ଥପର ପ୍ରେମ ସମସ୍ତଙ୍କ ପାଇଁ ଏକ ବଡ଼ ଶିକ୍ଷା। ପତ୍ନୀଙ୍କ ପ୍ରତି ତାଙ୍କର ଏହି ଭଲପାଇବା ବାସ୍ତବରେ ହୃଦୟ ଜିଣିଲା ଭଳି।