ବେଙ୍ଗାଲୁରୁ: ଅଟୋ ଭଡ଼ା ବିବାଦକୁ ନେଇ ଦୁଇ ଯୁବତୀ ଏବଂ ଜଣେ ଅଟୋ ଚାଳକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ ଓ ଗାଳିଗୁଲଜ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ବେଙ୍ଗାଲୁରୁର ଏଚଏସଆର୍ ଲେଆଉଟ୍ ଥାର୍ଡ ସେକ୍ଟର ଅଞ୍ଚଳରେ ଘଟିଛି।

'ଘର୍ କେ କଲେଶ୍' ନାମକ ଏକ୍ସ ଆକାଉଣ୍ଟରୁ ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମେ ଅଟୋ ଚାଳକ ଓ ଯୁବତୀମାନଙ୍କ ମଧ୍ୟରେ ଭଡ଼ାକୁ ନେଇ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ମଧ୍ୟରେ ଏହା ଉଗ୍ରରୂପ ନେଇଥିଲା ଏବଂ ସେମାନେ ରାସ୍ତା ଉପରେ ପରସ୍ପରକୁ ହାତାହାତି ହୋଇ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ।

 

ପରିସ୍ଥିତି ଅଣାୟତ ହେବା ପରେ ଜଣେ ମହିଳା ମଧ୍ୟସ୍ଥତା କରି ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏଚଏସଆର୍ ଲେଆଉଟ୍ ଥାନା ପୋଲିସ ଯୁବତୀ ଦ୍ୱୟଙ୍କ ସହ ଯୋଗାଯୋଗ କରି ଏତଲା ଦେବାକୁ କହିଥିଲା। ମାତ୍ର ଯୁବତୀମାନେ ଅଭିଯୋଗ ଦାଖଲ କରିବା ପାଇଁ ଗୋଟିଏ କିମ୍ବା ଦୁଇ ଦିନ ସମୟ ମାଗିଛନ୍ତି।

ଅନ୍ୟପଟେ, ପୋଲିସ ଅଟୋ ଚାଳକଙ୍କୁ ଠାବ କରି ପଚରାଉଚୁରା କରିବା ପରେ ସେ ଅଭିଯୋଗ କରିଛନ୍ତି ଯେ ଯୁବତୀମାନେ ନିଶାସକ୍ତ ଅବସ୍ଥାରେ ଥିଲେ। ସେମାନେ ଭଡ଼ା ଦେବାକୁ ମନା କରିବା ସହ ପ୍ରଥମେ ତାଙ୍କୁ ଗାଳିଗୁଲଜ ଓ ଆକ୍ରମଣ କରିଥିଲେ, ଯାହାର ଜବାବରେ ସେ ପ୍ରତିରୋଧ କରିଥିଲେ। ପୋଲିସ କହିଛି ଯେ, ଯୁବତୀମାନଙ୍କ ପକ୍ଷରୁ ଆନୁଷ୍ଠାନିକ ଅଭିଯୋଗ ମିଳିବା ପରେ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।