କୋଲକାତା: ଶକ୍ତି ସରିଯିବା ପରେ ମଣିଷ ଯେମିତି ଅସହାୟ ହୋଇଯାଏ, କ୍ଷମତା ଚାଲିଯିବା ପରେ ଶାସକ ସେମିତି ଏକା ହୋଇଯାଏ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି। ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ଚାରିପାଖରେ ଷ୍ଟାରମାନେ ଟିକେଟ ଖଣ୍ଡକ ପାଇଁ ଭିଡ଼ ଲଗାଉଥିଲେ। ମମତା କିଛି ଫିଲ୍ମ ଷ୍ଟାରକୁ ଦଳର ଷ୍ଟାର ନେତା କରିଥିଲେ। ହେଲେ ବର୍ତ୍ତମାନ ତାଙ୍କ ଟିଏମ୍‌ସି ସରକାର ଚାଲିଯିବା ପରେ ଜଣଙ୍କ ପରେ ଜଣେ ଷ୍ଟାର ନେତା ତାଙ୍କୁ ଛାଡ଼ି ଚାଲିଯାଉଛନ୍ତି।

ସାୟୋନୀ ଘୋଷ, ରଚନା ବାନାର୍ଜୀ, ମିମି ଚକ୍ରବର୍ତ୍ତୀ, ଦେବ, ରାଜ ଚକ୍ରବର୍ତ୍ତୀ, ଦେବଶ୍ରୀ ରୟ ଆଦି ଅନେକ ନେତା ଟିଏମ୍‌ସି ଛାଡ଼ି ଦେଇସାରିଲେଣି। ଆଉ ଏବେ ଟିଏମ୍‌ସି ରାଜ୍ୟସଭା ସାଂସଦ ତଥା ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ କୋଏଲ୍ ମଲ୍ଲିକ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଯାହା ଟିଏମ୍‌ସି ପାଇଁ ପୁଣି ଏକ ଷ୍ଟାର୍ ଝଟ୍‌କା। ମାତ୍ର ୪ ମାସ ତଳେ କୋଏଲ୍ ଟିଏମ୍‌ସିରୁ ରାଜ୍ୟସଭାକୁ ଯାଇଥିଲେ। ହେଲେ କ୍ଷମତାର ପତନ ପରେ ଅନେକ ଟିଏମ୍‌ସି ସାଂସଦଙ୍କ ବିଦ୍ରୋହ, ନେତାଙ୍କ ଦଳରୁ ଇସ୍ତଫା ଦେବା ଆଦି ଘଟଣା ଭିତରେ କୋଏଲ୍ ଇସ୍ତଫା ଦେବା ଟିଏମ୍‌ସି ପାଇଁ ଏକ ଶକ୍ତ ଝଟ୍‌କା।

ମମତାଙ୍କୁ ଏକା କରିଦେଲେ ବିଶ୍ୱସ୍ଥ

ମମତାଙ୍କ ବିଶ୍ୱସ୍ତ ନେତା ତଥା ଅଭିଜ୍ଞ ତୃଣମୂଳ ବିଧାୟକ ମଦନ ମିତ୍ର ଗତକାଲି ରୀତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଦ୍ରୋହୀ ତୃଣମୂଳ ଶିବିରରେ ଯୋଗ ଦେଇଥିଲେ। ଆଉ ଆଜି କୋଏଲେ ଇସ୍ତଫା ଦେଲେ। ତା ପୂର୍ବରୁ ଟିଏମସି ରାଜ୍ୟସଭା ସାଂସଦ ଭାବରେ ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବାରାଇକ ମଧ୍ୟ ଇସ୍ତଫା ଦେଇ ସାରିଥିଲେ। ଏହି ତିନିଜଣ ଏବେ ବିଜେପି ନେତା।

୪ ମାସ ତଳେ ରାଜ୍ୟସଭାକୁ ଯାଇଥିଲେ କୋଏଲ୍

ପଶ୍ଚିମବଙ୍ଗ ସିନେମାର ଭେଟେରାନ ଅଭିନେତା ରଞ୍ଜିତ ମଲ୍ଲିକଙ୍କ ଝିଅ କୋଏଲ୍ ମଲ୍ଲିକ ଦୀର୍ଘ ୨୦ ବର୍ଷ ଧରି ପଶ୍ଚିମଙ୍ଗ ସିନେ ଇଣ୍ଡଷ୍ଟ୍ରୀରେ ରାଜ କରୁଥିଲେ। ସିନେମା ନାୟିକା ଭାବେ ରାଜ୍ୟରେ ସେ ଖୁବ୍ ଲୋକପ୍ରିୟ ଥିବାରୁ ଟିଏମ୍‌ସି ଏହାର ଫାଇଦା ନେଇ ତାଙ୍କୁ ରାଜ୍ୟସଭା ପଠାଇଥିଲା। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ୪ ମାସ ତଳେ କୋଏଲ୍, ଗାୟକ ବାବୁଲ ସୁପ୍ରିମୟ, ପୂର୍ବତନ ବେଙ୍ଗଲ ଡିଜିପି ରାଜୀବ କୁମାର ଏବଂ ବରିଷ୍ଠ ଆଡଭୋକେଟ୍ ମିନକା ଗୁରୁସ୍ୱାମୀଙ୍କ ସହ ରାଜ୍ୟସଭାକୁ ଯାଇଥିଲେ। ଶପଥ ନେବା ପରେ ସେ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଥିଲେ। ଏବଂ ନୂଆ ଯାତ୍ରା ଆରମ୍ଭ ହେଲା ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ହେଲେ ମାତ୍ର ୪ ମାସ ପରେ ତାଙ୍କର ରାଜ୍ୟସଭା ଯାତ୍ରା ଶେଷ ହୋଇଛି।

୪୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଏତେ କମ୍ ସମୟ ମଧ୍ୟରେ ହଠାତ୍ କାହିଁକି ଇସ୍ତଫା ଦେଲେ ତାର କାରଣ ପ୍ରକାଶ କରିନାହାଁନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂସଦର ମୌସୁମୀ ଅଧିବେଶନକ ଆଉ ମାତ୍ର ୪ ଦିନ ଥିବାରୁ ସେ ଇସ୍ଥଫା ଦେଇଛନ୍ତି। ଫଳରେ ସଂସଦରେ ଟିଏମସି ଦୁର୍ବଳ ହୋଇଛି। ରାଜ୍ୟସଭାରେ ଟିଏମ୍ସି ସଦସ୍ୟ ସଂଖ୍ୟା ୧୩ ରୁ ମାତ୍ର ୯କୁ ଖସି ଆସିଛି।