ନୂଆଦିଲ୍ଲୀ: ଏତେ ବଡ଼ ମଦ ଚୋରି ଆଗରୁ କେବେ ହୋଇନଥିବ । ଡିପୋ ଭିତରେ ପଶି ଦୁଇଟି ବଡ଼ ଟ୍ରକରେ ଭର୍ତ୍ତି କରି ବିୟର ନେଇଗଲେ ଲୁଟେରା । ପ୍ରାୟ ୭୦ ହଜାର ବଟଲ ଚୋରି ହୋଇଥିବା ଜଣାପଡ଼ିଛି । ଏହି ବିୟର କୌଣସି ବାରରେ ପଶିଛି ବୋଲି ପୁଲିସ ସନ୍ଦେହ କରୁଛି । ଏହି ଘଟଣା ଇଂଲଣ୍ଡରେ ଘଟିଛି ।

ଇଂଲଣ୍ଡର ରନ୍‌କୋର୍ଣ୍ଣ ସ୍ଥିତ ଏକ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଡିପୋରୁ ପ୍ରାୟ ୮୦୦ ବ୍ୟାରେଲ୍ 'ଗିନେସ୍' ସ୍ପେଶାଲ୍ ବିୟର ଚୋରି ହୋଇଛି। ଚୋରମାନେ ଦୁଇଟି ହେଭି ଗୁଡ୍ସ ଭେହିକିଲ୍ ଟ୍ରେଲର୍ ସାହାଯ୍ୟରେ ଏହି ବିୟର ନେଇ ଚମ୍ପଟ ମାରିଛନ୍ତି। ଚୋରି ହୋଇଥିବା ବିୟରର ପରିମାଣ ପ୍ରାୟ ୭୦,୦୦୦ ପାଇଣ୍ଟ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧,୧୫,୦୦୦ ପାଉଣ୍ଡ (ପ୍ରାୟ ୧,୫୬,୨୭୯ ଆମେରିକୀୟ ଡଲାର) ହେବ ବୋଲି ଚେସାୟାର ପୁଲିସ ସୂଚନା ଦେଇଛି । 

ପ୍ରଥମ ଟ୍ରକଟି ସନ୍ଧ୍ୟା ପ୍ରାୟ ୭:୪୫ ରେ ଏବଂ ଦ୍ୱିତୀୟ ଟ୍ରକ୍‌ଟି ରାତି ୯:୩୦ ରେ ଡିପୋରୁ ନିଆଯାଇଥିଲା। ଏହି ସବୁ ବିୟର ବ୍ୟାରେଲ୍ ବିଭିନ୍ନ ପବଗୁଡ଼ିକୁ ପଠାଯିବାର ଥିଲା। ପୁଲିସ ସୂଚନା ଅନୁସାରେ, ଦୁଇଜଣ ପୁରୁଷ ଏହି ଟ୍ରକକୁ ଚଲାଉଥିଲେ। ପ୍ରଥମ ଚାଳକ ଜଣକ ଗୋରା ଏବଂ କଳା ଦାଢ଼ି ରଖିଥିବା ବେଳେ ମୁଣ୍ଡରେ ଏକ 'ବିନି' କ୍ୟାପ୍ ପିନ୍ଧିଥିଲେ। ଦ୍ୱିତୀୟ ଡ୍ରାଇଭର ମଧ୍ୟ ଏକ କ୍ୟାପ୍ ପିନ୍ଧିଥିବା ଦେଖାଯାଇଛି।

ସନ୍ଦିଗ୍ଧ ଟ୍ରେଲରଗୁଡ଼ିକ ଧଳା ରଙ୍ଗର ଏବଂ ସେଥିରେ 'GXO' ଲଜିଷ୍ଟିକ୍ସ କମ୍ପାନୀର ବ୍ରାଣ୍ଡିଂ ରହିଛି। ଗାଡ଼ିର ପଛ ପଟ କୋଣରେ ସ୍ୱତନ୍ତ୍ର ନମ୍ବର ଲେଖାଯାଇଛି। ଗୋଟିଏ ଟ୍ରକ୍‌ 'ମର୍ସି ଗେଟୱେ' ବ୍ରିଜ୍ ଆଡ଼କୁ ଏବଂ ଅନ୍ୟଟି 'ରେନ୍‌ହିଲ୍' ଓ 'ୱାଟକିନସନ୍ ୱେ' ଆଡ଼କୁ ଯାଉଥିବା ଦେଖାଯାଇଛି। ତେବେ ଏହି ସମୟରେ ବିଶ୍ୱବ୍ୟାପୀ ଦାମୀ ମଦ ଏବଂ କାର୍ଗୋ ଚୋରି ମାମଲା ବୃଦ୍ଧି ପାଉଛି। କାର୍ଗୋ ସୁରକ୍ଷା ସଂସ୍ଥା 'Verisk CargoNet' ଅନୁସାରେ, କେବଳ ତିନି ମାସରେ ପ୍ରାୟ ୩୦୪ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଚୋରି ହୋଇଛି।

ଚେସାୟାର ପୁଲିସ ବର୍ତ୍ତମାନ ସ୍ଥାନୀୟ ଡ୍ୟାସକ୍ୟାମ୍ ଏବଂ ଆଷ୍ଟନ୍ ଲେନ୍ ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ କିମ୍ବା ବିୟର ଜବତ ହୋଇନାହିଁ। ପୁଲିସ ସାଧାରଣ ଲୋକଙ୍କୁ ଘଟଣା ନମ୍ବର IML-2408641 ଆଧାରରେ ତଥ୍ୟ ଦେବାକୁ ଅନୁରୋଧ କରିଛି।