ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିକାଶ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବୁଧବାର ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (BDA)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରବାସୀଙ୍କୁ ଶସ୍ତାରେ ଘର ଯୋଗାଇଦେବା ସହ ଯାତାୟାତ ଏବଂ ପର୍ଯ୍ୟଟନର ବିକାଶ ପାଇଁ ବିଡିଏ ଏବେ 'ମିଶନ ମୋଡ୍‌'ରେ କାର୍ଯ୍ୟ କରୁଥିବା ବୈଠକ ପରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। 

୧୦୦ ଦିନ ରେ ୧୦୦ଟି ଆବାସ ପ୍ରକଳ୍ପ ସମ୍ପୂର୍ଣ୍ଣ ଲକ୍ଷ୍ୟ 

ମନ୍ତ୍ରୀ କହିଛନ୍ତି,  ବିଡିଏ ଆଗାମୀ ୧୦୦ ଦିନ ମଧ୍ୟରେ ୧୦୦ଟି ଆବାସ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି। ବିଶେଷ କରି ମଧ୍ୟବିତ୍ତ ଓ ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ ପାଇଁ LIG, MIG ଏବଂ EWS ବର୍ଗର ନୂଆ ଆବାସିକ ଯୋଜନା ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ସ୍ଥାନରେ ପଡ଼ିରହିଥିବା ଜମିରେ ପିପିପି (ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍) ମୋଡରେ ଘର ନିର୍ମାଣ କରାଯିବ। ମୁମ୍ବାଇର ଏକ ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରିବ।

ଫେରସ୍ତ ହେବ ୧୦ ହଜାର ଟଙ୍କା

'ଏକାମ୍ର ରେସିଡେନ୍ସି'ରେ ଘର ବୁକିଂ ପାଇଁ ଆବେଦନକାରୀ ଦେଉଥିବା ୧୦ ହଜାର ଟଙ୍କା ଆବେଦନ ଫି'କୁ ଫେରସ୍ତ କରାଯିବ। ପୂର୍ବରୁ ଏହି ଟଙ୍କା ଫେରସ୍ତ ହେବାର ନିୟମ ନଥିଲା। ଏହାସହ, ଘର କିଣିବାର ୩ ବର୍ଷ ପରେ ଯଦି କେହି ତାହା ବିକ୍ରି କରିବାକୁ ଚାହାନ୍ତି, ତେବେ ସେଥିପାଇଁ ବିଡିଏର ଆଉ କୌଣସି ଅନୁମତି (NOC) ନେବା ଆବଶ୍ୟକ ପଡ଼ିବ ନାହିଁ।

ଚଉଡ଼ା ହେବ ୪ଟି ପ୍ରମୁଖ ରାସ୍ତା

 ସହରର ଟ୍ରାଫିକ୍ ସମସ୍ୟା ସୁଧାରିବା ପାଇଁ ୪ଟି ବ୍ୟସ୍ତବହୁଳ ରାସ୍ତାର ପ୍ରଶସ୍ତୀକରଣ କରାଯିବ। ଏଥିରେ ସାମନ୍ତପୁର (ସାମପୁର) ଏବଂ ସୈନିକ ସ୍କୁଲ ରାସ୍ତା ସାମିଲ ରହିଛି। ଏହାସହିତ ୮ରୁ ୧୦ଟି ନୂଆ ଟାଉନ୍ ପ୍ଲାନିଂ  ସ୍କିମ୍ କାର୍ଯ୍ୟକାରୀ କରାଯିବ।

ନିକୋ ପାର୍କର ସୌନ୍ଦର୍ଯ୍ୟକରଣ

ରାଜଧାନୀର ପ୍ରସିଦ୍ଧ 'ନିକୋ ପାର୍କ'ର ପୁନରୁଦ୍ଧାର କରାଯିବ। ପାର୍କ ମଧ୍ୟରେ ବୋଟିଂ, ଓପନ୍ ଜିମ୍ ଏବଂ ମ୍ୟୁଜିୟମ୍‌ର ବ୍ୟବସ୍ଥା କରାଯିବା ସହ ନାଳ ପାଣିର ଟ୍ରିଟ୍‌ମେଣ୍ଟ (ବିଶୋଧନ) ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।