ବଲାଙ୍ଗିର ୧୩।୧୦: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ କ୍ୟାମ୍ପସ ଗୁଡ଼ିକରେ ପ୍ରଚାର ସରଗରମ ହୋଇଛି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜୋରଦାର ହୋଇଛି ପ୍ରଚାର । ଦଳୀୟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ନିଜ ନିଜ ସପକ୍ଷରେ ଭୋଟ୍ ଆକୃଷ୍ଟ କରିବା ପାଇଁ ଶେଷ ଦିନରେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି । ଭୋଟ୍ ହାତେଇବାକୁ ଜି ଜାନ୍ ଲଗାଇଦେଇଛନ୍ତି ଆଶାୟୀ ପ୍ରାର୍ଥୀ । ପ୍ରାର୍ଥୀମାନେ ନିଜର ନିଜର ସମର୍ଥକଙ୍କୁ ଧରି ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । କଲେଜ କ୍ୟାଣ୍ଟିନ୍ ହେଉ କି ହଷ୍ଟେଲ, କମନ୍ ରୁମ୍ ହେଉ କି କ୍ଲାସ୍ ରୁମ୍ ସବୁଠି ପ୍ରଚାର ଜୋରଦାର । ଭୋଟ୍ ହାତେଇବାକୁ ଚାଲିଛି ବଳ କଷାକଷି । ଖାଲି ସେତିକି ନୁହେଁ କ୍ୟାମ୍ପସରେ ଖିଆପିଆ ବି ଜମୁଛି ।

ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖଉଛି ସେତିକ ବଢୁଛି ହିଂସାକାଣ୍ଡ । ଗୋଟିଏ ପଟେ ପ୍ରଚାର ଜମୁଥିବାବେଳେ କିଛି କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଛି । ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ଧମକ ଦିଆଯାଇଥିବା ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଧମକ ଦେଉଥିବା ଛାତ୍ର ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି । BCJDକୁ ଭୋଟ୍ ଦେବା ପାଇଁ ସେ ଛାତ୍ରଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେଉଛନ୍ତି । ଏହି ଅଡିଓଟି BCJD ଜିଲ୍ଲା ସଭାପତି ସୁମନ ନନ୍ଦଙ୍କ ବୋଲି କୁହାଯାଉଛି । ତେବେ ଏ ଅଭିଯୋଗ ପରେ ସୁମନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏନେଇ ନା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି ନା ଛାତ୍ର ନା ଛାତ୍ର ନେତା । ପ୍ରଥମେ ଶୁଣି ନିଅନ୍ତୁ ଛାତ୍ରଙ୍କୁ କିଭଳି ଧମକ ଦେଉଛନ୍ତି ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ।

Also Read:- ସମୁଦ୍ର ଲହଡ଼ିରେ ବୋଟ୍ ଚୁରମାର, ଅଳ୍ପକେ ବର୍ତ୍ତିଗଲେ ୫ ମତ୍ସ୍ୟଜୀବୀ

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ‘ହ୍ୱାଏ ଆଇ ଷ୍ଟାଣ୍ଡ୍ ଫର’ ମିଟିଂ । ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ଆଗରେ ନିଜର ଆଭିମୁଖ୍ୟ ଓ ପ୍ରତିଶ୍ରୁତି ରଖିବେ । ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ମତଦାନ ହେବ । ୧୬ ତାରିଖରେ ଶପଥ ଉତ୍ସବ ।

Watch Video: