ଭୁବନେଶ୍ୱର: ବଙ୍ଗୋପସାଗର ରେ ଲଘୁଚାପ ସମ୍ଭାବନା।ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ "ଲଘୁଚାପ କ୍ଷେତ୍ର" ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହିତ ୧୪ ବେଳକୁ "ସୁଦୃଶ୍ୟ ଲଘୁଚାପ କ୍ଷେତ୍ର"ରେ ପରିଣତ ହେବାର ସମ୍ଭାବନା ରହିଛି।ତେବେ ଏହାର ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ। ଉପକୂଳ ଅଞ୍ଚଳରେ ଆକାଶ ମେଘୁଆ ରହିପାରେ, କିନ୍ତୁ ବର୍ଷାର ସମ୍ଭାବନା ନାହିଁ। ଆଗାମୀ ୭ ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଆଗାମୀ ୨ରୁ ୩ ଦିନ ମଧ୍ୟରେ ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା।ତାପମାତ୍ରାରେ ମଧ୍ୟ ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ ୭ ଦିନ ରାତି ତାପମାତ୍ରା ପ୍ରାୟ ସ୍ଥିର ରହିବ।

କିଛି ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସ୍ୱାଭାବିକଠାରୁ ୫.୨ ଡିଗ୍ରୀ ଅଧିକ ରହିଛି।ଏପଟେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୧୪.୫ ଡିଗ୍ରୀ ସେଲସିୟସ୍ ସହ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସିମିଳିଗୁଡ଼ାରେ ୧୧.୬, ଦାରିଙ୍ଗବାଡ଼ିରେ ୧୪, କଟକରେ ୧୭.୪ ଏବଂ ଭୁବନେଶ୍ୱରରେ ୧୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।

ନଭେମ୍ବର ମାସର ପୂର୍ବାନୁମାନ ଅନୁସାରେ, ଅଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍ ରହିପାରେ। ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ କିମ୍ବା ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି।