ଦିଗପହଣ୍ଡି ୨୮।୧୧ : ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିଲେ, ତାଙ୍କ ମୃତ୍ୟୁ ପରେ ମଶାଣୀରେ ଜମିଲା ଶହ ଶହ ମାଙ୍କଡ଼ଙ୍କ ଭିଡ଼ ! ଏ ଦୃଶ୍ୟ ଦେଖି ତାଜୁବ ଗ୍ରାମବାସୀ । ଜଣେ କଳାକାରଙ୍କ ମୃତ୍ୟୁ ପରେ ଗାଁ ମଶାଣିରେ ଏମିତି ଅସ୍ୱାଭାବିକ ଦୃଶ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ମଞ୍ଚରେ ଯେତେବେଳେ ହନୁମାନଙ୍କ ରୂପ ଧାରଣ କରୁଥିଲେ, ଦର୍ଶକଙ୍କ ମନରେ ଭକ୍ତି ଓ ଉତ୍ସାହ ଭରି ଦେଉଥିଲେ । ହନୁମାନଙ୍କ ଚରିତ୍ରକୁ ଏତେ ଜୀବନ୍ତ ଭାବେ ଅଭିନୟ କରୁଥିଲେ ଯେ, ଦର୍ଶକମାନେ ତାଙ୍କ ଅଭିନୟରେ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ । ହେଲେ ଆଜି ସେହି କଳାକାର ଆଉ ନାହାନ୍ତି । ତାଙ୍କ ମୃତ୍ୟୁ ପରେ ଗାଁ ମଶାଣୀରେ ଯାହା ଦେଖିବାକୁ ମିଳୁଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଳାକାରଙ୍କ ଶେଷକୃତ୍ୟ ଯେଉଁ ସ୍ଥାନରେ ସମ୍ପନ୍ନ ହୋଇଥିଲା, ସେହି ମଶାଣିରେ ଏବେ ଦେଖିବାକୁ ମିଳୁଛି ଶହ ଶହ ହନୁ ମାଙ୍କଡ଼ଙ୍କ ଭିଡ଼ । ମଶାଣୀ ପରିସରରେ ଦଳ ଦଳ ହୋଇ ବସି ରହିଛନ୍ତି ମାଙ୍କଡ଼ । କେହି ଗଛ ଉପରେ ତ ଆଉ କେହି ତଳେ । ସମଗ୍ର ଅଞ୍ଚଳ ମାଙ୍କଡ଼ଙ୍କ ଉପସ୍ଥିତିରେ ଭରି ରହିଛି । ଏହି ଦୃଶ୍ୟ ଦେଖିବା ପରେ ଗ୍ରାମବାସୀଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ ।

Also Read:-ନନ୍ଦନକାନନରେ ବାଘ ‘ସୈଫ୍’ର ମୃତ୍ୟୁ, ୨୫କୁ ଖସିଲା ବାଘ ସଂଖ୍ୟା

ଗ୍ରାମବାସୀଙ୍କ କହିବା ଅନୁସାରେ, କଳାକାରଙ୍କ ମୃତ୍ୟୁ ପରଠାରୁ ମାଙ୍କଡ଼ମାନେ ଏହି ମଶାଣୀରେ ରହୁଛନ୍ତି । ବାରମ୍ବାର ଏଠାକୁ ଆସୁଛନ୍ତି ଏବଂ ସେହି ସ୍ଥାନ ଛାଡ଼ି ଯାଉନାହାନ୍ତି । ଏତେ ସଂଖ୍ୟକ ମାଙ୍କଡ଼ଙ୍କୁ ଏକାଠି ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ସାଧାରଣତଃ ମାଙ୍କଡ଼ମାନେ ଖାଦ୍ୟ ଓ ଆଶ୍ରୟ ଖୋଜି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ହେଲେ ଏଠାରେ ଏତେ ସଂଖ୍ୟାରେ ମାଙ୍କଡ଼ଙ୍କ ଉପସ୍ଥିତି ଲୋକଙ୍କ ମନରେ କୌତୂହଳ ସୃଷ୍ଟି କରିଛି ।

ସବୁଠାରୁ ଆକର୍ଷଣୀୟ କଥା ହେଉଛି, ମୃତ କଳାକାର ମଞ୍ଚରେ ହନୁମାନଙ୍କ ଭୂମିକା ନିଭାଉଥିଲେ । ଆଉ ତାଙ୍କ ଶେଷକୃତ୍ୟ ସ୍ଥଳରେ ହନୁ ମାଙ୍କଡ଼ଙ୍କ ଏଭଳି ଉପସ୍ଥିତିକୁ ନେଇ ଅନେକେ ଭିନ୍ନ ଭିନ୍ନ ଆଲୋଚନା କରୁଛନ୍ତି । କିଛି ଲୋକ ଏହାକୁ ଏକ ଆଶ୍ଚର୍ଯ୍ୟଜନକ ସଂଯୋଗ ବୋଲି ଦେଖୁଥିବାବେଳେ, ଆଉ କିଛି ଲୋକ ଏହାକୁ ଧାର୍ମିକ ଭାବନା ସହ ଯୋଡ଼ି ଦେଖୁଛନ୍ତି ।