ଭୁବନେଶ୍ୱର ୨୮।୧୧ : ଆଭ୍ୟନ୍ତରୀଣରୁ ଉପକୂଳ, ସବୁଠି ଅଚାନକ ମାଡ଼ି ଆସିଛି ଶୀତ। ଗୁରୁବାର ରାତିରୁ ଶୀତ ବଢ଼ିଥିଲା। ଶୁକ୍ରବାର ରାତିରୁ ଥଣ୍ଡା ପ୍ରକୋପ ଆହୁରି ବଢ଼ିଯାଇଛି । ଅନୁମାନ କରାଯାଉଛି, ଜାଡ଼ ଆହୁରି ଥରାଇବ।

ରାଜ୍ୟକୁ ଦୁଇଦିନ ହେବ ଉତ୍ତରା ପବନ ପ୍ରବାହ ବଢ଼ିଛି । ଗୁରୁବାର ରାତିରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଇଛି । ଜି.ଉଦୟଗିରିରେ ଗୁରୁବାର ରାତି ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍ ଥିଲା । ଦାରିଙ୍ଗିବାଡ଼ି ୧୧.୫, ଝାରସୁଗୁଡ଼ା ୧୧.୮, ଫୁଲବାଣୀ ୧୨, କିରେଇ ୧୩.୫, ରାଇରକେଲା ୧୩.୬, ସେମିଳିଗୁଡ଼ା ୧୩.୬ ଡିଗ୍ରୀ ଥିଲା। କେବଳ ଦକ୍ଷିଣ, ଆଭ୍ୟନ୍ତରୀଣ କିମ୍ବା ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳ ଅଞ୍ଚଳରେ ବି ଖସିଛି ପାରଦ। ଭଦ୍ରକର ରାଣୀଚାଲରେ ୧୪ ଡିଗ୍ରୀ, ବାଲେଶ୍ୱରରେ ୧୫, କଟକରେ ୧୫.୨, ଅନୁଗୁଳ ୧୫, ଢେଙ୍କାନାଳର ମହିଷାପାଟରେ ୧୫.୯, ବାରିପଦା ୧୬, ଭୁବନେଶ୍ୱରରେ ୧୬.୪ ଡିଗ୍ରୀ ରେକର୍ଡ ହୋଇଥିଲା। ସ୍ବାଭାବିକ ତୁଳନାରେ ପାରଦ ଦେଢରୁ ଅଢ଼େଇ ଡିଗ୍ରୀ କମିଛି ।

Also Read:-ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମ୍ରା: ଛାଡି ଦେବେ କି ଦଳ ?

ତେବେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ବର କାର୍ଯ୍ୟାଳୟ ପକ୍ଷରୁ ଜାରି ପୂର୍ବାନୁମାନ କରାଯାଇଛି, ଆସନ୍ତା ୨ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଶନିବାର ସକାଳ ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ।