ନୂଆଦିଲ୍ଲୀ ୨୮।୧୧; ଆସୁଛି କି ମାନବ ସଭ୍ୟତା ପାଇଁ ବଡ଼ ବିପଦ? କରୋନା ମହାମାରୀ ଠାରୁ ମଧ୍ୟ ଭୟଙ୍କର ସ୍ଥିତି ଆସିବାକୁ ଯାଉଛି କି? ୨୦୨୭କୁ ନେଇ ଏଭଳି ଏକ ଭୟଙ୍କର ଆକଳନ କରିଛନ୍ତି ଜଣେ ଏଆଇ ସୁରକ୍ଷା ଗବେଷକ। ତାଙ୍କ ମତରେ, ନିୟନ୍ତ୍ରଣହୀନ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଗାମୀ ଦିନରେ ମାନବଜାତି ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ। ଏହି ଚେତାବନୀ ଦେଇଛନ୍ତି ନିକୋଲା ଜୁରକୋଭିକ୍। ସେ METR ନାମକ ଏକ ଅଣଲାଭକାରୀ ସଂସ୍ଥାର ଟେକ୍ନିକାଲ୍ ଷ୍ଟାଫ୍ ସଦସ୍ୟ। ଏହି ସଂସ୍ଥା ଉନ୍ନତ ଏଆଇ ସିଷ୍ଟମ୍ଗୁଡ଼ିକ କେତେ ସୁରକ୍ଷିତ ଏବଂ ସେଥିରୁ କି ପ୍ରକାର ବିପଦ ରହିଛି, ତାହା ପରୀକ୍ଷା କରିଥାଏ।

ଜୁରକୋଭିକ୍ ନିଜ ପରିବାର ଓ ପ୍ରିୟଜନଙ୍କ ପାଇଁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଏଆଇକୁ ନେଇ ନିଜର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏଆଇର ବିକାଶ ଯେଉଁ ଗତିରେ ହେଉଛି, ତାହା ଆଗାମୀ ଦିନରେ ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ। ତାଙ୍କ ଆକଳନ ଅନୁସାରେ, ଏଆଇ ଆଗାମୀ ଦିନରେ କେବଳ ମଣିଷର କାମକୁ ସହଜ କରିବ ନାହିଁ, ବରଂ ବଡ଼ ବଡ଼ ସାଇବର ଆକ୍ରମଣର ମାଧ୍ୟମ ମଧ୍ୟ ହୋଇପାରେ। ଏଆଇ ସାହାଯ୍ୟରେ ଅନେକ କମ୍ପାନୀର ସିଷ୍ଟମ୍ ହ୍ୟାକ୍ ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇପାରେ। କେବଳ ସେତିକି ନୁହେଁ, ଏଆଇ ଯଦି ଦେଶର ବିଦ୍ୟୁତ୍ ବ୍ୟବସ୍ଥା, ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ କିମ୍ବା ଅନ୍ୟାନ୍ୟ ଜରୁରୀ ଭିତ୍ତିଭୂମିରେ ପ୍ରବେଶ କରେ, ତେବେ ବଡ଼ ଧରଣର ବିପର୍ଯ୍ୟୟ ଘଟିପାରେ।

ଜୁରକୋଭିକଙ୍କ ଆକଳନ ଅନୁସାରେ, ୨୦୨୭ ମସିହା ଭିତରେ ଏଆଇ ବୁଦ୍ଧିମତ୍ତାରେ ମଣିଷକୁ ଅତିକ୍ରମ କରିପାରେ। ଏହି ପରିସ୍ଥିତିରେ ଏଆଇକୁ ନିୟନ୍ତ୍ରଣ କରିବା ମଣିଷ ପାଇଁ କଷ୍ଟକର ହୋଇପାରେ। ତାଙ୍କ ଆଶଙ୍କା ଅନୁସାରେ, ୨୦୩୦ ମସିହା ଶେଷ ହେବା ପୂର୍ବରୁ ମାନବଜାତି ନିଜର ଅସ୍ତିତ୍ୱ ହରାଇବା କିମ୍ବା ନିଜ ନିଷ୍ପତ୍ତି ନେବାର କ୍ଷମତା ହରାଇବା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏପରିକି ୨୦୨୭ ଶେଷରେ ଲୋକମାନେ ସାଧାରଣ ଭାବରେ ପର୍ବପର୍ବାଣୀ ପାଳନ କରିପାରିବେ କି ନାହିଁ, ସେନେଇ ମଧ୍ୟ ସେ ୫ରୁ ୨୦ ପ୍ରତିଶତ ସମ୍ଭାବନାର ଆକଳନ କରିଛନ୍ତି। ଏଆଇ ଯୋଗୁଁ କେବଳ ମାନବ ସୁରକ୍ଷା ନୁହେଁ, ବିଶ୍ୱ ଅର୍ଥନୀତି ମଧ୍ୟ ବଡ଼ ଧରଣର ପ୍ରଭାବିତ ହୋଇପାରେ । ଅନେକ କ୍ଷେତ୍ରରେ ମଣିଷଙ୍କ ବଦଳରେ ଏଆଇ କାମ କରିବ। ଫଳରେ ବେକାରୀ ସମସ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି।ଏହି ସମ୍ଭାବ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଜୁରକୋଭିକ୍ ନିଜ ପରିବାରକୁ କିଛି ଆଗୁଆ ପ୍ରସ୍ତୁତି ନେବାକୁ କହିଛନ୍ତି।