ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚ ସ୍ଥିତ ହାଗଲି ଓଭାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଲାଯାଉଛି । ଦ୍ୱିତୀୟ ଟେଷ୍ଟରେ ବୁମରାଙ୍କ ବୋଲିଂ ଶୈଳୀରେ ଦେଖିବାକୁ ମିଳିଥିଲା ପରିବର୍ତ୍ତନ । ସେ ନିଜର ପାରମ୍ପରିକ ବୋଲିଂ ରନ୍ ଅପରେ କିଛିଟା ପରିବର୍ତ୍ତନ କରିଥିବା ଦେଖାଯାଇଥିଲା । ସାଧାରଣତଃ ବୁମରା ବୋଲିଂ କରିବାକୁ ଦୌଡ଼ି ଆସିବା ସମୟରେ ଦୁଇ ହାତରେ ବଲକୁ ଧରିଥାନ୍ତି । କିନ୍ତୁ ଏଥର ସେ ଗୋଟିଏ ହାତରେ ବଲ୍ ଧରି ରନ୍ ଅପ୍ ନେଉଥିବା ନଜର ଆସିଥିଲେ । ଏହା ସହ ତାଙ୍କ ପାଦର ଗତିବିଧିରେ ମଧ୍ୟ କିଛିଟା ପରିବର୍ତ୍ତନ ଦେଖାଯାଇଥିଲା । ତେବେ ବଲ୍ ଫିଙ୍ଗିବାର ଠିକ୍ ପୂର୍ବରୁ ତାଙ୍କର ମୂଳ ବୋଲିଂ ଆକ୍ସନରେ ବିଶେଷ ପରିବର୍ତ୍ତନ ହୋଇନଥିଲା ।

ବୁମରାଙ୍କ ଏହି ପରିବର୍ତ୍ତନ ପଛରେ କୌଣସି ବିଶେଷ ରଣନୀତି ରହିଛି କି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡର ପିଚରେ ଭାରତୀୟ ବୋଲରମାନେ ବିଶେଷ ସଫଳତା ପାଉନଥିବାରୁ ବୁମରା ନିଜ ବୋଲିଂରେ କିଛି ନୂଆ ପରୀକ୍ଷା କରୁଥିବା ଅନୁମାନ କରାଯାଉଛି । ଏହି ପରିବର୍ତ୍ତନ ହଠାତ୍ ନଥିଲା । ମ୍ୟାଚ୍ ପୂର୍ବରୁ ଅଭ୍ୟାସ ସମୟରେ ମଧ୍ୟ ବୁମରା ଏହି ଶୈଳୀରେ ବୋଲିଂ କରିଥିବା ଜଣାପଡ଼ିଛି ।

 

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଆକାଶ ଦୀପଙ୍କୁ ବୁମରାଙ୍କ ନୂଆ ବୋଲିଂ ଶୈଳୀ ସମ୍ପର୍କରେ ପଚରା ଯାଇଥିଲା । ସେତେବେଳେ ସେ କହିଥିଲେ, “ଯଦି ଯଶପ୍ରୀତ ବୁମରା କିଛି କରୁଛନ୍ତି, ତେବେ ନିଶ୍ଚିତ ଭାବେ ତାହା ପଛରେ କିଛି କାରଣ ଥିବ । ଆମେ ତାଙ୍କ ବିଷୟରେ କ'ଣ ମତ ଦେଇପାରିବୁ ? ସେ ଅଭ୍ୟାସ ମ୍ୟାଚ୍ ପୂର୍ବରୁ ମଧ୍ୟ ଏହିଭଳି ବୋଲିଂ ଅଭ୍ୟାସ କରୁଥିଲେ । ସମ୍ଭବତଃ ତାଙ୍କ ମନରେ କୌଣସି ନିର୍ଦ୍ଦିଷ୍ଟ ଯୋଜନା ରହିଛି । ସେଥିପାଇଁ ସେ ଏପରି କରୁଛନ୍ତି ।”