ନୂଆଦିଲ୍ଲୀ ୨୮।୧୧: ଦକ୍ଷିଣ କୋରିଆର ଏହି ହାଇପ୍ରୋଫାଇଲ୍ ଡିଭୋର୍ସ କେସ୍ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାରେ । ବିବାହ ବିଚ୍ଛେଦ ମାମଲାରେ ୫,୫୦୦ କୋଟି ଟଙ୍କାର ଛାଡ଼ପତ୍ର । ଦେଶର ପ୍ରମୁଖ ଶିଳ୍ପଗୋଷ୍ଠୀ SK Groupର ଅଧ୍ୟକ୍ଷ ଚେ ତାଏ-ୱନ୍ ଏବଂ ତାଙ୍କ ପୂର୍ବତନ ପତ୍ନୀ ରୋହ ସୋ-ୟଙ୍ଗଙ୍କ ମଧ୍ୟରେ ଚାଲିଥିବା ଏହି ଆଇନଗତ ଲଢ଼େଇକୁ 'ଶତାବ୍ଦୀର ଛାଡ଼ପତ୍ର' ବୋଲି କୁହାଯାଉଛି । ପ୍ରାୟ ୯ ବର୍ଷ ଧରି ଚାଲିଥିବା ଏହି ମାମଲାରେ ଏବେ ପୁଣି ନୂଆ ମୋଡ଼ ଆସିଛି । ୯୪୪ ବିଲିୟନ୍ ୱନ୍ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୫,୫୦୦ରୁ ୫,୯୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଥିବା ଶିଳ୍ପପତିଙ୍କ ପ୍ରସ୍ତାବକୁ ପତ୍ନୀ ଖାରଜ କରିଦେଇଛନ୍ତି ।

୧୯୮୮ ମସିହାରେ ଚେ ତାଏ-ୱନ୍ ଦକ୍ଷିଣ କୋରିଆର ତତ୍କାଳୀନ ରାଷ୍ଟ୍ରପତି ରୋହ ତାଏ-ୱୁଙ୍କ ଝିଅ ରୋହ ସୋ-ୟଙ୍ଗଙ୍କୁ ବିବାହ କରିଥିଲେ । ହେଲେ ୨୦୧୫ ମସିହାରେ ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଚେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଏବଂ ତାଙ୍କର ଏକ ସନ୍ତାନ ଥିବା କଥା ସାର୍ବଜନୀନ ଭାବେ ସ୍ୱୀକାର କରିଥିଲେ । ଏହାପରେ ୨୦୧୭ରେ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିଲା ଦୀର୍ଘ ଆଇନଗତ ଲଢ଼େଇ ।

କେବଳ ଛାଡ଼ପତ୍ର ନୁହେଁ, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଲଢ଼େଇ:

ଏହି ମାମଲା କେବଳ ବିବାହ ବିଚ୍ଛେଦ ମଧ୍ୟରେ ସୀମିତ ନାହିଁ । ଏହାର ମୁଖ୍ୟ ବିବାଦ ହେଉଛି ସମ୍ପତ୍ତି ଓ କମ୍ପାନୀର ମାଲିକାନାକୁ ନେଇ । SK Group ହେଉଛି ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀ SK Hynixର ପ୍ୟାରେଣ୍ଟ ଗ୍ରୁପ୍ । ଏହି କମ୍ପାନୀ Nvidia ଭଳି ବଡ଼ ଟେକ୍ନୋଲୋଜି କମ୍ପାନୀକୁ ଚିପ୍ ଯୋଗାଇଥାଏ । ରୋହ ସୋ-ୟଙ୍ଗଙ୍କ ଦାବି ହେଉଛି, SK Groupର ବିସ୍ତାରରେ ତାଙ୍କର ଏବଂ ତାଙ୍କ ବାପାଙ୍କ ରାଜନୈତିକ ପ୍ରଭାବର ବଡ଼ ଯୋଗଦାନ ରହିଛି । ତେଣୁ କମ୍ପାନୀର ଅଂଶଧନ ଓ ସମ୍ପତ୍ତିରେ ତାଙ୍କୁ ଭାଗ ମିଳିବା ଉଚିତ ବୋଲି ସେ ଦାବି କରିଛନ୍ତି ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁଲାଇ ୨୦୨୬ରେ ସିଓଲ୍ ହାଇକୋର୍ଟ ପୁଣି ମାମଲାର ଶୁଣାଣି କରିଥିଲେ । ଅବୈଧ ପାଣ୍ଠିର ପ୍ରସଙ୍ଗକୁ ବାଦ୍ ଦେଇ ଦାମ୍ପତ୍ୟ ଜୀବନ ଓ ପରିବାର ପ୍ରତି ରୋହଙ୍କ ଯୋଗଦାନକୁ ବିଚାରକୁ ନିଆଯାଇଥିଲା । ଏହାପରେ ଚେଙ୍କୁ ରୋହଙ୍କୁ ୯୪୪ ବିଲିୟନ୍ ୱନ୍ ଅର୍ଥାତ୍ ପ୍ରାୟ ୫,୫୦୦ରୁ ୫,୯୦୦ କୋଟି ଟଙ୍କା ନଗଦ ଦେବାକୁ ଆଦେଶ ଦିଆଯାଇଥିଲା ।

ନଭେମ୍ବର ୨୦୨୬ର ଶେଷ ସପ୍ତାହରେ ଏହି ମାମଲାରେ ପୁଣି ନୂଆ ମୋଡ଼ ଆସିଛି । ଜୁଲାଇର ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ଚେ, ଟଙ୍କା ଯୋଗାଡ଼ କରିବା ପାଇଁ SK Inc.ରେ ନିଜର କିଛି ଅଂଶଧନ ବିକ୍ରି କରିଥିବା ଜଣାପଡ଼ିଛି । ନଭେମ୍ବର ୨୩ରେ ତାଙ୍କ ଓକିଲମାନେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା କରାଇବାକୁ ଅନୁରୋଧ କରିଥିଲେ । ଏଥିରେ ପୂରା ୯୪୪ ବିଲିୟନ୍ ୱନ୍ ଦେବାକୁ ଚେ ପ୍ରସ୍ତୁତ ଥିବା କହିଥିଲେ । କିନ୍ତୁ, ନଭେମ୍ବର ୨୫ରେ ରୋହ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ । ଚେ ସିଧାସଳଖ ସୁପ୍ରିମକୋର୍ଟରୁ ନିଜ ଆବେଦନ ପ୍ରତ୍ୟାହାର କରନ୍ତୁ ବୋଲି ରୋହଙ୍କ ଓକିଲମାନେ ଦାବି କରିଛନ୍ତି ।