World Athletics U20 Championships 2026: ବିଶ୍ୱ ଆଥଲେଟିକ୍ସ ୟୁ-୨୦ ଚାମ୍ପିୟନଶିପରେ ଭାରତ ପାଇଁ ଆସିଛି ଐତିହାସିକ ସଫଳତା। ପୁରୁଷ ହାଇଜମ୍ପରେ ଭାରତୀୟ ଆଥଲେଟ୍ ବସନ୍ତ କୁମାର ମେଘୱାଲ ରୌପ୍ୟ ପଦକ ଜିତିଛନ୍ତି। ସେ ୨.୨୧ ମିଟର ଉଚ୍ଚତା ଡେଇଁ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନର ସମକକ୍ଷ ହୋଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏହା ଚାମ୍ପିୟନଶିପ୍‌ରେ ଭାରତର ଦ୍ୱିତୀୟ ପଦକ ହୋଇଥିବା ବେଳେ ହାଇଜମ୍ପରେ ପ୍ରଥମ ଭାରତୀୟ ଭାବେ ବସନ୍ଦ ଏହି ସଫଲତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ଆଲଜେରିଆର ୟୁନେସ ଆୟାଚି ୨.୨୧ ମିଟର ଡେଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଗ୍ରେଟ୍ ବ୍ରିଟେନର ଓଟିସ୍ ପୁଲ୍ ୨.୨୧ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି।

Also Read- ୧୫ ବର୍ଷ ନୁହେଁ, ବୟସ ଲୁଚାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ ! ସତ କହିଦେଲେ ବ୍ରେଟ୍ ଲି

୨.୨୧ ମିଟର ଡେଇଁଲେ, ଗୋଟିଏ ଚେଷ୍ଟାରେ ହେଲା ପଦକ ନିର୍ଦ୍ଧାରଣ

ବସନ୍ତ, ଆୟାଚି ଓ ପୁଲ୍ ତିନିଜଣ ଯାକ ୨.୨୧ ମିଟର ଉଚ୍ଚତା ଅତିକ୍ରମ କରିଥିଲେ। ତେବେ ତିନିଜଣଙ୍କ ପ୍ରୟାସର ସଫଳତା ହିଁ ନିଜ ନିଜର ପଦକ ନିର୍ଦ୍ଧାରଣ କରିଥିଲା। ଆୟାଚି ପ୍ରଥମ ପ୍ରୟାସରେ ୨.୨୧ ମିଟର ଅତିକ୍ରମ କରିଥିଲେ। ଏହି ଉଚ୍ଚତା ପାର୍ କରିବା ପାଇଁ ବସନ୍ତ ଦୁଇଥର ପ୍ରୟାସ କରି ସଫଳ ହୋଇଥିଲେ। ଅନ୍ୟପକ୍ଷରେ ପୁଲ୍ ତୃତୀୟ ପ୍ରୟାସରେ ୨.୨୧ ମିଟର ଅତିକ୍ରମ କରିଥିଲେ। ଫଳରେ କାଉଣ୍ଟବ୍ୟାକ୍ ନିୟମ ଅନୁସାରେ ଆୟାଚିଙ୍କୁ ସ୍ୱର୍ଣ୍ଣ, ବସନ୍ତଙ୍କୁ ରୌପ୍ୟ ଏବଂ ପୁଲଙ୍କୁ କାଂସ୍ୟ ପଦକ ମିଳିଛି।

ଏମିତି ଥିଲା ବସନ୍ତଙ୍କ ପ୍ରଦର୍ଶନ

ଫାଇନାଲରେ ବସନ୍ତ ୨.୦୬ ମିଟରରୁ ନିଜ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମ ପ୍ରୟାସରେ ହିଁ ସେ ଏହି ଉଚ୍ଚତା ଅତିକ୍ରମ କରିଥିଲେ। ଏହାପରେ ୨.୧୨ ମିଟର ଉଚ୍ଚତା ପାଇଁ ତାଙ୍କୁ ଦୁଇଟି ପ୍ରୟାସ କରିବାକୁ ପଡ଼ିଥିଲା। ୨.୧୭ ମିଟର ଉଚ୍ଚତାକୁ ସେ ପୁଣି ପ୍ରଥମ ପ୍ରୟାସରେ ଅତିକ୍ରମ କରିଥିଲେ। ଏହାପରେ ବାର୍କୁ ୨.୨୧ ମିଟରକୁ ବଢ଼ାଯାଇଥିଲା। ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ଦ୍ୱିତୀୟ ପ୍ରୟାସରେ ବସନ୍ତ ଏହାକୁ ସଫଳତାର ସହ ଅତିକ୍ରମ କରିଥିଲେ।

ବସନ୍ତଙ୍କ ସମ୍ପୂର୍ଣ୍ଣ ସିରିଜ୍:

୨.୦୬ ମିଟର – ପ୍ରଥମ ପ୍ରୟାସରେ ସଫଳ
୨.୧୨ ମିଟର – ଦ୍ୱିତୀୟ ପ୍ରୟାସରେ ସଫଳ
୨.୧୭ ମିଟର – ପ୍ରଥମ ପ୍ରୟାସରେ ସଫଳ
୨.୨୧ ମିଟର – ଦ୍ୱିତୀୟ ପ୍ରୟାସରେ ସଫଳ

ନିଜ ପର୍ସନାଲ ବେଷ୍ଟ ସହ ସମକକ୍ଷ

୨.୨୧ ମିଟର ଡେଇଁ ବସନ୍ତ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନର ସମକକ୍ଷ ହୋଇଛନ୍ତି। ୟୁ-୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ର ପୁରୁଷ ହାଇଜମ୍ପରେ ତାଙ୍କ ଏହି ରୌପ୍ୟ ପଦକ ଭାରତ ପାଇଁ ଏକ ବଡ଼ ଉପଲବ୍ଧି।

ଆୟାଚି, ବସନ୍ତ ଓ ପୁଲ୍ ୨.୨୧ ମିଟରରେ ସମାନ ଉଚ୍ଚତା ଅତିକ୍ରମ କରିଥିବାରୁ ଅତିକ୍ରମ କରିବାକୁ ନେଇଥିବା ପ୍ରୟାସ ଆଧାରରେ ଫଳାଫଳ ନିର୍ଦ୍ଧାରିତ ହୋଇଥିଲା। ଆୟାଚି ପ୍ରଥମ ପ୍ରୟାସରେ ସଫଳ ହୋଇ ସ୍ୱର୍ଣ୍ଣ ଜିତିଥିବା ବେଳେ ବସନ୍ତ ଦ୍ୱିତୀୟ ପ୍ରୟାସରେ ସଫଳ ହୋଇ ରୌପ୍ୟ ହାସଲ କରିଛନ୍ତି। ୨.୧୭ ମିଟର ଥିଲା ପରବର୍ତ୍ତୀ ସର୍ବୋତ୍ତମ ଉଚ୍ଚତା। ଆମେରିକାର ମାଡକ୍ସ କ୍ରୋଟଜର, ଗ୍ରେଟ୍ ବ୍ରିଟେନର ସାମୁଏଲ ଜେମ୍ସ ଏବଂ ଗ୍ରୀସର ଚାରାଲାମ୍ପୋସ୍ ଆଲିଭିଜାଟୋସ୍ ୨.୧୭ ମିଟର ଡେଇଁଥିଲେ। ତେବେ ବସନ୍ତଙ୍କ ଏହି ପ୍ରଦର୍ଶନ ବିଶ୍ୱ ଆଥଲେଟିକ୍ସ ଅଣ୍ଡର-୨୦ ଚାମ୍ପିୟନଶିପ୍ର ପୁରୁଷ ହାଇଜମ୍ପରେ ଭାରତ ପାଇଁ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।