ଢାକାତାରିକ ରହମାନ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନ୍‌ପି) ନିର୍ବାଚନ ଜିତିବା ପରେ ଦଳର ନବକଳେବର ହୋଇଥିବା କୁହାଯାଉଛି। ଦଳ ଇସ୍ଲାମିକ ମୌଳବାଦି ଚିନ୍ତାଧାରାକୁ ପଛରେ ପକାଇ ଗଣତାନ୍ତ୍ରୀକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଛି। ତେଣୁ ଭାରତ ସହ ସବୁ ପ୍ରକାର ସମ୍ପର୍କ ମଜଭୁତ କରିବାକୁ ଚାହୁଁଛନ୍ତି ବାଂଲାଦେଶ ସରକାର। ଟି-୨୦ ବିଶ୍ୱକପ୍ ୨୦୨୬ ଠାରୁ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା କ୍ରିକେଟ୍ ବିବାଦକୁ ସମାଧାନ କରିବାକୁ ଗୁରୁତ୍ୱ ଦେଇଛନ୍ତି ତାରିକ ସରକାର। ଏନେଇ ବାଂଲାଦେଶର ନୂଆ କ୍ରୀଡ଼ା ମନ୍ତ୍ରୀ ଅମିନୁଲ ହକ୍ ସଂକେତ ଦେଇଛନ୍ତି।

ଅମିନୁଲ କହିଛନ୍ତି ସେ ଭାରତୀୟ ଡେପୁଟି ହାଇକମିଶନରଙ୍କ ସହିତ କଥା ହୋଇଛନ୍ତି। ବନ୍ଧ୍ୱତ୍ୱପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସୃଷ୍ଟି ହୋଇଥିବା ବିଭେଦ ଦୂର କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ତା’ ଛଡ଼ା ସୃଷ୍ଟି ହୋଇଥିବା ବିବାଦ ପାଇଁ ସେ ବାଂଲାଦେଶ କ୍ରିକେଟ ବୋର୍ଡ ଅଧିକାରୀଙ୍କ ନିର୍ବାଚନକୁ ସମାଲୋଚନା କରିଛନ୍ତି। ଏବଂ ଏହା ଉପରେ ପ୍ରଶ୍ନ ଉଠାଯାଇପାରେ ବୋଲି ଅମିନୁଲ କହିଥିବା ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି।

ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ଖରାପ ହୋଇଥିଲା। ବଂଲାଦେଶ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ୍ରୁ ହଟାଇ ଦିଆଯିବା ପରେ ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତରେ ବିଶ୍ୱକପ୍ ଖେଳିବାକୁ ମନା କରି ଦେଇଥିଲା। ଦଳକୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ବି ବିସିବି ରାଜି ନହେବାରୁ ଆଇସିସି ବାଂଲାଦେଶକୁ ଟି-୨୦ ବିଶ୍ୱକପ୍ରୁ ହଟାଇ ଦେଇ ତା’ ସ୍ଥାନରେ ସ୍କଟଲ୍ୟାଣ୍ଡକୁ ସାମିଲ୍ କରିଥିଲା ହେଲେ କୌଣସି ଦଳକୁ କୌଣସି ଦଣ୍ଡବିଧାନ କରାଯାଇ ନଥିଲା।

ଏହି ଗୋଟିଏ କଥା ନୁହେଁ, ଶେଖ ହସିନାଙ୍କ ଆୱାମୀ ଲିଗ୍ର ବିଶ୍ୱସ୍ତ କ୍ରିକେଟର ଶାକିବ ଅଲ ହସନ ଓ ମସ୍ରଫ ବିନ ମୁର୍ତ୍ତାଜାଙ୍କ ବିରୁଦ୍ଧରେ ହୋଇଥିବା ମାମଲାର ମଧ୍ୟ ସେ ସମାଧାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଦୁଇ ଖେଳାଳି ଆୱାମୀ ଲିଗ୍ର ସାଂସଦ ଥିଲେ। ୨୦୨୪ ଜୁଲାଇ-ଅଗଷ୍ଟ ମଧ୍ୟରେ ମହମ୍ମଦ ୟୁନୁସ ଅନ୍ତରୀଣ ସରକାର ଦାୟିତ୍ୱ ନେବା ପରେ ଏହି ଦୁଇ ଖେଳାଳି ବାଂଲାଦେଶ କ୍ରିକେଟ୍ ଟିମ୍କୁ ଫେରି ନାହାନ୍ତି। ମୁର୍ତ୍ତାଜାଙ୍କୁ ମଧ୍ୟ କେବେ ବି ପବ୍ଲିକ୍ରେ ଦେଖିବାକୁ ମିଳି ନାହିଁ। ଏହା ବାଦ ଛାତ୍ର ଆନ୍ଦୋଳନ ସମୟରେ ତାଙ୍କ ବିରୁଦ୍ଧରେ ହତ୍ୟା ଆଦି ବିଭିନ୍ନ ମକଦ୍ଦମା ରୁଜୁ କରାଯାଇଛି।

ଭାରତ ସହ ସମ୍ପର୍କ ସୁଧାରିବାକୁ ଇଚ୍ଛୁକ ବାଂଲାଦେଶ

ଅମିନୁଲ ହକ୍ ବାଂଲାଦେଶର କ୍ରିଡ଼ା ମନ୍ତ୍ରୀ ଭାବେ ଶପଥ ନେବା ପରେ ଭାରତ ସହ ଖରାପ ହୋଇଥିବା କ୍ରିକେଟ ସୁଧାରିବା ତାଙ୍କର ଏକ ପ୍ରମୁଖ ପ୍ରଶଙ୍ଗ ଥିଲା। ଡେଲି ଷ୍ଟାର୍କୁ ପ୍ରତିକ୍ରିୟା ଦେଇ ଅମିନୁଲ କହିଛନ୍ତି “ମୁଁ ସଂସଦ ଭବନରେ ଭାରତର ଡେପୁଟି ହାଇକମିଶନରଙ୍କୁ ଭେଟିଲି। ମୁଁ ତାଙ୍କ ସହିତ ଏହି ବିଷୟ (T20 ବିଶ୍ୱକପ୍ ପ୍ରସଙ୍ଗ) ବିଷୟରେ ଆଲୋଚନା କଲି। ସେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଆଚଣ କରୁଥିଲେ, ଏବଂ ମୁଁ ତାଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କଥା ମଧ୍ୟ ହୋଇଥିଲି। ମୁଁ ତାଙ୍କୁ କହିଲି ଯେ ଆମେ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଚାହୁଁଛୁ କାରଣ ଆମେ ଆମର ସମସ୍ତ ପଡ଼ୋଶୀ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। କ୍ରୀଡ଼ାଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କ୍ଷେତ୍ର ପର୍ଯ୍ୟନ୍ତ, ଆମେ ଏକ ଆନ୍ତରିକ ଏବଂ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ଗଠନ କରିବାକୁ ଚାହୁଁଛୁ।”

କୂଟନୈତିକ ସମ୍ପର୍କ ଖରାପ ଯୋଗୁ ବାଂଲାଦେଶ ବିଶ୍ୱକପ୍ ଖେଳିପାରିଲା ନାହିଁ। ଯଦି ଏହିସବୁ ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରି ଥାନ୍ତା ତେବେ ବାଂଲାଦେଶ ମଧ୍ୟ ବିଶ୍ୱକପ୍ ଖେଳିପାରି ଥାନ୍ତା ବୋଲି ଅମିନୁଲ ହକ୍ କହିଛନ୍ତି।