ଢାକା/ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଦେଶରେ ଅସ୍ଥିରତା ସୃଷ୍ଟି ନକରିବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଅନାବଶ୍ୟକ ବିବାଦ ଏବଂ ମତଭେଦ ଯୋଗୁଁ କ୍ଷମତାରୁ ହଟିଥିବା ଓ ଫେରାର୍ ଥିବା ସ୍ୱେଚ୍ଛାଚାରୀ ଶକ୍ତି ପୁଣି ଥରେ ଦେଶର ରାଜନୀତିକୁ ଫେରିବାର ସୁଯୋଗ ପାଇପାରନ୍ତି। ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ଯୋଗୁଁ କ୍ଷମତାଚ୍ୟୁତ ହେବା ପରେ ଭାରତରେ ନିର୍ବାସିତ ଜୀବନ ବିତାଉଥିବା ଶେଖ୍ ହସିନା ପ୍ରାୟ ଦୁଇ ବର୍ଷ ପରେ ନିଜର ପ୍ରଥମ ସାର୍ବଜନୀନ ଅଭିଭାଷଣ ଦେବାକୁ ଯାଉଛନ୍ତି। 

ନୂଆଦିଲ୍ଲୀର ମଥୁରା ରୋଡ୍ ସ୍ଥିତ ସାର୍ ମାର୍କ ଟୁଲି ଅଡିଟୋରିୟମରେ 'ଫରେନ୍ କରେସପଣ୍ଡେଣ୍ଟସ୍ କ୍ଲବ୍ ଅଫ୍ ସାଉଥ୍ ଏସିଆ' (FCC South Asia) ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ସେ ଆଜି ସନ୍ଧ୍ୟା ୬ଟାରୁ ୭:୩୦ ମଧ୍ୟରେ ଅଂଶଗ୍ରହଣ କରିବେ।ଏହି ସମ୍ମିଳନୀରେ ହସିନା ବାଂଲାଦେଶର ବର୍ତ୍ତମାନର ରାଜନୈତିକ ସ୍ଥିତି, ଗଣତନ୍ତ୍ରର ପୁନରୁଦ୍ଧାର, ଆଗାମୀ ରାଜନୈତିକ ଯୋଜନା ଏବଂ ସ୍ୱଦେଶ ଫେରିବାର ରୋଡମ୍ୟାପ୍ ସମ୍ପର୍କରେ ନିଜର ପକ୍ଷ ରଖିବେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଶେଖ୍ ହସିନାଙ୍କ ସହ ଯୋଗଦେବେ ।

Also Read: ‘ବ୍ୟକ୍ତିଗତ କାର୍ଯ୍ୟକ୍ରମ’: ଶେଖ ହସିନାଙ୍କ ଅଗଷ୍ଟ ୫’ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଲେ ସରକାର

AFP କୁ ପଠାଇଥିବା ଏକ ଇମେଲ୍‌ରେ ଶେଖ୍ ହସିନା କହିଛନ୍ତି ଯେ, ନିଜ ଦେଶକୁ ଫେରିବା ପାଇଁ ସେ ପ୍ରତିଜ୍ଞା ନେଇଛନ୍ତି। ବିପଦ ଓ ଆଇନଗତ ଆହ୍ୱାନ ସମ୍ପର୍କରେ ସେ କହିଛନ୍ତି, ‘ମୋତେ ହତ୍ୟା କରାଯାଇପାରେ, ଗିରଫ କରାଯାଇପାରେ କିମ୍ବା ଜେଲ୍‌କୁ ପଠାଯାଇପାରେ। ମୁଁ ମୋ ଭାଗ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ, ତଥାପି ମୁଁ ସ୍ୱଦେଶ ଫେରିବାକୁ ଚାହେଁ କାରଣ ମୋ ଦେଶର ଜନସାଧାରଣ ମୋତେ ଡାକୁଛନ୍ତି।’ ବାଂଲାଦେଶ ସରକାର ପୂର୍ବରୁ ଭାରତରୁ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରିଥିବା ବେଳେ, ସେ ନିଜେ ଦେଶକୁ ଫେରିବାର ଇଚ୍ଛା ପ୍ରକାଶ କରିଛନ୍ତି। ଜୁନ୍ ମାସରେ ରଏଟର୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ ୨୦୨୬ ଡିସେମ୍ବର ସୁଦ୍ଧା ବାଂଲାଦେଶ ଫେରିବାକୁ ଲକ୍ଷ୍ୟ ରଖିଥିବା କହିଥିଲେ।