ହରିଦ୍ୱାର,|୧: ଅଣହିନ୍ଦୁଙ୍କ ଉପରେ ଲାଗିଲା କଟକଣା । ଗଙ୍ଗୋତ୍ରୀ ମନ୍ଦିର କମିଟି ଲଗାଇଲା ବ୍ୟାନ୍ । ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମନ୍ଦିର କମିଟି ଦ୍ୱାରା ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଶ୍ରୀ ବଦ୍ରିନାଥ, କେଦାରନାଥ ମନ୍ଦିର କମିଟିର ଆଗାମୀ ବୈଠକରେ ଏହି ଦୁଇ ସ୍ଥାନରେ କେବଳ ହିନ୍ଦୁଙ୍କ ପ୍ରବେଶ ନେଇ ନିଷ୍ପତ୍ତି ନିଆଯିବ । ଉତ୍ତରାଖଣ୍ଡରେ ଥିବା ଅନ୍ୟ ଧାର୍ମିକସ୍ଥଳୀରେ ମଧ୍ୟ ଏହାକୁ ପର୍ଯ୍ୟାୟକ୍ରମେ କଡାକଡି ଭାବେ ପାଳନ କରାଯିବ ।

ରିପୋର୍ଟ ଅନୁସାରେ, କିଛି ଦିନ ତଳେ ହରିଦ୍ୱାରର ଗଙ୍ଗାଘାଟରେ ଅଣହିନ୍ଦୁ ପ୍ରବେଶ କରିଥିଲେ । ଯାହାକୁ ନେଇ ଉତ୍ତେଜନା ଲାଗିଥିଲା । ତେଣୁ ଅନ୍ୟ ଧାର୍ମିକସ୍ଥଳୀରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି । ପୂର୍ବରୁ ହରିଦ୍ୱାରରେ ସରକାରଙ୍କ ଦ୍ୱାରା କଟକଣା ଲାଗିଛି । ଏବେ କୁମ୍ଭମେଳା ହେଉଥିବା ଅଞ୍ଚଳରେ ଅଣହିନ୍ଦୁଙ୍କ ପ୍ରବେଶକୁ ବାରଣ ପାଇଁ ଦାବି ଉଠିଛି । ଏସବୁକୁ ନଜରର ରଖି ଗଙ୍ଗୋତ୍ରୀ ମନ୍ଦିର ସମିତି ନିଷ୍ପତ୍ତି ନେଇଛି ।

ସମିତିର ଅଧ୍ୟକ୍ଷ ସୁରେଶ ସୋମଓ୍ୱାଲ କହିଛନ୍ତି ଯେ, ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ନିଷିଦ୍ଧାଦେଶ ଜାରି ହୋଇଛି । ବଦ୍ରିନାଥ ଏବଂ କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ହେମନ୍ତ ଦ୍ୱିଓ୍ୱେଦୀ ମଧ୍ୟ ସମାନ କଥା କହିଛନ୍ତି । ସଦସ୍ୟମାନେ ପ୍ରସ୍ତାବକୁ ମଞ୍ଜୁର କରିବା ପରେ ସରକାରଙ୍କ ପାଖକୁ ଏହା ପଠାଯିବ ବୋଲି ହେମନ୍ତ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ଦ୍ୱାରା ଅନେକ କିଛି ସୁଫଳ ମିଳିବ । ଧାର୍ମିକ ଭାବନା କ୍ଷୂର୍ଣ୍ଣ ହେବନାହିଁ । ସୂଚନାଯୋଗ୍ୟ, ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଥିଲେ ଯେ, ପବିତ୍ର ଧାମ ହେଉଛି ହିନ୍ଦୁଙ୍କ ଆସ୍ଥାର ଧାମ । ମନ୍ଦିର କମିଟି ଏବଂ ପୁରୋହିତଙ୍କ ଦାବି ଅନୁସାରେ ସରକାର କାମ କରିବେ । ସରକାର ଖୁବ୍ ଶୀଘ୍ର ମନ୍ଦିରର ପବିତ୍ରତା ରକ୍ଷା କରିବାକୁ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଥିଲେ ।