ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୋସିଆଲ୍ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍ ହେଉଥିଲା । ଚଳନ୍ତା ଇ-ରିକ୍ସାକୁ ଲୋକମାନେ ହାଠତ୍ ମୋବାଇଲ୍ ସାହାଯ୍ୟରେ ବନ୍ଦ କରିଦେଉଥିଲେ । ଏହି ପୂରା ଘଟଣା ପଛରେ ଏକ ଚାଇନିଜ୍ ଆପ୍ ରହିଥିଲା, ଯାହାର ନାଁ BAT BMS App । ମଜାମସ୍ତି ଓ ଅନ୍ୟମାନଙ୍କୁ ହଇରାଣ କରିବା ପାଇଁ ବ୍ୟବହାର କରାଯାଉଥିବା ଏହି ଆପ୍ ଉପରେ ଭାରତ ସରକାର କଠୋର ପଦକ୍ଷେପ ନେଇଛନ୍ତି ।

କେନ୍ଦ୍ର ସରକାର ଏହି ମାମଲାକୁ ଅତ୍ୟନ୍ତ ଗୁରୁତର ସହ ବିଚାର କରି ବଡ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ସୁରକ୍ଷା ଓ ଡାଟା ସଂରକ୍ଷଣ ଦିଗକୁ ସମୀକ୍ଷା କରିବା ପରେ, ଏହି ଚାଇନିଜ୍ ଆପକୁ ଗୁଗଲ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋରରୁ ତୁରନ୍ତ ହଟାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଲକ୍ଷାଧିକ ଇ-ରିକ୍ସା ଚାଳକଙ୍କୁ ଆଶ୍ୱସ୍ତି ମିଳିଛି ।

କିପରି କାମ କରେ ଏହି ଆପ୍ ?

ସରଳ ଶବ୍ଦରେ ବୁଝିବାକୁ ଗଲେ, ଏହି ଆପ୍ ଚୀନ୍ କମ୍ପାନି Shenzhen Grenergy Technology ଦ୍ୱାରା ବିକଶିତ ହୋଇଛି । ଏହା ମୂଳତଃ ଏକ ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ (BMS) ଇଣ୍ଟରଫେସ୍ ଅଟେ । ଏହାର ଉଦ୍ଦେଶ୍ୟ ଥିଲା ବ୍ଲୁ-ଟୁଥ୍ ସକ୍ଷମ ଲିଥିୟମ୍-ଆୟନ୍ ବ୍ୟାଟେରୀର ଚାର୍ଜିଂ, ହେଲ୍ଥ, ତାପମାତ୍ରା ଏବଂ ଭୋଲଟେଜ୍ ଉପରେ ୱାୟରଲେସ୍ ଭାରେ ନଜର ରଖିବା । ଆପର ବ୍ଲୁ ଟୁଥ୍ କନକ୍ଟିଭିଟିର ସୁଯୋଗ ନେଇ, କିଛି ଲୋକ ରାସ୍ତାରେ ଇ-ରିକ୍ସାର ବ୍ୟାଟେରୀଗୁଡ଼ିକୁ ଦୂରରୁ ବନ୍ଦ କରିବାରେ ସକ୍ଷମ ହୋଇଥିଲେ । ଇ-ରିକ୍ସା ଚାଳକମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏବେ ସରକାର ଏହି ପରି ଅନ୍ୟ ଚାଇନିଜ୍ ଆପ୍ ଉପରେ ନରୀକ୍ଷଣ ଜୋରଦାର କରିଛନ୍ତି ।