ବାଲିପାଟଣା: ସ୍ତ୍ରୀଙ୍କୁ ଖାଇବାକୁ ଦେଲେ ବୋଲି କାର୍ ଜାଳିଦେଲେ ଦୁର୍ବୃତ୍ତ । ପ୍ରଥମେ ଗାଳିଗୁଲଜ, ପରେ କଟୁରୀ ଧରି ହାଣିବାକୁ ଗୋଡ଼ାଇଲେ । ଜୀବନ ବଞ୍ଚାଇବାକୁ ଘର ଭିତରେ କବାଟ ବନ୍ଦ କରି ରହିଥିଲେ ଯୁବକ । ହେଲେ ରାଗ ଶାନ୍ତ ହେଲାନି । କାର୍ର କାଚ ଭାଙ୍ଗିବା ସହ ପେଟ୍ରୋଲ ଢାଳି ଜାଳିଦେଲେ କାର୍ । ଘଟଣାର ପୂରା ଦୃଶ୍ୟ କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ଅଭିଯୋଗ ପରେ ବି ଅଭିଯୁକ୍ତକୁ ଧରିପାରିନି ପୋଲିସ । ଏପଟେ ଲୋନ୍ରେ କିଣିଥିବା କାର୍ର ମାସିକ ୩୭ ହଜାର ଟଙ୍କା EMI କେମିତି ଦେବେ, ପରିବାର କେମିତି ଚଳାଇବେ—ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି କାର୍ ମାଲିକ । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବାରିଲୋ ଗାଁରେ ।

ବାରିଲୋ ଗାଁରେ ପରିବାର ସହ ଭଡ଼ାରେ ରହୁଛନ୍ତି ସେଖ୍ ୟାକୁବ୍ ହୁସେନ୍ । ଲୋନ୍ରେ ଏକ କାର୍ କିଣି ଭୁବନେଶ୍ୱରରେ ଅନଲାଇନ୍ ଭଡ଼ାରେ ଚଳାଇ ପରିବାର ପୋଷଣ କରନ୍ତି । କାର୍ରୁ ମିଳୁଥିବା ଆୟରୁ ପ୍ରତିମାସ ପ୍ରାୟ ୩୭ ହଜାର ଟଙ୍କା EMI ଦେଇଥାନ୍ତି । ସେହି ଗାଁରେ ମନୋଜ ଭୋଇ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଭଡ଼ାରେ ରହୁଛନ୍ତି । କିଛି ଦିନ ପୂର୍ବେ ମନୋଜଙ୍କ ସ୍ତ୍ରୀଙ୍କୁ ୟାକୁବଙ୍କ ସ୍ତ୍ରୀ ଯମୁନା ଖାଇବାକୁ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମନୋଜ ଉତ୍ତ୍ୟକ୍ତ ହୋଇଥିବା ଅଭିଯୋଗ।

ଗତ ୨୩ ତାରିଖ ଭୋର୍ ସମୟରେ ମନୋଜ ୟାକୁବଙ୍କୁ ଗାଳିଗୁଲଜ କରିବା ସହ କଟୁରୀ ଧରି ହାଣିବାକୁ ଗୋଡ଼ାଇଥିବା ଅଭିଯୋଗ ହୋଇଛି । ଭୟରେ ୟାକୁବ ଘର ଭିତରକୁ ପଶି କବାଟ ବନ୍ଦ କରି ଦେଇଥିଲେ। ଏହାପରେ ମନୋଜ ୟାକୁବଙ୍କ କାର୍ ନିକଟକୁ ଯାଇ କଟୁରୀରେ କାର୍ର କାଚ ଭାଙ୍ଗିବା ସହ ପେଟ୍ରୋଲ ଢାଳି କାର୍ରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

also read- ଆଜି ମିଳିବ 'ସୁଭଦ୍ରା' ଟଙ୍କା : ଚେକ୍ କରନ୍ତୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍

ଘଟଣାର ଏହି ଦୃଶ୍ୟ କାର୍ରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି କାର୍ ନିକଟରେ ପହଞ୍ଚି କାର୍ର କାଚ ଭାଙ୍ଗିବା ଏବଂ ପରେ ନିଆଁ ଲଗାଇବାର ଦୃଶ୍ୟ କଏଦ ହୋଇଥିବା କୁହାଯାଉଛି । ଘଟଣାକୁ ନେଇ ୟାକୁବଙ୍କ ସ୍ତ୍ରୀ ଯମୁନା ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପରେ ମଧ୍ୟ ଅଭିଯୁକ୍ତ ମନୋଜଙ୍କୁ ପୋଲିସ ଏପର୍ଯ୍ୟନ୍ତ ଧରିପାରିନଥିବା ଅଭିଯୋଗ ହୋଇଛି । ଏପଟେ କାର୍ଟି ଲୋନ୍ରେ କିଣାଯାଇଥିବାରୁ ପ୍ରତିମାସ ପ୍ରାୟ ୩୭ ହଜାର ଟଙ୍କା EMI ଦେବାକୁ ପଡ଼ୁଛି । କାର୍ ଜଳିଯିବା ପରେ ଏବେ ଏହି EMI କିପରି ଦେବେ ଏବଂ ପରିବାର କିପରି ଚଳାଇବେ, ସେହି ଚିନ୍ତାରେ ଅଛନ୍ତି ୟାକୁବ୍ ।