ଭୋଗରାଇ: ଅଫିସରମାନେ କରନ୍ତି କ’ଣ ? ଆଦେଶ ଦିଅନ୍ତି, ଆଲୋଚନା କରନ୍ତି, ଦେଖି- ଶୁଣି ଆକ୍ସନର ପ୍ରତିଶ୍ରୁତି ଦିଅନ୍ତି। ସରକାରୀ ନିୟମ କେମିତି କାର୍ଯ୍ୟକାରୀ ହେବ ତାହାର ତଦାରଖ କରନ୍ତି। ଏୟା ତ’। ହଁ ଏୟା, ବେଳେ ବେଳେ କିଛି ଅଫିସର ତା’ଠୁ ଅଧିକ ବି କରିଥାନ୍ତି। ଲୋକଙ୍କ ବିଶ୍ବାସ ଜିତିବାକୁ କିଛି ପଦକ୍ଷେପ ନିଅନ୍ତି। ହଁ ଅନେକ ଭଲ ଅଫିସରବି କରନ୍ତି ନିଶ୍ଚୟ। ଠିକ୍ ସେମିତ ଆମ ଏ ବାବୁ। ଦେଖନ୍ତୁ କେମିତି ଖାଦ୍ୟ ଦେଉଛନ୍ତି, ଭୋକିଲାଙ୍କୁ, ବନ୍ୟା ଦୁର୍ଗତଙ୍କୁ। ଖାଦ୍ୟ ଦେଉନାହାଁନ୍ତି, ସେ ରୋଷେଇ ବି କରିଛନ୍ତି। ଏ ଦୃଶ୍ୟ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ଏବଂ ଏ ବାବୁ ହେଉଛନ୍ତି ଭୋଗରାଇ ବ୍ଲକ୍ ଉନ୍ନୟନ ଅଧିକାରୀ, ବିଡିଓ ସାର୍।

ଲଗାଣ ବର୍ଷା, ଲଘୁଚାପ ବର୍ଷାରେ ରାସ୍ତା- ଘାଟ, ଘର- ଦୁଆର ସବୁଠି ପାରି। ଲୋକେ ରୋଷେଇ କରିପାରୁନାହାଁନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବ୍ୟବସ୍ଥା ହୋଇଛି। ରୋଷେଇ କରି ଖାଦ୍ୟ ଦିଆଯାଉଛି ବନ୍ୟାଦୁର୍ଗତଙ୍କୁ। ବିଡିଓ ପ୍ରଶାନ୍ତ କୁମାର ମହାରଣା ଲାଗି ପଡ଼ିଛନ୍ତି ଏହି କାମରେ। ବନ୍ୟାଞ୍ଚଳରେ ସରକାରୀ ଟିମ୍ ସହ ପହଞ୍ଚିଥିଲେ ବିଡିଓ ପ୍ରଶାନ୍ତ ବାବୁ। କିନ୍ତୁ କେବଳ ଅଫିସର ଠାଣିରେ ତଦାରଖ କିମ୍ବା ନିର୍ଦ୍ଦେଶ ଦେଇ ଅଟକି ନଥିଲେ। ରୋଷେଇରେ ସାହାଯ୍ୟ କରିଥିଲେ ଆଉ ନିଜ ହାତରେ ପରସି ଦେଇଥିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ନୁହେଁ ବେଶ୍ ଖୁସି କରିଛି। ସରକାରୀ ବାବୁ ହେବ ତ’ ଏମିତି...

Also Read: ବନ୍ୟା ଘେରରେ ଫସିଥିଲେ ପ୍ରସୂତି, ସାହା ହେଲା ଅଗ୍ନିଶମ ବାହିନୀ