ଭୋଗରାଇ :ବିଧିର ବିଧାନ ବଡ଼ ବିଚିତ୍ର ।  ଆଗ ପଛ ହୋଇ ଚାଲିଗଲେ ମାଆ - ବାପା । ଛାଡ଼ିଗଲେ ଦୁଇ ନାବାଳକ ପୁଅଙ୍କୁ। ଏବେ ସେମାନଙ୍କ ଭବିଷ୍ୟତ ଠେଲି ହୋଇଯାଇଛି ଅନ୍ଧାରକୁ।  କେମିତି ଚଳିବେ, କେମିତି ପଢ଼ିବେ ଓ କେମିତି ବଞ୍ଚିବେ । କେବଳ ସେହି ଚିନ୍ତା  ଘାରୁଛି । ବାପା  ମାଆ ଛେଉଁଣ୍ଡ ପିଲାଙ୍କୁ ଏବେ କିଏ ହେବ ସାହାରା। ସମସ୍ତଙ୍କୁ ବିଚଳିତ କରିଛି ଏହି ପ୍ରଶ୍ନ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ  ନିମାତପୁର ଗାଁର ଏହି ଅସହାୟ ଛୁଆ ଦୁଇଟିଙ୍କ ଅବସ୍ଥା ଦେଖିଲେ କାହାର ବି ଆଖିରେ ଲୁହ ଆସିଯିବ ।

ନିମାତପୁର ଗାଁର ଶ୍ୟାମସୁନ୍ଦର ଜେନାଙ୍କ ସାନପୁଅ ବନମାଳୀ ଜେନା। ୩୬ ବର୍ଷ ବୟସରେ  ଜଣ୍ଡିସ ରୋଗରେ ଚାଲିଗଲେ ଆରପାରିକୁ । ୧୧ମାସ ପୂର୍ବରୁ ବନମାଳୀଙ୍କ ସ୍ତ୍ରୀ ସୁଚିତ୍ରାଙ୍କର  ସର୍ପାଘାତରେ ହୋଇଥିଲା ମୃତ୍ୟୁ । ବଡ଼ ପୁଅ ଶୁଭଙ୍କର ଜେନା ନବମ ଶ୍ରେଣୀ ଓ ସାନପୁଅ ରତ୍ନାକର ଜେନା ତୃତୀୟ ଶ୍ରେଣୀରେ ପାଠ ପଢ଼ନ୍ତି। ଘରେ କେବଳ  ବୁଢ଼ା ବାପା, ବୁଢ଼ୀ ମାଆ ।  ଯେଉଁ ବୟସରେ ପୁଅ ବୋହୂ ସେମାନଙ୍କ କଥା ବୁଝିବା କଥା ଏବେ ସେମାନେ ଦୁଇ ନାତିଙ୍କ ଅବସ୍ଥା ଦେଖି ଚିନ୍ତିତ। ଜମି ଜାଗା କହିଲେ ଘରଡିହ ୨ ଡେସିମିଲ। ତାକୁ ଛାଡ଼ି ଦେଲେ ଆଉ କିଛି ନାହିଁ । ଏକ ଛୋଟ ପଲିଥିନ ଘରେ ସମସ୍ତଙ୍କ ଦିନ କଟୁଥିଲା। ବନମାଳୀ ଦିନ ମଜୁରିଆ ଭାବେ ଯାହା ରୋଜଗାର କରୁଥିଲେ ସେଥିରେ କଷ୍ଟେ ମଷ୍ଟେ  ଚଳି ଯାଉଥିଲା ଘର। ଦେହ ଅସୁସ୍ଥ ହେବାରୁ ବାଲେଶ୍ଵର, ଭୁବନେଶ୍ଵର ଓ ଶେଷରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଡାକ୍ତର ଖାନାରୁ ଆଉ ଘରକୁ ଫେରିନଥିଲେ। ଏବେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଦୁଇ କୁନି ପିଲାଙ୍କ ପାଖରେ ସେତିକି ସାମର୍ଥ୍ୟ ବି ନାହିଁ । ମାଆ ବାପାଙ୍କ ଫୋଟ ଧରି ଭୋ ଭୋ ହୋଇ କାନ୍ଦିବା ଛଡ଼ା ଆଉ କିଛି ଭାବି ବି ପାରୁ ନାହାନ୍ତି ସେମାନେ।  ଯେଉଁ କାନ୍ଦ ଦେଖିଲେ ଫାଟି ପଡ଼ିବ ଛାତି । ଅନ୍ୟପଟେ ଶୁଭଙ୍କର ଓ ରତ୍ନାକରଙ୍କ ଅଜା ବି ଦୁଇ ନାତିଙ୍କ ଭବିଷ୍ୟତକୁ ନେଇ ବିବ୍ରତ । କଣ କରିବେ, କେମିତି ଛୁଆ ଦୁହେଁ ଖାଇବାକୁ ପାଇବେ। କିପରି ମଣିଷ ହେବେ , ଏମିତି ଅନେକ ପ୍ରଶ୍ନ।

 Also Read- କୋଳି ତୋଳିବା ବେଳେ ବଜ୍ରାଘାତ, ଚାଲିଗଲା ମାଆ-ଝିଅଙ୍କ ଜୀବନ

ଏଭଳି ସ୍ଥିତିରେ ପଞ୍ଚାୟତର ପୂର୍ବତନ ସମିତି ସଦସ୍ୟ ବରେନ୍ଦ୍ର ଜେନା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସଙ୍କୁ ଏହା ଅବଗତ କରିବା ସହ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି l ସେହିଭଳି ପଡ଼ୋଶୀ ତଥା ଯାତ୍ରା ଜଗତର ସୁନାମଧନ୍ୟ ଖଳ ନାୟକ ହରେନ୍ଦ୍ର ଜେନା ମଧ୍ୟ ସହାୟତା ଯୋଗାଇଦାବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

କୁନି  ପିଲା ଦୁହେଁ। ଜୀବନ କଣ, ଦୁନିଆ କିପରି ଜାଣିବା ପୂର୍ବରୁ ମୁଣ୍ଡ ଉପରୁ ଉଠି ଯାଇଛି ବାପା ମାଆଙ୍କ ହାତ।  ବୁଢ଼ା ଜେଜେ ଓ ମାଆଙ୍କ ପାଖରେ ନା ସମ୍ବଳ ନା ସାମର୍ଥ୍ୟ। ଅଭାବନୀୟ ସ୍ଥିତି। ଛୁଆ ଦୁଇଟିଙ୍କୁ ରାହା ଦରକାର, ସାହା ବି। ବଦାନ୍ୟ ହୁଅନ୍ତୁ ବା ବିଧାୟକ।  ବ୍ୟବସ୍ଥା ଓ ସରକାରଙ୍କୁ ଏଥିପାଇଁ ବାଧ୍ୟ କରାଯିବା ଦରକାର। ନଚେତ ବିନା ଦୋଷରେ ନିଷ୍ପାପ ପିଲା ଦୁଇଟିଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ।  ଏହା ବଡ଼ ଚିନ୍ତା ।