ସାଲେପୁର ୨୦।୩: ମାନସିକ ବିକରାଗ୍ରସ୍ତ ପୁଅକୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ଆଣିଥିଲେ । ମେଡିକାଲ ନିକଟରୁ ପୁଅ ନିଖୋଜ । ପୁଅ ନିଖୋଜ ହେବାର ଗୋଟିଏ ବର୍ଷ ହେବାକୁ ବସିଲାଣି । ହେଲେ ମା’ ମନରେ ବିଶ୍ୱାସ ହଜି ଯାଇଥିବା ପୁଅକୁ ଫେରି ପାଇବା ଆଶା । ହତଭାଗ୍ୟ ମାଆ ଚୁଡ଼ା-ମୁଢ଼ି ସାଙ୍ଗରେ ଧରି ଚାଲି ଚାଲି ନିଖୋଜ ପୁଅକୁ ଖୋଜୁଛି । ପୁଅକୁ ଖୋଜି ଖୋଜି ଏବେ ପହଞ୍ଚିଛି ସାଲେପୁରରେ । ପୁଅର ନାଁ ବିକାଶ ମହାନ୍ତି । ବୟସ ୩୮ ବର୍ଷ ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ପଞ୍ଚଲିଙ୍ଗଶ୍ଵର ଅଞ୍ଚଳରେ କାଞ୍ଚନ ମହାନ୍ତି ଘର । କାଞ୍ଚନ ମହାନ୍ତିଙ୍କ ଏକମାତ୍ର ପୁଅ ବିକାଶ ମହାନ୍ତି ହଠାତ ମାନସିକ ରୋଗର ଶିକାର ହେଲେ । ମାଆ କାଞ୍ଚନ ଏବଂ ତାଙ୍କ ଝିଅ-ଜ୍ବାଇଁଙ୍କ ସହାୟତାରେ ବିକାଶକୁ କଟକ ମେଡିକାଲ ଆଣିଥିଲେ ଚିକିତ୍ସା କରାଇବାକୁ । ଏକ ମାସ ପରେ ବିକାଶ ସୁସ୍ଥ ହେଲେ ଏବଂ ଡାକ୍ତର କାଞ୍ଚନକୁ ପରାମର୍ଶ ଦେଲେ ପ୍ରତି ମାସରେ ବିକାଶକୁ ଆଣି ଡାକ୍ତରଙ୍କୁ ଦେଖାଇବା ପାଇଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ କଟକ ମେଡିକାଲକୁ କାଞ୍ଚନ ତାଙ୍କ ଝିଅ ମିଶିକି ୨୦୨୫ ମସିହା ମେ’ ୨୩ ତାରିଖରେ ପୁଅ ବିକାଶକୁ ଆଣି ଡାକ୍ତରଙ୍କୁ ଦେଖାଇ ମେଡିସିନ କିଣି ସାରିବା ପରେ ପୁଅକୁ ମେଡିକାଲ ଶୌଚାଳୟ ପାଖରେ ବସାଇ ଶୌଚ ହେବାକୁ ଯାଇଥିଲେ । ଫେରି ଦେଖିବା ବେଳକୁ ବିକାଶ ନଥିଲେ । ମେଡିକାଲ ପରିସରରେ ଖୋଜାଖୋଜି କରି ନମିଳିବାରୁ ମେଡିକାଲ ଫାଣ୍ଡିରେ ମିସିଙ୍ଗ୍ ରିପୋର୍ଟ ଦେଲେ କିନ୍ତୁ ପୋଲିସ ଏତେ ଗୁରୁତ୍ୱ ନ ଦେବାରୁ ମାଆ-ଝିଅ ବିକାଶର ଫଟୋ ଧରି ସେବେ ଠାରୁ ଖୋଜୁଛନ୍ତି । ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ଫଟୋ ଦେଖାଇବା ସହ ତାଙ୍କ ମୋବାଇଲ ନମ୍ବର ଦିଅନ୍ତି । ସମସ୍ତଙ୍କୁ ଅନୁରୋଧ କରନ୍ତି ବିକାଶକୁ ଯିଏ ଦେଖିବ ଆମକୁ ଫୋନ କରିବ ।

Also Read:- Market Complex Fire: ମହାବୀର କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ : ନିଆଁ ଲିଭାଇବାକୁ ୪ ଦମକଳ ଗାଡ଼ି ନିୟୋଜିତ

ଗତ ବର୍ଷ ମେ’ ମାସରୁ ଆଜି ପର୍ଯ୍ୟନ୍ତ ମାଆ-ଝିଅ ମିଶିକି ଖୋଜୁଛନ୍ତି । ସାଙ୍ଗରେ ଆଣିଥିବା ଚୁଡା-ମୁଢ଼ି ଖାଇବା ସହିତ କୌଣସି ମନ୍ଦିର ହେଉ କିମ୍ବା ଦୋକାନ ଦୁଆରେ ଶୋଇକି ରାତି କଟାଇ ଦିଅନ୍ତି । ଚୁଡା-ମୁଢ଼ି ସରିଗଲେ ପୁଣି ଗାଁକୁ ଯାଇ କିଛି ଦିନ ରହି ପୁନର୍ବାର କଟକକୁ ଆସି ବିକାଶକୁ ଖୋଜନ୍ତି । ବିକାଶ ସାଲେପୁରକୁ ଚାଲି ଚାଲି ଯାଇଥିବା ଖବର ପାଇ ମାଆ କାଞ୍ଚନ ଓ ଭଉଣୀ ଭାଗ୍ୟଶ୍ରୀ ବାଲେଶ୍ଵରର ପଞ୍ଚଲିଙ୍ଗେଶ୍ୱରରୁ ଆସି କଟକରେ ପହଞ୍ଚି ଚାଲି ଚାଲି ସାଲେପୁରରେ ବିକାଶକୁ ଖୋଜୁଛନ୍ତି । କାହା ପାଇଁ ବିକାଶ ମାନସିକ ବିକାରଗ୍ରସ୍ତ ହୋଇପାରେ କିନ୍ତୁ କାଞ୍ଚନଙ୍କ ପାଇଁ ସେ ହେଉଛି ପୁଅ । ସେଥିପାଇଁ ଆଜିବି ମନରେ ଆଶା ଅଛି ନିଶ୍ଚିତ ପୁଅକୁ ଫେରି ପାଇବେ ।