ବ୍ରହ୍ମପୁର ୧୬।୧୨: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ, ଆଇନଜୀବୀ ମଦନ ମୋହନ ଦଳାଇ, ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-୩ୟ କୋର୍ଟ ।

ଏହି ମାମଲାରେ ଗତ ୧୨ ତାରିଖରେ ତୃତୀୟ ଏଡିଜେ କୋର୍ଟରେ ଶୁଣାଣି ହୋଇଥିଲା । ତୃତୀୟ ଅତିରିକ୍ତ ଜିଲ୍ଲା କୋର୍ଟରେ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା କିନ୍ତୁ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ଗତ ୯ ତାରିଖରେ ପୋଲିସ ପକ୍ଷରୁ ସିଡି ଦାଖଲ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣଙ୍କ ଜାମିନ ପାଇଁ ଆବେଦନ ହୋଇଥିଲା । ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ, ଦୀପକ ପଟ୍ଟନାୟକ, କୁମାର କାନ୍ତ ବେହେରା, କୈଳାସ ପଣ୍ଡା ମାମଲା ପରିଚାଳନା କରିଥିବା ବେଳେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି କାଳୀଚରଣ ମିଶ୍ର, ଅଭିନାଶ ପାଢ଼ୀ, ପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ । ପୋଲିସ ଦାଖଲ କରିଥିବା ସିଡିରେ ବିକ୍ରମ ପଣ୍ଡାଙ୍କ ନାମରେ ଆଉ ଦୁଇଟି ମାମଲା ଯୋଡ଼ିଥିବା କୁହାଯାଉଥିଲା । ଜେଲ୍‌ ଭିତରେ ରହି ବିକ୍ରମ, ପୀତବାସ ପଣ୍ଡାଙ୍କ ପରିବାରବର୍ଗଙ୍କୁ ଧମକ ଦେଉଥିବା ନେଇ ସିଡିରେ ଉଲ୍ଲେଖ କରିଥିଲା ପୋଲିସ । ଯାହାକୁ ନେଇ କୋର୍ଟରେ ମୁଦାଲାଙ୍କ ଓକିଲ ଏବଂ ସରକାରୀ ଓକିଲ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡିଥିଲା । ତେବେ ମଙ୍ଗଳବାର ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।