ପୁରୀ: କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ, ବାଲୁକା ପୂଜା କରି କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି ହବିଷ୍ୟ ବ୍ରତ ଧାରିଣୀ। ସରିଲା ମହାଧାର୍ମିକ ମାସ କାର୍ତ୍ତିକ। ଏବେ ଘର ବାହୁଡ଼ାର ସମୟ ଆସିଯାଇଛି। ଏକମାସ ଧରି ଗୋଟିଏ ପରିବାର ହୋଇ ବିଭିନ୍ନ ହବିଷ୍ୟାଳୀ ଶିବିର, ମଠବାଡ଼ି, ଲଜରେ ଏକାଠି ରହି ହବିଷ୍ୟାଳୀ ମାନେ ବ୍ରତ ପାଳନ କରୁଥିଲେ। ଆଜି ଘରକୁ ବାହୁଡ଼ି ଯିବାର ବେଳ ଆସିଥିଲେ ମଧ୍ୟ କାଳିଆକୁ ଛାଡ଼ି ଯିବାକୁ କାହାରି ଇଚ୍ଛା ହେଉନାହିଁ।

ଆଜି ଭୋରରୁ ମହୋଦଧି କୂଳରେ ଶେଷ ଥର ପାଇଁ ଲାଗିଥିଲା ହବିଷ୍ୟାଳୀଙ୍କ ଭିଡ଼। ହାତରେ ଥିଲା କଦଳୀ ପଟୁକା ଡଙ୍ଗା। ଆଉ ସେଥିରେ ଥିଲା ଫୁଲ, ଦୀପ, ପଇସା। କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ପ୍ରଭାତରେ ସମୁଦ୍ରରେ ବୁଡ଼ ପକାଇ ଡଙ୍ଗା ଭସାଇଥିଲେ ହବିଷ୍ୟାଳୀ। ଆ କା ମା ବୈ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସାରା ମହୋଦଧି କୂଳ। ମାସେ ଧରି ଭୋର୍ ରୁ ଉଠି, ସ୍ନାନ କରି, ତୁଳସୀ ଚଉରା ମୂଳେ ଦୀପ ଜାଳି, କାଳିଆର ନାଁ ଜପି ଯେଉଁ ଜୀବନ ଆରମ୍ଭ ହେଉଥିଲା, ଆଜି ତାହାର ଶେଷ ହୋଇଛି।

ଡଙ୍ଗା ଭସାଇ ସାରିବା ପରେ ଅନେକଙ୍କ ଆଖିରେ ଲୁହ। କାର୍ତ୍ତିକ ମାସ ସାରା ଯେଉଁ ବାଲୁକା ପୂଜା କରି ଆସୁଥିଲେ, ଆଜି ତାହାର ଉଦଯାପନ ହେଲା। ପୂଜା ସରିବା ପରେ ଘର ବାହୁଡ଼ା ସମୟ ଆସିଗଲା। ଆଉ ବୃନ୍ଦାବତୀ ନିବାସରେ ଦୀର୍ଘ ଏକମାସ ଧରି ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ଆଜି ଶ୍ରୀକ୍ଷେତ୍ରରୁ ବିଦାୟ ନେବା ବେଳେ ପରସ୍ପରକୁ କୁଣ୍ଢାଇ ପକାଇଥିଲେ। କାରଣ ଏହା ତାଙ୍କ ପାଇଁ ଗୋଟିଏ ମାସର ସ୍ମୃତିକୁ ବିଦାୟ ଦେବାର ବେଳ ଥିଲା।

ଏକମାସ ଧରି ଗୋଟିଏ ପରିବାର ହୋଇ ବିଭିନ୍ନ ହବିଷ୍ୟାଳୀ ଶିବିର, ମଠବାଡ଼ି, ଲଜ୍ ରେ ଏକାଠି ରହି ବ୍ରତ ପାଳନ କରୁଥିଲେ। ବଡ଼ି ଭୋରରୁ ଉଠି ତୀର୍ଥ ପୁଷ୍କରିଣୀରେ ସ୍ନାନ, ଶ୍ରୀମନ୍ଦିର ଦର୍ଶନ, ଭାଗବତ ପାଠ, ନାମ ସଂକୀର୍ତ୍ତନ, ଏକାଠି ରୋଷେଇ, ଏକାଠି ଖାଇବା, ଏହା ଥିଲା ସେମାନଙ୍କ ନିତ୍ୟ କର୍ମ।ଘରେ ଯିଏ ଏକା ରହୁଥିଲେ, ଏଠି ତାଙ୍କର ଶହ ଶହ ଭଉଣୀ ମିଳି ଯାଇଥିଲେ। କାହାର ଦେହ ଖରାପ ହେଲେ ସମସ୍ତେ ଦୌଡ଼ି ଆସୁଥିଲେ। କାହାର ମନ ଖରାପ ହେଲେ କାଳିଆ ନାଁ ଗାଇ ବୁଝାଉଥିଲେ। ହବିଷ୍ୟାଳୀ ଶିବିରର ସେହି ଚଟାଣ, ସେହି ତୁଳସୀ ଚଉରା, ଏକାଠି ବସି ଭଜନ ଗାଇବା ଏ ସବୁ ଆଜି ତାଙ୍କ ପାଇଁ ସ୍ମୃତି ହୋଇ ରହିଯିବ ବୋଲି କହିଛନ୍ତି ହବିଷ୍ୟାଳୀ।

​​​​​​​

କାର୍ତ୍ତିକ ମାସର ଆଜି ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ହବିଷ୍ୟାଳୀ ମାନେ ଶ୍ରୀମନ୍ଦିର ଯାଇ କାଳିଆକୁ ଶେଷ ଥର ପାଇଁ ଦର୍ଶନ କରିଛନ୍ତି। ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ଅନେକେ କହୁଛନ୍ତି ମାସେ ଧରି ଶ୍ରୀମନ୍ଦିର ଆସି କାଳିଆକୁ ଦର୍ଶନ କରୁଥିଲୁ। ଆଜି ଘରକୁ ଯିବା ବେଳେ କାଳିଆ କଥା ବହୁତ ମନେ ପଡ଼ୁଛି। କାଳିଆକୁ ଛାଡ଼ି ଯିବାକୁ ଇଚ୍ଛା ହେଉନାହିଁ। କିନ୍ତୁ ଏବେ ଆସିଛି ଘରକୁ ବାହୁଡ଼ି ଯିବାର ବେଳ। କିଏ ନିଜ ବ୍ୟାଗ୍ ଗାଡ଼ିରେ ରଖୁଛି, ତ କିଏ କାହା ଗାଲକୁ ଥାପୁଡାଇ ସ୍ନେହରେ ଗେଲ କରି ପକାଉଛି। କାରଣ ଗୋଟିଏ ମାସର ସାଥୀକୁ ଛାଡ଼ି ଯିବା ଏତେ ସହଜ ନୁହେଁ।

କିଏ କହୁଛି ଭଲରେ ଯା, ଫୋନ୍ କରିବୁ ଆଉ କିଏ କହୁଛି ଆର ବର୍ଷ ପୁଣି ଦେଖା ହେବ। ହବିଷ୍ୟାଳୀ ଶିବିର, ମଠବାଡ଼ି, ଲଜ୍ ସାମ୍ନାରେ ଏବେ ବିଦାୟର ଦୃଶ୍ୟ। ବ୍ୟାଗ୍, ଟ୍ରଙ୍କ ଧରି ଗାଡ଼ିକୁ ଯାଉଥିବା ହବିଷ୍ୟାଳୀଙ୍କ ପଛରେ ରହି ଯାଉଛି ଏକମାସର ସ୍ମୃତି। ହବିଷ୍ୟାଳୀଙ୍କ ବିଦାୟରେ ଖାଲି ଖାଲି ଲାଗୁଛି ଶ୍ରୀକ୍ଷେତ୍ର। ମାସେ ଧରି ଯେଉଁ ଭଜନ, କୀର୍ତ୍ତନରେ ଗୁଞ୍ଜରିତ ହେଉଥିଲା ବଡ଼ଦାଣ୍ଡ, ଆଜି ସେଥିରେ ଦେଖାଦେଇଛି ନିରବତା।

ସରିଲା ଧର୍ମ ମାସ କାର୍ତ୍ତିକ। ହବିଷ୍ୟାଳୀ ଘରକୁ ଫେରିଗଲେ। କିଏ ବ୍ୟାଗ୍ ଗାଡ଼ିରେ ରଖିଲା। କିଏ ଗାଲକୁ ଥାପୁଡାଇ ସ୍ନେହରେ ଗେଲ କଲା। କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରାର୍ଥନା ଯିଇଥିଲେ ପୁଣି ଆର ବର୍ଷକୁ ତୋର ଶ୍ରୀକ୍ଷେତ୍ର ଧାମକୁ ଆଣିବୁରେ କାଳିଆ।