ନୂଆଦିଲ୍ଲୀ:  ଅଯୋଧ୍ୟାର ରାଜର୍ଷି ଦଶରଥ ମେଡିକାଲ କଲେଜରୁ ବୋମା ତିଆରି କରିବାର ନିର୍ଦ୍ଦେଶାବଳୀ ଥିବା ଏକ କାଗଜପତ୍ର ମିଳିବା ପରେ ଜଣେ ପ୍ରଥମ ବର୍ଷର ମେଡିକାଲ ଛାତ୍ରଙ୍କୁ ଅଟକ ରଖାଯାଇଛି। ଶନିବାର ଦିନ ମେଡିକାଲ କଲେଜର ଏକ୍ସ-ରେ (X-ray) ରୁମ୍‌ରୁ ବିଭାଗୀୟ ପ୍ରମୁଖ ଏହି ସନ୍ଦିଗ୍ଧ କାଗଜଟିକୁ ଉଦ୍ଧାର କରିଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା,  ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ନଭେମ୍ବର ୨୦୨୫ର ଲାଲକିଲ୍ଲା ବିସ୍ଫୋରଣ ମାମଲାର ସ୍ମୃତିକୁ ପୁଣି ଥରେ ତାଜା କରିଦେଇଛି । ସେଥିରେ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ତିନିଜଣ ମୁଖ୍ୟ ଅଭିଯୁକ୍ତ ସାମିଲ ଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶୁକ୍ରବାର ରାତିରେ ଏକ୍ସ-ରେ ରୁମ ଡ୍ୟୁଟିରେ ଥିବା ପ୍ରଥମ ବର୍ଷର ଛାତ୍ର ସରଫରାଜ ଏହି କାଗଜକୁ ପ୍ରସ୍ତୁତ କରିଥିଲେ। ଉତ୍ତର ପ୍ରଦେଶର ବଲରାମପୁର ଅଞ୍ଚଳର ବାସିନ୍ଦା ସରଫରାଜଙ୍କୁ ପୋଲିସ ପଚରାଉଚରା ପାଇଁ ହେପାଜତକୁ ନେଇଛି। ତାଙ୍କ ସହ ସେହି ସମୟରେ ଡ୍ୟୁଟିରେ ଥିବା ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଜେରା କରୁଛି।

ହଥଲେଖା ଥିବା ଏହି କାଗଜରେ ବିସ୍ଫୋରକ ତିଆରି ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀର ବିବରଣୀ ରହିଛି। ଏଥିରେ ଗଜ୍ ୱାୟାର (gauge wire), ଆମୋନିୟମ୍ କାର୍ବୋନେଟ୍, ଫସଫରସ୍, ନାଇଟ୍ରିକ୍ ଏସିଡ୍ ଭଳି ରାସାୟନିକ ପଦାର୍ଥଗୁଡ଼ିକର ନାମ ଉଲ୍ଲେଖ ରହିଛି।
ମେଡିକାଲ କଲେଜର ମୁଖ୍ୟ ଚିକିତ୍ସା ଅଧୀକ୍ଷକ (CMS) ଡକ୍ଟର ଅରବିନ୍ଦ ସିଂହ କହିଛନ୍ତି ଯେ, ଏହି କାଗଜପତ୍ର ମିଳିବା ମାତ୍ରେ ତୁରନ୍ତ ପୋଲିସକୁ ଜଣାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ଏହି କାଗଜପତ୍ର କୌଣସି ଅପରାଧିକ ଉଦ୍ଦେଶ୍ୟ କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ଥିବା ନେଇ ପୋଲିସ ସ୍ପଷ୍ଟ କରିନାହିଁ। ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ କଲେଜ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ କ୍ୟାମ୍ପସ ମଧ୍ୟରେ ସୁରକ୍ଷା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଜୈଶ-ଏ-ମହମ୍ମଦର ଏକ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାଶ ହୋଇଥିଲା। ୧୦ ନଭେମ୍ବର ୨୦୨୫ରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ଏକ ବିସ୍ଫୋରକ ଭର୍ତ୍ତି କାର୍ ବିସ୍ଫୋରଣ ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହାତ ହୋଇଥିଲେ।