ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଟିମ୍ ନିଜର ଅସ୍ଥାୟୀ (ପ୍ରୋଭିଜନାଲ) ଟିମ୍ ଘୋଷଣା କରିଛି । ଦଳକୁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଓ ଜୋଶ ହେଜଲଉଡଙ୍କ କମବ୍ୟାକ୍ ହୋଇଛି । ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଆଉରାଉଣ୍ଡର୍ ମିଚେଲ ଓୱେନଙ୍କୁ ଟିମରେ ସ୍ଥାନ ମିଳି ନାହିଁ । ଚୟନକର୍ତ୍ତା ଚଳିଥର ସ୍ପିନକୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ କ୍ୱାଡ୍ ଚୟନ କରିଛନ୍ତି ।

ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଦଳ ଚୟନ ଉପରେ ବିଶ୍ୱାସ ପ୍ରକାଶ କରି କହିଛନ୍ତି, "ପ୍ୟାଟ୍ କମିନ୍ସ, ଜୋଶ୍ ହାଜେଲଉଡ୍ ଏବଂ ଟିମ୍ ଡେଭିଡ୍ ଭଲ ଭାବରେ ସୁସ୍ଥ ହେଉଛନ୍ତି । ଆମେ ନିଶ୍ଚିତ ଯେ ସେମାନେ ବିଶ୍ୱକପ୍ ପାଇଁ ଉପଲବ୍ଧ ହେବେ । ଏହା ଏକ ପ୍ରୋଭିଜନାଲ ଟିମ୍ ଏବଂ ଆବଶ୍ୟକ ହେଲେ ପରିବର୍ତ୍ତନ କରାଯାଇପାରେ ।"

ଅଷ୍ଟ୍ରେଲିଆ ଶ୍ରୀଲଙ୍କାରେ ନିଜ ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ । ସେଠାରେ ସ୍ପିନ୍-ଅନୁକୂଳ ପିଚ୍ ଆଶା କରାଯାଉଛି । ଏହାକୁ ଧ୍ୟାନରେ ରଖି ଆଡାମ ଜାମ୍ପାଙ୍କ ସହିତ ବାମହାତୀ ସ୍ପିନର ମାଥ୍ୟୁ କୁହ୍ନେମାନ ଏବଂ କୁପର କନୋଲିଙ୍କୁ ଦଳରେ ସାମିଲ କରାଯାଇଛି । ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ଏକ ପାର୍ଟ-ଟାଇମ୍ ସ୍ପିନ୍ ବିକଳ୍ପ ପ୍ରଦାନ କରିବେ ।

ପଞ୍ଜାବ କିଙ୍ଗ୍ସ ଷ୍ଟାର ମିଚେଲ ଓୱେନଙ୍କୁ ଦଳରୁ ବାଦ ଦିଆଯିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା । ଅଲରାଉଣ୍ଡର ଓୱେନଙ୍କୁ ପଞ୍ଜାବ କିଙ୍ଗ୍ସ ରିଟେନ୍ କରିଥିବା ସତ୍ତ୍ୱେ, ସେ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇପାରି ନାହାନ୍ତି । ଏହା ବ୍ୟତୀତ, ଜୋଶ ଇଙ୍ଗଲିସଙ୍କ ପାଇଁ କୌଣସି ବ୍ୟାକଅପ୍ ୱିକେଟକିପରଙ୍କୁ ଚୟନ କରାଯାଇ ନାହିଁ ।

ଟି୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଦଳ: ମିଚେଲ୍ ମାର୍ଶ (ଅଧିନାୟକ), ଜାଭିୟର ବାର୍ଟଲେଟ୍, କୁପର୍ କନୋଲି, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, କାମେରୁନ୍ ଗ୍ରୀନ୍, ନାଥନ୍ ଏଲିସ୍, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ମାଥ୍ୟୁ କୁହ୍ନେମାନ, ଗ୍ଲେନ୍ ମ୍ୟାକ୍ସୱେଲ୍, ମାଥ୍ୟୁ ସର୍ଟ, ମାର୍କସ୍ ଷ୍ଟୋଇନିସ୍, ଆଡାମ ଜାମ୍ପା