ଜୋହାନ୍ସବର୍ଗ,|୦୬:କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ । ଅର୍ଥାତ ଜଳ ହିଁ ଜୀବନ । ଜୀବନର ସତ୍ତା ପାଣିରୁ ହିଁ ଆରମ୍ଭ ହୋଇଛି । ତେବେ ଆଫ୍ରିକାରେ କିଛି ଏମିତି ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଏଠାରେ ପାଣି ଟୋପାଏ ନ ପାଇ ୪୯ଜଣ ପ୍ରାଣ ହରାଇଛନ୍ତି ।

ଚାଲିଛି ଖରା ଦିନ । ନଈ-ନାଳ ଶୁଣି ଗଲାଣି । ସାଧାରଣ ସ୍ଥାନ ଅପେକ୍ଷା ମରୁଭୂମିରେ ଜଳ କଷ୍ଟ ଢେର୍ ଅଧିକ । ଯାହା ଦେଖିବାକୁ ମିଳିଛି ଆଫ୍ରିକାରେ ସାହାରାରେ । ରିପୋର୍ଟ ଅନୁସାରେ, ସାହାରା ମରୁଭୂମି ଦେଇ ଏକ ଟ୍ରକ୍ ଯାଉଥିଲା । ଏଥିରେ୫୦ରୁ ଅଧିକ ଲୋକ ଥିଲେ । ତେବେ କୌଣସି କାରଣକୁ ଟ୍ରକ୍ ଟି ଖରାପ ହୋଇଯାଇଥିଲା । ମରୁଭୂମି ମଝିରେ ଏହା ଆଉ ଆଗକୁ ଗଡି ନଥିଲା ।

କୁହାଯାଉଛି ଯେ, ଟ୍ରକରେ ଥିବା ଲୋକେ ଇଦ୍ ଉତ୍ସବ ପାଇଁ ମାଲି ଯାଇଥିଲେ । ସେଠାରୁ ଫେରିବା ବେଳେ ଅଘଟଣ ଘଟିଥିଲା । ଫଳରେ ଯାତ୍ରୀମାନେ ମରୁଭୂମିରେ ଫସି ରହିଥିଲେ । ସେମାନଙ୍କ ପାଖରେ ଥିବା ପାଣି ଅଳ୍ପ ଦିନରେ ସରିଯାଇଥିଲା । ଅନେକ ଦିନ ବିତିଯାଇଥିଲେ ବି କୌଣସି ଉଦ୍ଧାରକାର୍ଯ୍ୟ ହୋଇନଥିଲା । ଫଳରେ ପାଣି ନପାଇ ସେମାନଙ୍କ ମଧ୍ୟରୁ୪୯ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ସେମାନେ ପାଣିର ସନ୍ଧାନରେ ପ୍ରାୟ ୫୦ କିଲୋମିଟର ଚାଲି ଚାଲି ଯାଇ ଏକ ଜନବସତିରେ ପହଁଚିଥିଲେ । ଏହାପରେ ଲୋକଙ୍କୁ ଘଟଣା ବାବଦରେ ସୂଚନା ଦେଇଥିଲେ ।

ସ୍ଥାନୀୟ ପ୍ରଶାସନ ଅନୁସାରେ, ପଶ୍ଚିମ ଆଶାମାକାଠାରୁ ଟ୍ରକଟି ୮୦କିଲୋ ମିଟର ଦୂରରେ ଫସି ରହିଥିଲା । ଏହି ସ୍ଥାନ ନାଇଜର୍ ଏବଂ ଆଲଜେରିଆର କ୍ରସିଂ ପଏଣ୍ଟ୍ ଅଟେ । ଘଟଣାସ୍ଥଳକୁ ଏକ ପ୍ରତିନିଧି ଟିମ୍ ଗସ୍ତ କରିଛନ୍ତି । ତେବେ ଟ୍ରକଟି କାହିଁକି ଖରାପ ହେଲା ଏବଂ କେତେ ଦିନ ଯାଏଁ ଯାତ୍ରୀମାନେ ଫସି ରହିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ପ୍ରଶାସନ କହିଛି ।