ନୂଆଦିଲ୍ଲୀ: ବିହାରର ବାଙ୍କୀପୁର, ଗୁଜରାଟର ମାଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଥିବା ଏହି ଗଣତିରୁ ଆସୁଥିବା ଟ୍ରେଣ୍ଡ୍‌ ଆଗାମୀ ରାଜନୈତିକ ସମୀକରଣ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ବିହାର (ବାଙ୍କୀପୁର): ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା ପୂର୍ବତନ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ନିଜର ପ୍ରଥମ ନିର୍ବାଚନୀ ଲଢ଼େଇରେ ବାଙ୍କୀପୁର ଆସନରୁ ବିଜେପି ପ୍ରାର୍ଥୀ ନୀରଜ କୁମାର ସିଂହଙ୍କ ଠାରୁ ବଡ଼ ବ୍ୟବଧାନରେ ଅଗ୍ରଣୀ ବଜାୟ ରଖିଛନ୍ତି। ଏହି ଆସନଟି ଗତ ତିନି ଦଶନ୍ଧି ଧରି ବିଜେପିର ଦୃଢ଼ ଗଡ଼ ଭାବେ ଗଣାଯାଉଥିଲା। ପୂର୍ବତନ ବିଧାୟକ ନିତୀନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏହି ସିଟ୍‌ ଖାଲି ପଡ଼ିଥିଲା। ଏଠାରେ ପ୍ରଶାନ୍ତ କିଶୋର, ବିଜେପିର ନୀରଜ କୁମାର ସିଂହ ଏବଂ ଆରଜେଡି (RJD) ର ପ୍ରାର୍ଥୀ ରେଖା ଗୁପ୍ତାଙ୍କ ମଧ୍ୟରେ ମୁକାବିଲା ହେଉଛି।

ମଧ୍ୟପ୍ରଦେଶ (ଦତିଆ): ଦତିଆ ବିଧାନସଭା ଆସନରେ କଂଗ୍ରେସ ପୂର୍ବତନ ବିଧାୟକ କୁଁୱର ଘନଶ୍ୟାମ ସିଂହ ବିଜେପିର ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଆଶୁତୋଷ ତିୱାରୀଙ୍କ ଠାରୁ ଆଗରେ ରହିଛନ୍ତି। ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷିତ ହେବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଗୁଜରାଟ (ମାଞ୍ଜଲପୁର):

ମାଞ୍ଜଲପୁର ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ବାଜିମାତ କରିଛନ୍ତି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଯୋଗେଶ ପଟେଲଙ୍କ ପରଲୋକ ପରେ ଏହି ଆସନଟି ଖାଲି ହୋଇଥିଲା। ସତେନ୍ଦ୍ରଭାଇ (ସତୀଶ ପଟେଲ) ପଟେଲ ୩୦,୬୩୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରବାରୀ ପରାସ୍ତ ହୋଇଛନ୍ତି । ଏହି ଆସନରେ ୨୨୪୭ ଖଣ୍ଡ ଭୋଟ୍ ନୋଟାରେ ପଡ଼ିଥିବା ଜଣାପଡ଼ିଛି ।