ନୂଆଦିଲ୍ଲୀ: ବିଶ୍ୱର ନମ୍ବର ୱାନ୍ ଆରିନା ସାବାଲେଙ୍କା ବହୁଚର୍ଚ୍ଚିତ "ବ୍ୟାଟଲ୍ ଅଫ୍ ଦି ସେକ୍ସେସ୍"ର ରି-ମ୍ୟାଚ୍ ଚାହୁଁଛନ୍ତି । ଏହି ମ୍ୟାଚ୍‌ରେ ସେ ନିକ୍ କିର୍ଗିଓସ୍ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିବା କହିଛନ୍ତି । ଟେନିସ ଜଗତର ନୂଆ ଟୁର୍ଣ୍ଣାମେଣ୍ଟ ବ୍ୟାଟେଲ୍ ଅଫ୍ ଦ ସେକ୍ସେସ୍ ଅର୍ଥାତ୍ ମହିଳା ଓ ପୁରୁଷ ଖେଳାଳିଙ୍କ ମଧ୍ୟରେ ମୁକାବିଲା । ୱିମ୍ୱଲଡନ୍ ୨୦୨୨ର ଉପବିଜେତା ନିକ୍ କିର୍ଗିୟୋସ ବିଶ୍ୱର ନମ୍ୱର ୱାନ୍ ମହିଳା ଖେଳାଳି ଏରିନା ସାବାଲେଙ୍କା ୬-୩, ୬-୩ରେ ପରାସ୍ତ କରିଥିଲେ । ଏହି ପ୍ରଦର୍ଶନୀ ମ୍ୟାଚ୍‌ର ଲିଙ୍ଗଗତ ସମାନତା ପାଇଁ ଏକ ଐତିହାସିକ କ୍ଷଣ ପରିବର୍ତ୍ତେ ମନୋରଞ୍ଜନ ପାଇଁ ମନେ ରଖାଯିବ । ମ୍ୟାଚ୍ ବେଳେ ଦୁଇ ଖେଳାଳି ହସି ହସି ଖେଳୁଥିଲେ ।

ଏହି ମ୍ୟାଚ୍ ପାଇଁ ନିୟମ ପରିବର୍ତ୍ତନ କରାଯାଇଥିଲା । ପରବର୍ତ୍ତିତ ନିୟମ ଅନୁଯାୟୀ ଖେଳାଯାଇଥିବା ଏହି ପ୍ରତିଯୋଗିତା ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଥିଲା । ସାବାଲେଙ୍କାଙ୍କ କୋର୍ଟର ପାର୍ଶ୍ୱକୁ ନଅ ପ୍ରତିଶତ ହ୍ରାସ କରାଯାଇଥିଲା ଏବଂ ଉଭୟ ଖେଳାଳିଙ୍କୁ କେବଳ ଗୋଟିଏ ସର୍ଭିସରେ ସୀମିତ କରାଯାଇଥିଲା ।

ସାବାଲେଙ୍କା ଗୁରୁବାର କହିଛନ୍ତି, "ମୁଁ ପ୍ରତିଶୋଧକୁ ଭଲ ପାଏ ଏବଂ ମୁଁ ଏହାକୁ ସେହିପରି ଛାଡିବାକୁ ପସନ୍ଦ କରେ ନାହିଁ ।" ରି-ମ୍ୟାଚ୍ ପାଇଁ ଆଗ୍ରହୀ ଥିବା ବେଳେ, ସାବାଲେଙ୍କା କହିଛନ୍ତି ଯେ ସେ ପରବର୍ତ୍ତୀ ସମୟରେ ଏକ ଭିନ୍ନ ଫର୍ମାଟକୁ ପସନ୍ଦ କରିବେ, ଯେଉଁଥିରେ ପୂରା କୋର୍ଟ ଏବଂ ଦୁଇଟି ସର୍ଭ ଥିବ । ସେ କହିଛନ୍ତି, "ମୁଁ ଭାବୁଛି ପରବର୍ତ୍ତୀ ମ୍ୟାଚ୍ ପାଇଁ ଆମେ ଏକ ଭିନ୍ନ ଫର୍ମାଟରେ ଆଣିବୁ । ମ୍ୟାଚ୍ ପୂର୍ବରୁ, ମୁଁ ଜାଣି ନଥିଲି ଯେ ମୋତେ ଆଡଜଷ୍ଟ କରିବାକୁ ପଡିବ ଏବଂ ଏହା ମୋ ପାଇଁ ଟିକେ କଷ୍ଟକର ଥିଲା । ମୁଁ ଫୁଲ୍ କୋର୍ଟ ରଖିବି ଏବଂ ଦୁଇଟି ସର୍ଭ ନେବି । ଏହା ଆମର ସ୍ତରକୁ ଆହୁରି ଭଲ କରିବ ।"

ସାବାଲେଙ୍କା କହିଛନ୍ତି, "ମୁଁ ସବୁବେଳେ କହେ ଯେ ଯେତେବେଳେ ତୁମେ ହାରୁଛ, ତୁମେ ଶିଖୁଛ, ଏବଂ ମୁଁ ତାଙ୍କ ଖେଳ ବିଷୟରେ ବହୁତ କିଛି ଶିଖିଛି । ମୁଁ ଏହା ପୁଣି ଥରେ କରିବି । ପ୍ରତିଶୋଧ ନେବା ଆବଶ୍ୟକ ।"

ସାବାଲେଙ୍କା-କିର୍ଗିଓସ୍ ଏହି ମ୍ୟାଚ୍ ସମାଲୋଚନାର ସମ୍ମୁଖୀନ ହୋଇଥିଲା । ଅନେକ "ଟଙ୍କା ହଡ଼ପ" ଅଭିଯୋଗ କରିଥିଲେ । ଅନ୍ୟମାନେ କହିଥିଲେ ଯେ ଏହା ମହିଳା ଖେଳକୁ ଆଗକୁ ବଢ଼ାଇବାରେ କମ ପ୍ରୋତ୍ସାହିତ କରିଥିଲା । ଦୁବାଇର ୧୭,୦୦୦ ଆସନ ବିଶିଷ୍ଟ କୋକା-କୋଲା ଆରେନାରେ ହୋଇଥିବା ମ୍ୟାଚ୍ ପାଇଁ ସବୁଠାରୁ ମହଙ୍ଗା ଟିକେଟ୍ ପ୍ରାୟ ୭୨,୦୦୦ ଟଙ୍କାରେ ବିକ୍ରି ହୋଇଥିଲା ।