ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ୨୦୨୭ ପଞ୍ଜାବ ନିର୍ବାଚନ ପାଇଁ ପୁଣି ଥରେ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା (CM Face) ଭାବରେ ପ୍ରୋଜେକ୍ଟ କରିଛନ୍ତି। ଏହା ସହିତ ସେ ଆଗୁଆ ନିର୍ବାଚନ ହେବାର ସମ୍ଭାବନାକୁ ନେଇ ମଧ୍ୟ ଏକ ବଡ଼ ଦାବି କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ପଞ୍ଜାବର ବିକାଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ଭଗଓ୍ବନ୍ତ ମାନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ଆବଶ୍ୟକ। ମାନ୍‌ଙ୍କ ନେତୃତ୍ୱରେ ଦଳ ପଞ୍ଜାବରେ ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଛି, ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ ସେ ହିଁ ଦଳର ମୁଖ୍ୟ ଚେହେରା ରହିବେ।

ନଭେମ୍ବରରେ ନିର୍ବାଚନ ହେବା ନେଇ ବଡ଼ ଦାବି
ଏହି ଅବସରରେ କେଜ୍ରିୱାଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତ, ସେ ବିଭିନ୍ନ ସୂତ୍ରରୁ ଜାଣିବାକୁ ପାଇଛନ୍ତି ଯେ ପଞ୍ଜାବରେ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ଆସନ୍ତା ନଭେମ୍ବର ମାସରେ ହିଁ ଅନୁଷ୍ଠିତ ହୋଇପାରେ।  ନଭେମ୍ବରରେ ନିର୍ବାଚନ ହେବାର ସୂଚନା ମିଳିବା ପରେ ସେ ଦଳୀୟ ନେତା ଓ କର୍ମୀମାନଙ୍କୁ ଏବେଠାରୁ ହିଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ଏବଂ ଲୋକଙ୍କ ପାଖକୁ ଯାଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୭ ନିର୍ବାଚନ ପାଇଁ AAP ର ରଣନୀତି
ଭଗଓ୍ବନ୍ତ ମାନଙ୍କ ନାମକୁ ଆଗକୁ ଆଣି ଆମ ଆଦମୀ ପାର୍ଟି ବିରୋଧୀ ଦଳଗୁଡ଼ିକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ଭଗଓ୍ବନ୍ତ ମାନଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ଗ୍ରାଉଣ୍ଡ ଲେଭଲରେ ଲୋକପ୍ରିୟତାକୁ ଆଧାର କରି ଦଳ ପୁଣି ଥରେ ପଞ୍ଜାବରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। କେଜ୍ରିୱାଲଙ୍କ ଏହି ବଡ଼ ଘୋଷଣା ପରେ ପଞ୍ଜାବ ରାଜନୀତି ସରଗରମ ହୋଇଉଠିଛି।