ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ମୈଦାନରେ ପୁଣି ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପରାଜୟ ପରେ ପଞ୍ଜାବ କିଙ୍ଗସ୍ର ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ମୁମ୍ବାଇ ବ୍ୟାଟର ତିଲକ ବର୍ମାଙ୍କୁ ରଙ୍ଗଭେଦ ବା ଜାତିଗତ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ଅର୍ଶଦୀପଙ୍କୁ ଚଳିତ ସିଜନରୁ ବ୍ୟାନ କରିବାକୁ ଦାବି କରିଛନ୍ତି।

ଭିଡିଓରେ କ’ଣ ଅଛି?

ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ କ୍ରମାଗତ ୫ମ ପରାଜୟ ବରଣ କରିଥିଲା। ଭାଇରାଲ ହେଉଥିବା ଭିଡିଓରେ ଅର୍ଶଦୀପ, ତିଲକ ବର୍ମାଙ୍କୁ ଉଦ୍ଦେଶ୍ୟ କରି କହୁଛନ୍ତି, "ଓଏ ଅନ୍ଧେରେ, ସନ୍ସ୍କ୍ରିନ୍ ଲଗାୟା?" (ଏଇ କଳା ଲୋକ, ସନ୍ସ୍କ୍ରିନ୍ ଲଗାଇଛୁ କି?)। ଏହି ମନ୍ତବ୍ୟ ତିଲକଙ୍କ ଚର୍ମର ରଙ୍ଗକୁ ନେଇ କରାଯାଇଥିବା ଅଭିଯୋଗ ହେଉଛି, ଯାହାକୁ ନେଇ କ୍ରିକେଟ୍ ଜଗତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବ୍ୟାନ ପାଇଁ ଦାବି କଲେ ଶିବରାମକ୍ରିଷ୍ଣନ

ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ପୋଷ୍ଟ କରି ଅର୍ଶଦୀପଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ଲେଖିଛନ୍ତି, "ଅର୍ଶଦୀପଙ୍କୁ ଚଳିତ ସିଜନରୁ ବ୍ୟାନ କରାଯିବା ଉଚିତ୍। ଖେଳାଳିମାନଙ୍କୁ ସେଠାରେ ଆଘାତ ଦେବା ଦରକାର ଯେଉଁଠି ସେମାନଙ୍କୁ ସବୁଠାରୁ ଅଧିକ କଷ୍ଟ ହେବ। ତିଲକ ବର୍ମା ଏବେ ନିଜ କ୍ୟାରିୟରର ପ୍ରଥମ ପର୍ଯ୍ୟାୟରେ ଥିବାରୁ ହୁଏତ କିଛି କହିପାରୁ ନାହାନ୍ତି, କିନ୍ତୁ ବିସିସିଆଇ (BCCI) ଏହି ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।"

ନିଜ ଅତୀତର ଦୁଃଖ ସେୟାର କଲେ ପୂର୍ବତନ ସ୍ପିନର

ଏହି ଘଟଣା ଶିବରାମକ୍ରିଷ୍ଣନଙ୍କୁ ନିଜ ଖେଳ ଦିନର ପୁରୁଣା ସ୍ମୃତି ମନେ ପକାଇ ଦେଇଛି। ସେ ଅଭିଯୋଗ କରିଛନ୍ତି ଯେ, ନିଜ ଦଳର ସଦସ୍ୟମାନେ ମଧ୍ୟ ତାଙ୍କୁ ରଙ୍ଗକୁ ନେଇ ପରିହାସ କରୁଥିଲେ। ସେ ଏକ ଘଟଣା ସମ୍ପର୍କରେ କହିଛନ୍ତି ଯେ, ପାକିସ୍ତାନ ଗସ୍ତ ସମୟରେ ତତ୍କାଳୀନ ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କ ପାଇଁ ଏକ କେକ୍ ମଗାଇଥିଲେ। ସେତେବେଳେ ଜଣେ ସାଥୀ ଖେଳାଳି କହିଥିଲେ, "ସନି, ତୁମେ ଏହି କଳା ପିଲା (Dark boy) ପାଇଁ ଏକଦମ୍ ସଠିକ୍ ରଙ୍ଗର ଡାର୍କ ଚକୋଲେଟ୍ କେକ୍ ମଗାଇଛ।"

ସୂଚନାଯୋଗ୍ୟ ଯେ, ଶିବରାମକ୍ରିଷ୍ଣନ ଭାରତ ପାଇଁ ୯ଟି ଟେଷ୍ଟ ଓ ୧୬ଟି ଦିନିକିଆ ଖେଳିଛନ୍ତି। ଏବେ ଅର୍ଶଦୀପଙ୍କ ବିରୋଧରେ ବିସିସିଆଇ କ’ଣ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।