ୱାଶିଂଟନ: ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ପଡ଼ୋଶୀ ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ଏହି ଆକ୍ରମଣ ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । କିନ୍ତୁ ଇରାନ୍ର ଏହି ନିଷ୍ପତ୍ତି ପଛରେ ଆମେରିକାର ଭୂମିକା ରହିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ଆରବ ଦେଶ ଉପରେ ଆକ୍ରମଣ ବନ୍ଦ କରିଛନ୍ତି ବୋଲି କହି ନିଜକୁ ନିଜେ ପ୍ରଶଂସା କରିଛନ୍ତି ଟ୍ରମ୍ପ । ଏପରିକି ଆରବ ଦେଶ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ଡୋନାଲ୍ଡ ଟ୍ରମ୍ପ ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ଆମେରିକା ସହିତ ଯୁଦ୍ଧରେ ପରାଜିତ ଇରାନ ଆତ୍ମସମର୍ପଣ କରିଛି । ମଧ୍ୟପ୍ରାଚ୍ୟ ପଡ଼ୋଶୀମାନଙ୍କୁ କ୍ଷମା ମାଗୁଛି। ଇରାନ ପ୍ରତିଶ୍ରୁତି ଦେଇଛି ଆରବ ଦେଶ ଉପରେ ଆଉ ଆକ୍ରମଣ କରିବ ନାହିଁ। ଏହା କେବଳ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ତେହେରାନ ଉପରେ ଲଗାତାର ଆକ୍ରମଣ ଯୋଗୁଁ ସମ୍ଭବ ହୋଇଛି।’ ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ‘ଇରାନ ସବୁବେଳେ ମଧ୍ୟପ୍ରାଚ୍ୟକୁ ଜିତିବାକୁ ଏବଂ ଶାସନ କରିବାକୁ ଚାହୁଁଛି। ହଜାର ହଜାର ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ଇରାନ ଏହାର ପଡ଼ୋଶୀ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଠାରୁ ପରାସ୍ତ ହୋଇଛି । ଆରବ ଦେଶଗୁଡ଼ିକ ଏଥିପାଇଁ ମୋତେ ଧନ୍ୟବାଦ ଦେଇଛନ୍ତି। ଇରାନ ଆଉ 'ମଧ୍ୟପ୍ରାଚ୍ୟର ଗୁଣ୍ଡା' ନୁହେଁ, ବରଂ ମଧ୍ୟପ୍ରାଚ୍ୟର ପରାଜିତ ଦେଶ।’

ଟ୍ରମ୍ପ କହିଛନ୍ତି ଯେ, ଆକ୍ରମଣରୁ ରକ୍ଷା ପାଇବା ପାଇଁ ଇରାନର ଏକମାତ୍ର ଉପାୟ ହେଉଛି ଆତ୍ମସମର୍ପଣ । ସେ ଇରାନ ଉପରେ ଏକ ବଡ଼ ଆକ୍ରମଣର ଇଙ୍ଗିତ ଦେଇ କହିଛନ୍ତି ଯେ, ଇରାନର ଭୁଲ ଆଚରଣ ଯୋଗୁଁ , ଟାର୍ଗେଟକୁ ଏବେ ଗମ୍ଭୀରତାର ସହିତ ବିଚାର କରାଯାଉଛି । ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ଶନିବାର ଇରାନର ସରକାରୀ ଟେଲିଭିଜନରେ ଏକ ବାର୍ତ୍ତାରେ କହିଛନ୍ତି, ‘ମୁଁ ଭାବୁଛି ଯେ, ଆକ୍ରମଣ ହୋଇଥିବା ପଡ଼ୋଶୀ ଦେଶମାନଙ୍କୁ କ୍ଷମା ମାଗିବା ଗୁରୁତ୍ୱପୂର୍ଣ୍ଣ। ଆମର ପଡ଼ୋଶୀ ଦେଶମାନଙ୍କୁ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ଯଦି ସେହି ପାର୍ଶ୍ୱରୁ ଆକ୍ରମଣ ନ ହୁଏ ତେବେ ଆମେ ସେହି ଦେଶଗୁଡ଼ିକୁ ଆକ୍ରମଣ କରିବୁ ନାହିଁ।

ଇସ୍ରାଏଲ ଏବଂ ଆମେରିକା ଫେବୃଆରୀ ୨୮ରୁ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । ଏହା ପରେ, ଇରାନ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା । ଇରାନ ସାଉଦି ଆରବ, କୁଏତ, କତାର, ୟୁଏଇ, ବାହାରିନ ଉପରେ ଆକ୍ରମଣ କରିଥିଲା। ଏହା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା। ଶନିବାର ଇରାନ ଘୋଷଣା କରିଥିଲା ଯେ, ଏହି ସବୁ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବ ନାହିଁ ।