ନୂଆଦିଲ୍ଲୀ ୦୪।୦୭; :ବିଶ୍ୱର ପ୍ରସିଦ୍ଧ ଟେକ୍ କମ୍ପାନୀ ଆପଲ। ଆସନ୍ତା ବର୍ଷ ନିଜର ପ୍ରଥମ ଫୋଲ୍ଡ ଆଇଫୋନ ବଜାରକୁ ଆଣିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି। ମିଳିଥିବା ସୂଚନା ଅନୁସାରେ କମ୍ପାନୀ ୨୦୨୬ ଶେଷ ସୁଦ୍ଧା ପ୍ରାୟ ୧ କୋଟି (୧୦ ମିଲିୟନ୍) ଫୋଲ୍ଡ ଆଇଫୋନ ବିକ୍ରି କରିବାର ଲକ୍ଷ୍ୟ ରଖିଛି। ଏଥିପାଇଁ ଆପଲ ତାହାର ବିକ୍ରେତାମାନଙ୍କୁ ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିବା ଖବର ମିଳିଛି। ରିପୋର୍ଟ ଅନୁଯାୟୀ ପୂର୍ବରୁ ଆପେଲ ୭ରୁ ୮ ମିଲିୟନ୍ ଫୋଲ୍ଡ ଆଇଫୋନ ତିଆରି କରିବାକୁ ଯୋଜନା କରିଥିଲା। କିନ୍ତୁ ବଜାରରେ ଚାହିଦା ବଢ଼ିବାର ଆକଳନ କରି କମ୍ପାନୀ ଏହାକୁ ବଢ଼ାଇ ୧୦ ମିଲିୟନ ରଖିଛି।

କେବଳ ଫୋଲ୍ଡ ଆଇଫୋନ ନୁହେଁ, ଆପେଲ ନୂଆ ପିଢ଼ିର ଆଇଫୋନ ୧୮ ପ୍ରୋ ଏବଂ ଆଇଫୋନ ୧୮ ପ୍ରୋ ମ୍ୟାକ୍ସ ସହ ଅନ୍ୟାନ୍ୟ ମଡେଲର ମଧ୍ୟ ବ୍ୟାପକ ଉତ୍ପାଦନ କରିବାକୁ ଯୋଜନା କରିଛି। ୨୦୨୬ରେ କମ୍ପାନୀର ମୋଟ ଆଇଫୋନ ଉତ୍ପାଦନ ୨୨ କୋଟିରୁ ଅଧିକ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ​​​​​​​ ଫୋଲ୍ଡ ଆଇଫୋନର ଦାମ ସାଧାରଣ ଆଇଫୋନ ତୁଳନାରେ ଅଧିକ ହୋଇପାରେ । ଏହା ପ୍ରିମିୟମ୍ ବଜାରକୁ ଲକ୍ଷ୍ୟ କରି ଲଞ୍ଚ ହେବାର ସମ୍ଭାବନା ରହିଛି।

ବଡ଼ ସ୍କ୍ରିନ୍, ନୂଆ ଡିଜାଇନ୍ ଏବଂ ଅତ୍ୟାଧୁନିକ ଫିଚର୍ ଏହି ଫୋନର ପ୍ରମୁଖ ଆକର୍ଷଣ ହୋଇପାରେ। ଫୋନ ଦୋକାନୀଙ୍କ ମତରେ, ଫୋଲ୍ଡ ଆଇଫୋନ ଲଞ୍ଚ ହେଲେ ସ୍ମାର୍ଟଫୋନ୍ ବଜାରରେ ନୂଆ ପ୍ରତିଯୋଗିତା ଦେଖାଯିବ। ବର୍ତ୍ତମାନ ଏହି କ୍ଷେତ୍ରରେ ସାମସଙ୍ଗ ଓ ଅନ୍ୟ କିଛି କମ୍ପାନି ଆଗରେ ଥିବାବେଳେ ଆପଲର ପ୍ରବେଶ, ଫୋଲ୍ଡ ଆଇଫୋନ ଫୋନ୍ ବଜାରକୁ ଆହୁରି ଲୋକପ୍ରିୟ କରିପାରେ।